ସ୍ପେଶାଲ

ହତ୍ୟା ମାମଲାରେ ୧୨ ବର୍ଷ ଜେଲ କାଟି ଫେରିବା ପରେ, ଆଜି ସେ ଜଣେ ସଫଳ ଚାଷୀ

ସୁନ୍ଦରଗଡ(କେନ୍ୟୁଜ୍): ଏହି ପରିବର୍ତ୍ତନଶୀଳ ଦୁନିଆରେ ସବୁକିଛି ସମ୍ଭବ। ଦିନେ ଅବାଟକୁ ଚାଲିଯାଇଥିବା ମଣିଷଟିଏ ଅନୁତାପର ବହ୍ନିରେ ଜଳିବା ସହ ଫେରିଛି ବାଟକୁ । ମଥାରେ ଲାଗିଥିବା କଳଙ୍କକୁ ପୋଛି ସ୍ଵାଭିମାନର ସହ ବଂଚିବାକୁ ହୋଇଛି ଦୃଢମନା । ସୁନ୍ଦରଗଡ ଜିଲ୍ଲା ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ବିରକାଲଡିହି ଖେରିଆକାନି ଗ୍ରାମର ବିନୋଦ ଏକ୍କା । ଯିଏ ଗତ ୨୦୦୭ ମସିହା ଜୁନ ମାସ ୧୨ ତାରିଖରେ କିଂଜିରକେଲା ଥାନା ମଶିଣାନାଲା ନିକଟରେ ଘଟିଥିବା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ।

କେବଳ ବିନୋଦ ନୁହଁନ୍ତି ବିନୋଦଙ୍କ ସମେତ ୬ଜଣଙ୍କୁ ପୋଲିସ କାର୍ତ୍ତିକ ମହାକୁଡ ହତ୍ୟା ମାମଲାରେ ଗିରଫ କରି କୋର୍ଟଚାଲାଣ କରିଥିଲା । ଆଉ ୨୦୧୦ ମସିହାରେ ଜିଲ୍ଲା ଦୌରାଜଜ ଏହି ମାମଲାର ବିଚାର କରି ଅନ୍ୟମାନଙ୍କୁ ଖଲାସ ଆଦେଶ ଦେଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ବିନୋଦ ଏକ୍କାକୁ ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ । ତେବେ ବିନୋଦର ସ୍ଵଭାବ,ବ୍ୟବହାରକୁ ଦେଖି ଜେଲ କର୍ତ୍ତୃପକ୍ଷ ୧୨ ବର୍ଷ ସଜ୍ଜା କାଟିବା ପରେ ବିନୋଦକୁ ୨୦୧୯ ମସିହାରେ ମୁକୁଳାଇଥିଲେ ।

ଜେଲରୁ ମୁକୁଳିବା ପରେ ଭାଙ୍ଗିପଡିନଥିଲେ ବିନୋଦ। ନିଜର ୨ପୁଅ,ଝିଅ ଏବଂ ସ୍ତ୍ରୀ ମୁହଁରେ ପୁଣି ଥରେ ହସଫୁଟାଇବାକୁ ଆରମ୍ଭ କରିଥିଲେ ଉଦ୍ୟମ । ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗ ସହ ଯୋଗାଯୋଗ କରି ଋଣ ନେଇ ଆରମ୍ଭ କରିଥିଲେ କୁକୁଡା,ଛେଳି ସହ ମାଛ ଚାଷ। ଏବେ ବେଶ ଦୁଇ ପଇସା ରୋଜଗାର କରି ନିଜ ପରିବାର ପ୍ରତିପୋଷଣ କରୁଥିବା ବେଳେ ଏସବୁ କାମରେ ସହଯୋଗ କରନ୍ତି ବିନୋଦଙ୍କ ସ୍ତ୍ରୀ ଜୟନ୍ତୀ । ତେବେ ଦୀର୍ଘ ୧୨ବର୍ଷ ଧରି ଦୋଷୀ ନଥାଇ ମଧ୍ୟ ମତେ ଦୋଷୀ ସଜାଇଦିଆଗଲା ବୋଲି ବିନୋଦ କହିବା ସହ ବହୁ ଦୁଃଖରେ ଏହି ସମୟ କଟିଥିବା କଥା କହିଛନ୍ତି ।

ବିନୋଦ ଓ ଜୟନ୍ତ୍ରୀଙ୍କ ୨ ପୁଅ ଓ ଗୋଟିଏ ଝିଅ। ବଡପୁଅ ରାଜକୁମାର ଓ ସାନ ପୁଅ ରୋହିତ ଦୁହେଁ ଭୁବନେଶ୍ୱର ସ୍ଥିତ ଏକ କିସରେ ପାଠ ପଢିଛନ୍ତି । ବର୍ତ୍ତମାନ ବଡ ପୁଅ ରାଜକୁମାର କିସରେ ପିଜି ପାଠ ପଢିବା ସହ ଭଲ ହକି ଖେଳୁଛନ୍ତି । ଦେଶର ବିଭିନ୍ନ ସ୍ଥାନରେ ହକି ଖେଳି ନିଜର ପ୍ରତିଭା ଦେଖାଉଛନ୍ତି । ଆଉ ସାନ ପୁଅ ଆଇଟିଆଇ ପାଠ ପଢି ଏବେ ଏକ କମ୍ପାନୀରେ କାମ କରୁଥିବାବେଳେ, ଝିଅ ଯୁକ୍ତ ୨ରେ ପାଠ ପଢୁଛନ୍ତି ।

