ପ୍ରାଚୀନ ମିଶରରୁ ମିଳିଲା ୨୫୦୦ ବର୍ଷ ପୁରୁଣା ୧୦ କୁମ୍ଭୀରଙ୍କ ମମି! ପ୍ରଜନନ ଦେବତାଙ୍କୁ ଖୁସି କରିବା ପାଇଁ ଭୋଗ ଚଢ଼ାଉଥିଲେ ଲୋକେ

ମିଶରରେ ପ୍ରବାହିତ ନୀଳ ନଦୀର ପଶ୍ଚିମରେ ଅବସ୍ଥିତ ଏକ କବରସ୍ଥଳୀରୁ ୧୦ କୁମ୍ଭୀରଙ୍କ ମମି ମିଳିଛି। ଏହି କବର ନାମ ‘କୁବ୍ଦତ ଅଲ୍‌-ହଓ୍ଵା’। କୁମ୍ଭୀରମାନଙ୍କର ଏହି ମମି ପ୍ରାୟ ୨୫୦୦ ବର୍ଷ ପୁରୁଣା ବୋଲି କୁହାଯାଉଛି। ପ୍ରାଚୀନ ମିଶରରେ ପ୍ରଜନନ ଦେବତା ସୋବେକଙ୍କୁ ଖୁସି କରିବା ପାଇଁ ଲୋକେ କୁମ୍ଭୀରଙ୍କୁ ଭୋଗ ଚଢ଼ାଉଥିଲେ।

କାହିଁକି ନା, ମିଶରର ପୌରାଣିକ କାହାଣୀ ମୁତାବକ, ସୋବେକ ଏମିତି ଜଣେ ଦେବତା ଥିଲେ, ଯାହାଙ୍କ ମୁଣ୍ଡ କୁମ୍ଭୀର ପରି ଏବଂ ଶରୀର ମଣିଷ ପରି ଥିଲା। ଏବେ ଯେଉଁ ମମି ମିଳିଛି, ସେଗୁଡ଼ିକ ୧୦ ବୟସ୍କ କୁମ୍ଭୀରଙ୍କର ବୋଲି ଜଣାପଡ଼ିଛି। ବିଶ୍ୱାସ କରାଯାଉଛି କି, ଏହି କୁମ୍ଭୀରମାନେ ଦୁଇ ଭିନ୍ନ ପ୍ରଜାତିର। ଏ ବିଷୟରେ ନିକଟରେ ଜର୍ନାଲ ‘PLoS ONE’ରେ ଏକ ରିପୋର୍ଟ ପ୍ରକାଶ ପାଇଛି।

ପ୍ରାଚୀନ ମିଶର ସଭ୍ୟତାରେ କୁମ୍ଭୀରମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ଏମାନଙ୍କୁ ସେଠାକାର ଭଗବାନଙ୍କ ସହିତ ଯୋଡ଼ା ଯାଇଥାଏ। ଏଥି ସହିତ କୁମ୍ଭୀରକୁ ଖାଦ୍ୟ ରୂପେ ମଧ୍ୟ ଗ୍ରହଣ କରାଯାଏ। କୁମ୍ଭୀର ଶରୀରର ଭିନ୍ନ ଭିନ୍ନ ଅଙ୍ଗକୁ ଭିନ୍ନ ଭିନ୍ନ ଉପାୟରେ ବ୍ୟବହାର କରାଯାଏ। ଯେପରି କି, କୁମ୍ଭୀର ଚର୍ବିରୁ ଔଷଧ ତିଆରି କରାଯାଉଥିଲା, ଆଉ ଏହି ଔଷଧ ଶରୀରର ଯନ୍ତ୍ରଣା, ଷ୍ଟିଫ୍‌ନେସ୍‌ ଏବଂ ଚନ୍ଦାପଣ ଚିକିତ୍ସାରେ ବ୍ୟବହୃତ ହେଉଥିଲା।

ଏହା ପୂର୍ବରୁ ମିଶରରେ ଇବିସେସ୍‌, ବିଲେଇ ଏବଂ ମାଙ୍କଡ଼ମାନଙ୍କର ମମି ମଧ୍ୟ ମିଳି ସାରିଛି। ୨୦୧୮ରେ ବି କୁମ୍ଭୀରର ମମି ମିଳିଥିଲା, କିନ୍ତୁ ସେଗୁଡ଼ିକ ଛୋଟ କୁମ୍ଭୀରଙ୍କର ଥିଲା। ପ୍ରଥମ ଥର ଅଧିକ ସଂଖ୍ୟାରେ ବୟସ୍କ କୁମ୍ଭୀରମାନଙ୍କର ମମିର ସନ୍ଧାନ ମିଳିବା ପରେ ବୈଜ୍ଞାନିକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେମାନେ ମମିର ଦାନ୍ତ, ହାଡ଼ ଏବଂ ପ୍ରାଚୀନ ମଳ ସମେତ ଶରୀରର ବିଭିନ୍ନ ଭାଗକୁ ଯାଞ୍ଚ କରିଛନ୍ତି।

ମମିଗୁଡ଼ିକୁ ଲେନିନ୍‌ କପଡ଼ାରେ ଶୁଆଯାଇଥିଲା, ଯାହାକୁ ପୋକ ଖାଇ ନଷ୍ଟ କରି ଦେଇଥିବା ଦେଖିବାକୁ ମିଳିଛି। ଏବେ ବୈଜ୍ଞାନିକମାନେ ଏହି କୁମ୍ଭୀରମାନଙ୍କୁ ଅଧ୍ୟୟନ କରିବା ପାଇଁ ସିଟି ସ୍କାନ ଏବଂ ଏକ୍ସ-ରେର ସାହାରା ନେବେ। ଏହି କୁମ୍ଭୀରମାନେ କ୍ରୋକୋଡାଇଲ୍ସ ସଚସ୍‌ ଏବଂ କ୍ରୋକୋଡାଇଲ୍ସ ନିଲୋଟିକସ୍‌ ପ୍ରଜାତିର ବୋଲି ଅନୁମାନ କରାଯାଉଛି।