ଅସୀମ ବଳ ଓ ଧର୍ଯ୍ୟର ପ୍ରତୀକ ମା’, ଆଜି ସେହି ମା ପାଇଁ ଦିନ ଟିଏ

ମାଆ ହେଉଛି ଜୀବନର ଏକମାତ୍ର ଅଦ୍ବିତୀୟ ଚରିତ୍ର । ଯିଏ ବିନା ସ୍ବାର୍ଥରେ  ନିଜ ପିଲାମାନଙ୍କ ପାଇଁ ସବୁକିଛି ଉତ୍ସର୍ଗ କରିବାର ସାହସ ରଖିଥାଏ । ଯାହାର ଅସ୍ତିତ୍ବ ବିନା ବିଶ୍ବକୁ ପରିକଳ୍ପନା କରଯାଇ ପାରେନା । ଯାହାର ହସରେ ଫୁଟିପଡେ ମଉଳି ଯାଇଥିବା ଫୁଲ । ଯିଏ ନିଜେ ଭୋକରେ ରହିବି ନିଜ ଛୁଆଙ୍କୁ ଅପୁରା ରହିବାକୁ ଦିଏନି । ଯାହାର ପ୍ରତିଟି ଚିନ୍ତାରେ ଥାଏ ନିଜ ପିଲାଙ୍କ କୁଶଳର ଚିନ୍ତା । ସେ ହେଉଛି ମାଆ । ସବୁ ତ୍ୟାଗ , ସମର୍ପଣ  ଓ ବଳିଦାନ ପରେ ମଧ୍ୟ ପ୍ରତିବଦଳରେ ନିଜ ସମନ୍ତା ଠାରୁ କିଛି ଚାହେଁନି ସିଏ । ପିଲାର ମାଆ ଡାକରେ ମଆର ଭୋକିଲା ପେଟ ପୁରି ଉଠେ । ସେହି ନିଶ୍ବାର୍ଥ, କୋମଳ, ମା’ ରୁପି ଦେବୀଙ୍କ ପାଇଁ ଦିନଟିଏ । ଆଜି ମାଆଙ୍କ ପାଇଁ ଦିନଟିଏ ।

ପୃଥିବୀର ସବୁଠୁ ମଧୁର ଶଦ୍ଦ ହେଉଛି ମା’ । ମାର ପଣତକାନି ସନ୍ତାନ ପାଇଁ ସବୁଠୁ ନିରାପଦ ସ୍ଥାନ । ମା’ର ଋଣ ସୁଝିବା କାହା ପାଖାରେ ବି ସମ୍ଭବ ନୁହେଁ । ମା’ ହେଉଛି ସ୍ନେହମୟୀ, କରୁଣାମୟୀ ଓ ଦୟାମୟୀ । ସନ୍ତାନର ଦୁଃଖରେ ସେ ଦୁଃଖି ହୁଏ ଆଉ ତା ସନ୍ତାନ ମୁହଁରେ ଟିକେ ହସ ଦେଖିଦେଲେ ତା ମନ ବି ଖୁସି ହୋଇଯାଏ ।

ମା’ ଶବ୍ଦରେ ଯେମିତି ଭରି ରହିଛି ବ୍ରହ୍ମାଣ୍ଡ ଯାକାର ଅମୃତ । କେବଳ ଶବ୍ଦ ନୁହେଁ ମା’ ଅସୀମ ବଳ ଓ ଧର୍ଯ୍ୟର ପ୍ରତୀକ । ମା’ର ଭଲ ପାଇବା, ତ୍ୟାଗ, ଓ ତପସ୍ୟା ଆଗରେ ଦୁନିଆରେ ସବୁ ଜିନିଷ ଫିକା ପଡ଼ିଯାଏ । ଜୀବନରେ ଯେତେ ଦୁଃଖ କଷ୍ଟ ଆସିଲେ ବି ମାଆ ଆଗରେ ସବୁ ତୁଚ୍ଛ ହେଇଯାଏ । ମା’ର ପ୍ରାର୍ଥନାରେ ଏତେ ଶକ୍ତି ଥାଏ ଯେ ତା ସନ୍ତାନ ନିକଟକୁ ମୃତ୍ୟୁ ବି ଆସିବାକୁ ଭୟ କରେ । ପାଖରେ ମା’ ଥିଲେ ସଂସାରରେ ସବୁକିଛି ମିଳିଗଲା ପରି ଲାଗେ । ସନ୍ତାନ ଯେତେ ବଡ଼ ହେଇଯାଉନା କାହିଁକି ମା ପାଇଁ ସେ ସବୁବେଳେ ଛୋଟ ଛୁଆ ହିଁ ରୁହେ । ପୁଅ ଯେତେ ଦୁଷ୍ଟ ଖଳ ପ୍ରକୃତିର ହେଉନା କାହିଁକି ମା ପାଇଁ ସେ କଳାକହ୍ନେଇ । ତା ପଣତ ଯେମିତି ବିଶ୍ବର ସବୁଠାରୁ ସୁରକ୍ଷିତ ସ୍ଥାନ । ସେଥିପାଇଁ ତ ଭଗବାନ ବି ମା’ର ତ୍ୟାଗ ଓ ତପସ୍ୟା ଆଗରେ ନତମସ୍ତକ ହୋଇଯାଆନ୍ତି।