ତେବେ ବିନୋଦ ଜେଲ ଯିବା ସମୟରେ ପିଲା ମାନେ ଛୋଟ ଥିଲେ । ତେବେ ଅନେକ ଦୁଃଖ ଦୁର୍ଦ୍ଦଶାରେ ପିଲାମାନଙ୍କୁ ପାଠ ପଢାଇ ବଡ କରିଥିବା କଥା କହିଛନ୍ତି ବିନୋଦଙ୍କ ସ୍ତ୍ରୀ । ତେବେ ଜେଲରୁ ଫେରିବା ପରେ ମଧ୍ୟ ଗ୍ରାମବାସୀ ମାନେ କେହି ବିନୋଦଙ୍କୁ ଖରାପ ବ୍ୟବହାର ଦେଖାଉନାହାନ୍ତି, ବରଂ ସେ କରିଥିବା କୁକୁଡା ଫାର୍ମରୁ କୁକୁଡା କିଣୁଛନ୍ତି । ଯାହା ତାଙ୍କୁ ରୋଜଗାର ଯୋଗାଇଛି । ମାସିକ ୨୦ ରୁ ୩୦ ହଜାର ରୋଜଗାର କରିବା ସହ ବେଶ ଖୁସିରେ ଚଳୁଛି ବିନୋଦଙ୍କ ପରିବାର । ଅନ୍ୟପଟେ ଜେଲ ଯିବା ସମୟରେ ଠିକ ଭାବରେ ନିଜ ବାପାକୁ ଚିହ୍ନି ନଥିବା ଝିଅ ଏବେ ବାପାକୁ ପାଖରେ ପାଇ ବହୁତ ଖୁସି ।

ଦୀର୍ଘ ୧୨ ବର୍ଷ ଜେଲ କାଟିବା ପରେ ବି ଭାଙ୍ଗିନପଡି ଯେଭଳି ଭାବରେ ବିନୋଦ ନିଜ ପିଲାଙ୍କ ପାଇଁ ବାପା ଓ ସ୍ତ୍ରୀ ପାଇଁ ସ୍ଵାମୀର ଧର୍ମ ପାଳନ କରି ବର୍ତ୍ତମାନ ଏହି ଅଂଚଳରେ ଜଣେ ସଫଳ ଚାଷୀ ହୋଇପାରିଛନ୍ତି, ତାହା ନିଶ୍ଚିତ ଭାବରେ ଅନେକଙ୍କୁ ପ୍ରେରଣା ଯୋଗାଇବ ।

Sonalisa

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ କିପରି କଟିବ ଆପଣଙ୍କ ଦିନ

ମେଷ: ଆଜି ଆପଣଙ୍କ ମନୋବଳ ଦୃଢ଼ ହେବ । ଯେଉଁମାନେ ରାଜନୀତିରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ପ୍ରଭାବ ଚାରିଆଡେ ବ୍ୟାପିବ।…

59 mins ago

ମା’ ଝିଅକୁ ବିଲ ମଝିରେ ହତ୍ୟା କଲା ନାବାଳକ

ଭଦ୍ରକ( କେନ୍ୟୁଜ୍‌): ବିଲ ମଝିରେ ପଡ଼ି ରହିଛି ମୃତଦେହ । ରୁଣ୍ଡ ହୋଇଛନ୍ତି ଲୋକେ । ଆଉ ସ୍ତ୍ରୀର ଶବ…

4 hours ago

ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର

ପୁରୀ(କେନ୍ୟୁଜ୍‌): ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ବିଷୟରେ…

5 hours ago

ଖୋଲିଲା ଭଦ୍ରକ ଜିଲ୍ଲା ବସ୍ ସିଣ୍ଡିକେଟ

ଭଦ୍ରକ (କେନ୍ୟୁଜ୍‌): ଦୀର୍ଘ ବର୍ଷ ପରେ ଖୋଲିଲା ଭଦ୍ରକ ଜିଲ୍ଲା ବସ ସିଣ୍ଡିକେଟ । ପ୍ରଶାସନିକ ଅଧିକାରୀ ଓ ପୋଲିସ…

5 hours ago

ନନ୍ଦନକାନନ ବୁଲି ସମସ୍ୟା ବୁଝିଲେ ନୂଆ ମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନନ୍ଦନକାନନ ବୁଲିଲେ ନୂଆ ମନ୍ତ୍ରୀ । ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ…

6 hours ago

ନବୀନ ହେଲେ ବିରୋଧୀ ଦଳ ନେତା, ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର(କେନ୍ୟୁଜ୍‌): ନବୀନ ପଟ୍ଟନାୟକ ହେଲେ ବିଧାନସଭାରେ ବିରୋଧୀ ଦଳ ନେତା । ଶଙ୍ଖ ଭବନରେ ବସିଥିବା ବିଧାୟକ ଦଳ ବୈଠକରେ…

7 hours ago