ଏହି ମନ୍ଦିରରେ ପୂଜା ପାଆନ୍ତି ମୂଷା, ଜାଣନ୍ତୁ ଏହା ପଛର ରହସ୍ୟ

ହିନ୍ଦୁ ଶାସ୍ତ୍ରରେ ମୂଷାକୁ ଭଗବାନ ଗଣେଶଙ୍କ ବାହନ ବୋଲି ବିଶ୍ୱାସ କରାଯାଇଥାଏ । କିନ୍ତୁ ଘରେ ମୂଷା ଦେଖିଲେ ଆମେ ଚିନ୍ତାରେ ପଡିଯାଉ । କାରଣ ପୋଷାକ ଓ ଦ୍ରବ୍ୟକୁ ନଷ୍ଟ କରୁଥିବା ଯୋଗୁ ଆମେ ଏମାନଙ୍କୁ ଘରେ ରହିବାକୁ ଦେଇ ନ ଥାଉ । ଏମାନଙ୍କୁ ବିଷ ଦେଇ ମାରିବାକୁ ଚେଷ୍ଟା ମଧ୍ୟ କରିଥାଉ । କିନ୍ତୁ ଭାରତରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ମୂଷାଙ୍କୁ ନ ମାରି ସୁରକ୍ଷିତ ଭାବେ ପୂଜା କରାଯାଇଥାଏ । କେବଳ ପୂଜା କରାଯାଏନାହିଁ ବରଂ ମୂଷାମାନଙ୍କୁ ଖାଇବାକୁ ବିଭିନ୍ନ ଶସ୍ୟ ଏବଂ ଭୋଗ ଓ ପିଇବା ପାଇଁ କ୍ଷୀର ମଧ୍ୟ ଦିଆଯାଇଥାଏ ।
ରାଜସ୍ଥାନରେ ରହିଛି ଏହି ବିଚିତ୍ର ମନ୍ଦିର । ବିକାନେର ଜିଲ୍ଲା ଅନ୍ତର୍ଗତ କରଣି ମାତାଙ୍କ ମନ୍ଦିରରେ ମୂଷାମାନଙ୍କୁ ପୂଜା କରାଯାଇଥାଏ । ଜଣାଯାଇଛି ଯେ ବର୍ତ୍ତମାନ ଏହି ମନ୍ଦିରରେ ରହିଛନ୍ତି ୨୦ ହଜାରରୁ ଅଧିକ ମୂଷା । ହେଲେ ଏହି ମୂଷାଗୁଡିକ କେବେବି ମନ୍ଦିର ପରିଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ କିଛି ବି କ୍ଷତି ପହଞ୍ଚାଇ ନ ଥାନ୍ତି । ସବୁଠାରୁ ବଡ଼ କଥା ହେଉଛି ମନ୍ଦିରରେ ଏତେ ସଂଖ୍ୟାରେ ମୂଷା ରହିଥିଲେ ମଧ୍ୟ ସେମାନଙ୍କ ଯୋଗୁଁ କୌଣସି ଦୁର୍ଗନ୍ଧ ହୁଏନାହିଁ । ଏଠାରେ ଲାଗୁଥିବା ପ୍ରସାଦକୁ ପ୍ରଥମେ ମୂଷାମାନଙ୍କୁ ଖାଇବାକୁ ଦିଆଯାଇଥାଏ, ମୂଷାମାନେ ଖାଇସାରିବା ପରେ ସେହି ପ୍ରସାଦକୁ ଲୋକେ ଖାଇଥାନ୍ତି । ମୂଷା ମାନଙ୍କ ଅଇଁଠା ଖାଇବା ପରେ ମଧ୍ୟ ଆଜିପର୍ଯ୍ୟନ୍ତ କୌଣସି ଭକ୍ତଙ୍କର ସ୍ଵାସ୍ଥ୍ୟ ଗତ ସମସ୍ୟା ଦେଖାଯାଇନାହିଁ ।
ଏହି ବିଚିତ୍ର ମନ୍ଦିର ଆରାଧ୍ୟ ଦେବୀ ହେଉଛନ୍ତି ‘ମା କରଣି’ । ଲୋକମାନେ ମା କରଣିଙ୍କୁ ଜଗଦମ୍ବାଙ୍କ ଅବତାର ମନେ କରିଥାନ୍ତି । ଲୋକକଥା ଅନୁସାରେ, ୧୩୮୭ ମସିହାରେ ମା କରଣିଙ୍କ ଜନ୍ମ ହୋଇଥିଲା । ମାଆଙ୍କ ପିଲାଦିନର ନାଁ ଥିଲା ରିଘୁ ବାଇ । ବଡ଼ ହେବା ପରେ ରିଘୁ ବାଇଙ୍କର ସଂସାର ପ୍ରତି ବିତୃଷ୍ନା ଆସିଥିଲା । ସେ ଏକ ଗୁମ୍ଫାରେ ତପସ୍ୟା କରିବାକୁ ଲାଗିଲେ । ଆଜି ଯେଉଁଠି ଏହି ଭବ୍ୟ ମନ୍ଦିର ପ୍ରତିଷ୍ଠା ହୋଇଛି, ଏଠାରେ ଥିଲା ସେହି ଗୁମ୍ଫା । କୁହାଯାଏ କି ମାଆ କରଣିଙ୍କର ଗୋଟିଏ ପୁଅ ପାଣିରେ ବୁଡ଼ି ପ୍ରାଣ ହରାଇଥିଲେ । ଏହାପରେ କରଣି ମାଆ ଯମ ରାଜାଙ୍କୁ ପୁଅର ଜୀବନ ଫେରାଇ ଦେବାକୁ ନିବେଦନ କରିଥିଲେ । ମୃତ୍ୟୁବରଣ କରିଥିବା ପୁଅକୁ ପୁନର୍ଜୀବନ ଦେବା ସମ୍ଭବ ନୁହେଁ ବୋଲି କହିଥିଲେ ଯମ ରାଜା । କିନ୍ତୁ ଯମରାଜା ମୂଷା ରୂପରେ ତାଙ୍କ ପୁଅକୁ ଫେରାଇ ଦେଇଥିଲେ ବୋଲି ଲୋକେ ବିଶ୍ୱାସ କରନ୍ତି । ମନ୍ଦିରରେ ଥିବା ମୂଷାମାନେ ହେଉଛନ୍ତି କରଣି ମାତାଙ୍କ ସନ୍ତାନ। ଏହି ବିଶ୍ୱାସରେ ଏଠାରେ ମୂଷାମାନଙ୍କର ପୂଜା କରିଥାନ୍ତି ସ୍ଥାନୀୟ ଲୋକେ ।