ଆଜି ସେହି ମା ପାଇଁ ଦିନ ଟିଏ ମା’ ଦିବସ ବା ମାତୃତ୍ବ ଦିବସ । ଏମିତିରେ ମା ପାଇଁ କୌଣସି ଦିନର ଆବଶ୍ୟକତା ନାହିଁ । କାହିଁକିନା ସବୁଦିନ ତ ମାତୃତ୍ବ ଦିବସ ଦିନ ତା ପାଇଁ ପୁଣି କଣ ଖାସ୍ ଦିନ ହେବ ଯେ ? କିନ୍ତୁ ଆଜିର ସମାଜରେ ମା’ ପାଇଁ ଗୋଟିଏ ଦିନକୁ ବଛାଯାଇଛି । ମା’ର ତ୍ୟାଗକୁ ବନ୍ଦନ କରିବା ପାଇଁ ଏଭଳି ଏକ ଦିନକୁ ବିଶ୍ବ ବ୍ୟାପି ପାଳନ କରାଯାଉଛି। ପ୍ରତି ବର୍ଷ ମେ’ ମାସ ଦ୍ଵିତୀୟ ରବିବାରକୁ ମାତୃତ୍ବ ଦିବସ ଭାବେ ପାଳନ କରାଯାଏ । ପ୍ରଥମେ ଆମେରିକାରେ ମା’ମାନଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଏହି ଦିନଟି ଆରମ୍ଭ ହୋଇଥିଲା । କିନ୍ତୁ ମା’ ଓ ମାତୃତ୍ୱକୁ ସମ୍ମାନ ଦେଇ ବିଶ୍ୱର ପ୍ରାୟ ୪୦ରୁ ଅଧିକ ଦେଶରେ ଏବେ ପାଳିତ ହେଉଛି ମାତୃତ୍ବ ଦିବସ ।

ସଂସାର ଓ ସଂସ୍କୃତି ଦୁଇଟିକୁ ହାତରେ ଧରି ଆଗକୁ ଚାଲେ ଏଇ ମା’ । ନିଜେ ଅନ୍ଧାରରେ ରହି ସନ୍ତାନକୁ ଆଲୋକ ଦେଖାଏ ମା’ । ଜୀବନର ଦୋ ଛକିରେ ଆଶାର ଆଲୋକ ସାଜି ବଞ୍ଚିବାର ରାହା ଦେଖାଇଥାଏ ସେ । ଆକଟ ବି କରେ ସ୍ନେହ ବି କରେ ହେଲେ କୌଣସି ପରିସ୍ଥିତିରେ ହାତ ଛାଡିନଥାଏ ମା’ । ପାଖରେ ଥିଲେ ମା’ ସନ୍ତାନ ପାଇଁ ମମତା ଅଜାଡି ଦିଏ, ପାଖରୁ ଦୂରେଇ ଗଲେ ସନ୍ତାନ ଉପରେ ଆଶୀର୍ବାଦର ବର୍ଷା କରିଚାଲେ । ଦୁନିଆର ସବୁ ଶବ୍ଦ ଯାହା ପାଖରେ ଆଜି ଫିକା ସେ ହେଉଛି ଆମ ମା’ । ତେବେ ବିଶ୍ୱବ୍ୟାପୀ ପ୍ରତ୍ୟେକ ମଣିଷ ଏହି ଦିବସକୁ ବେଶ ଧୁମଧାମ ସହକାରେ ପାଳନ କରୁଛନ୍ତି । କିଏ କେକ୍ କାଟି ମାତୃ ଦିବସ ପାଳୁଛନ୍ତି ତ ଆଉ କିଏ ସୋସିଆଲ ମିଡିଆରେ ନିଜ ମାଆଙ୍କ ଫଟୋକୁ ସ୍ଥାନ ଦେଇ ମାତୃ ଦିବସ ପାଳନ କରୁଛନ୍ତି । ଆଜି ମାତୃତ୍ବ ଦିବସ ଅବସରରେ ସେହି ମା’ମାନଙ୍କୁ କୋଟି କୋଟି ପ୍ରଣାମ ।

Also Read:ଚୂନା ହୋଇଗଲା ସୁନା ସଂସାର: ଅନାଥ ତିନି ଛୁଆଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଜେଜେ ମାଆ