୭ ବର୍ଷର ପୁଅ ଉପରେ ମା’ର ନିଆରା ପ୍ରୟୋଗ, ପିଲାଠୁ ନେଉଛି ଘରର ଭଡ଼ା ଓ ବିଦ୍ୟୁତ୍‌ ବିଲ୍‌; କାରଣ ଜାଣିଲେ ଆପଣ ବି କରିବେ ପ୍ରଶଂସା

କୁହାଯାଏ ଯେ ପିଲାମାନଙ୍କୁ ଅର୍ଥର ମହତ୍ତ୍ୱ ବୁଝାଇବା ଅତ୍ୟନ୍ତ ଜରୁରୀ। ଏହା ବି ବୁଝାଇବା ଦରକାର ଯେ ଟଙ୍କା ରୋଜଗାର କରିବା ପାଇଁ ଜଣକୁ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ। କିନ୍ତୁ ଏଠି ଜଣେ ମା’ ନିଜ ପିଲାକୁ ଟଙ୍କାର ମୂଲ୍ୟ ବୁଝାଇବା ପାଇଁ ପ୍ରତିମାସରେ ତା’ଠାରୁ ବିଦ୍ୟୁତ୍‌ ବିଲ୍‌ ଏବଂ ଘରର ଭଡ଼ା ନେବା ଆରମ୍ଭ କରି ଦେଇଛନ୍ତି। ପିଲାର ବୟସ ମାତ୍ର ୭ ବର୍ଷ, କିନ୍ତୁ ମା’ ତାଙ୍କ ପାଇଁ ଏଭଳି କଡା ନିୟମ ବନାଇଛନ୍ତି।

ମହିଳା ଜଣକ @craftedandcrazy ନାମକ ଏକ ଟିକଟକ୍ ଆକାଉଣ୍ଟରେ ନିଜର ଚମତ୍କାର ଟ୍ରିକ୍‌ ସେୟାର କରିଛନ୍ତି | ଯଦିଓ ପ୍ରତ୍ୟେକ ଘରେ ପିତାମାତା, ଜେଜେବାପା ଏବଂ ଅନ୍ୟ ସଦସ୍ୟମାନେ ପିଲାମାନଙ୍କୁ ଟଙ୍କାର ମୂଲ୍ୟ ବୁଝାଇ ଥାଆନ୍ତି, କିନ୍ତୁ କେହି ଏପରି ଟ୍ରିକ୍‌ ଆପଣାଇ ନାହାନ୍ତି। ମହିଳା ଜଣକ କହିଛନ୍ତି ଯେ ସେ ତାଙ୍କ ସାନପୁଅକୁ ପ୍ରତି ମାସରେ ତାଙ୍କ କୋଠରୀ ଭଡା ଏବଂ ବ୍ୟବହୃତ ବିଦ୍ୟୁତ୍ ବିଲ୍ ମାଗିଥାଆନ୍ତି।

ତେବେ ଏ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିବ ଯେ ଏତେ ଛୋଟ ପିଲା ଭଡା ଦେବାକୁ କେଉଁଠାରୁ ଟଙ୍କା ରୋଜଗାର କରିବ? ଏହାର ଜବାବରେ, ମା’ କୁହନ୍ତି ଯେ ପ୍ରତିଦିନ ସେ ନିଜ ପୁଅକୁ ଦିନସାରା କାମ କରିବା ପାଇଁ କାର୍ଯ୍ୟର ତାଲିକା ଦିଅନ୍ତି | ଏହି କାମ ବଦଳରେ ପୁଅକୁ ପ୍ରତିଦିନ ୧ ଡଲାର ଲେଖାଏ ଦିଅନ୍ତି। ମାସ ଶେଷ ସୁଦ୍ଧା ତାଙ୍କ ପାଖରେ ଟଙ୍କା ଜମା ହୋଇଯାଏ ଏବଂ ଏହି ଅର୍ଥରୁ ହିଁ ତାଙ୍କୁ କୋଠରୀ ଭଡା ଏବଂ ବିଦ୍ୟୁତ୍ ବିଲ୍ ଦେବାକୁ ପଡ଼ିଥାଏ ବୋଲି ମା’ ଜଣକ କହିଛନ୍ତି।

ଆମେରିକାର ଫ୍ଲୋରିଡାଠାରେ ରହୁଥିବା ଏହି ମହିଳା କହିଛନ୍ତି, ବିଲ୍ ପୈଠ କରିବା ପରେ ପିଲା ପାଖରେ ଯେଉଁ ପଇସା ବଳକା ରହିଥାଏ, ତାହା ତାଙ୍କର Fun Money ହୋଇଥାଏ ଅର୍ଥାତ୍‌ ସେ ଏହି ଟଙ୍କା ସହିତ ଯାହା ଚାହିଁବେ ତାହା କରିପାରିବେ। ପିଲା ଦ୍ୱାରା ଅର୍ଜିତ ଟଙ୍କାକୁ ମହିଳା ନିଜ ପାଖରେ ରଖିବା ପରିବର୍ତ୍ତେ ଏହାକୁ ପିଲାର ସଞ୍ଚୟ ଆକାଉଣ୍ଟରେ ରଖିଥାଆନ୍ତି।

ମହିଳା ଜଣକ କହିଛନ୍ତି ଯେ ସେ କେବଳ ନିଜ ପିଲାକୁ ଅର୍ଥର ମୂଲ୍ୟ ଏବଂ ଦାୟିତ୍ୱ ବିଷୟରେ ବୁଝାଇବା ପାଇଁ ଏପରି କରିଥାଆନ୍ତି। ତାଙ୍କ କହିବା ହେଲା, ଏହି ଅନନ୍ୟ ପରୀକ୍ଷଣର ଫଳାଫଳକୁ ନେଇ ସେ ବହୁତ ଖୁସି, କାରଣ ତାଙ୍କ ପୁଅ ଟଙ୍କାର ମୂଲ୍ୟ ଦେବାକୁ ଶିଖୁଛି। ଏହିପରି, ତାକୁ ଭବିଷ୍ୟତ ଜୀବନରେ ଟଙ୍କାକୁ ନେଇ କୌଣସି ଚାପର ସମ୍ମୁଖୀନ ହେବାକୁ ପଡିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.