ପାକିସ୍ତାନରେ ଥିବା ଏହି ଶକ୍ତିପୀଠର ସୁରକ୍ଷା କରିଥାନ୍ତି ମୁସଲମାନ ସମ୍ପ୍ରଦାୟ

ସାଧାରଣତଃ ଭାରତର ଶତ୍ରୁ ରାଷ୍ଟ୍ର ପାକିସ୍ତାନରେ ହିନ୍ଦୁ ମନ୍ଦିର ମାନଙ୍କୁ ଭଙ୍ଗା ଯାଉଥିବା ଖବର ସାମ୍ନାକୁ ଆସିଥାଏ । କିନ୍ତୁ ପାକିସ୍ତାନ ସ୍ଥିତ ଵେଲୁଚିସ୍ଥାନରେ ଏପରି ଏକ ମନ୍ଦିର ଅଛି ଯାହାର ରକ୍ଷା ସେଠାକାର ମୁସଲମାନ ସମ୍ପ୍ରଦାୟ କରିଥାନ୍ତି ।ଏଠାରେ ଦେବୀ ହିଙ୍ଗଲାଜ ଙ୍କ ରୂପେ ପୂଜା ପାଉଛନ୍ତି । ମା’ଙ୍କ ଠାରେ ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ଆସ୍ଥା ରଖିଥାନ୍ତି ।

୫୧ ଶକ୍ତି ପୀଠ ମାନଙ୍କ ମଧ୍ୟରୁ ଅନ୍ୟତମ:

ପୁରାଣ ଅନୁଯାୟୀ ଯେତେବେଳେ ନିଜ ପତିଙ୍କ ଅପମାନକୁ ସହ୍ୟ କରି ନପାରି ସତୀ ଆତ୍ମଦାହ କରିଥିଲେ । ସେହି ସମୟରେ ନିଜ ପତ୍ନୀଙ୍କ ବିରହକୁ ସହ୍ୟ କରି ନପାରି ଭଗବାନ ଶିବ ତାଙ୍କ ପତ୍ନୀଙ୍କ ଜଳନ୍ତା ଶରୀରକୁ ଧରି ସାରା ବ୍ରହ୍ମାଣ୍ଡ ଘୁରି ବୁଲୁଥିଲେ । ଏହା ପରେ ବିଷ୍ଣ, ଶିବଙ୍କ ମୋହକୁ ଭଙ୍ଗ କରିବା ପାଇଁ ନିଜର ସୁଦର୍ଶନ ଚକ୍ରରେ ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରିଦେଇଥିଲେ । ଫଳରେ ତାଙ୍କ ଶରୀରର ଖଣ୍ଡ ସବୁ ପୃଥିବୀର ଏଣେ ତେଣେ ବିଛୁଡି ହୋଇ ପଡିଥିଲା । ଏହି ଖଣ୍ଡ ଗୁଡିକ ପୃଥିବୀର ଯେଉଁ ଯେଉଁ ଠାରେ ପଡିଥିଲା ସେଗୁଡିକୁ ଶକ୍ତି ପୀଠ ନାମରେ ନାମିତ କରାଯାଇଥିଲା । ମା’ ହିଙ୍ଗରାଜଙ୍କ ଏହି ମନ୍ଦିର ବଲୁଚିସ୍ଥାନ ସ୍ଥିତ ମକରାନ ନିକଟସ୍ଥ ଏକ ପାହାଡିଆ ସ୍ଥାନରେ ଅଛି ।

ଖତ୍ରି ସମ୍ପ୍ରଦାୟର ଠାକୁରାଣୀ:

ଏହି ମନ୍ଦିରଟି ପ୍ରାକୃତିକ ଗୁମ୍ଫା ଭିତରେ ଅବସ୍ଥିତ । ମନ୍ଦିର ମଧ୍ୟରେ ଥିବା ଏକ ମାଟିର ବେଦି ଉପରେ ଦେବୀଙ୍କର ପ୍ରାକୃତିକ ମୂର୍ତ୍ତି ଏକ ଶିଳା ରୂପରେ ପୂଜିତ ହେଉଛନ୍ତି । ଦୁର୍ଗମ ରାସ୍ତା ଓ ଖରାପ ସଡକ ଯୋଗୁଁ ଏହି ମନ୍ଦିରକୁ ଯିବାରେ ବେଶ ଅସୁବିଧା ହୁଏ । କୁହାଯାଏ ହିଙ୍ଗରାଜ ମା’ ଖତ୍ରି(ହିନ୍ଦୁ) ସମ୍ପ୍ରଦାୟର କୁଳ ଦେବୀ ରୂପେ ପୂଜା ପାଉଛନ୍ତି । ସର୍ବେକ୍ଷଣରୁ ଜଣା ଯାଇଛି ଯେ ଭାରତରେ ଏହି ସମ୍ପ୍ରଦାୟର ପ୍ରାୟ ୧.୫ ଲକ୍ଷ ଲୋକ ବସବାସ କରନ୍ତି ।

ଏହା ସହ ପଢନ୍ତୁ: ଏଠାରେ ୮୦ ବର୍ଷୀୟା ମହିଳା ଦିଶନ୍ତି ୩୦ ବର୍ଷର ଯୁବତୀ!

ପ୍ରତିବର୍ଷ ହଜାର ହଜାର ଉଭୟ ହିନ୍ଦୁ ଓ ମୁସଲମାନ ଶ୍ରଦ୍ଧାଳୁ ଏହିଠାକୁ ମା’ ଙ୍କ ଦର୍ଶନ କରିବାକୁ ଆସିଥାନ୍ତି । କିନ୍ତୁ ଏହି ବର୍ଷ ଅଗଷ୍ଟ ମାସରେ ଭାରତ ସରକାରଙ୍କ ଦ୍ୱାରା ଧାରା ୩୭୦ ର ଉଚ୍ଛେଦ ପରେ ପାକିସ୍ତାନ ସରକାର ଥର ଏକ୍ସପ୍ରେସକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି । ଏଥିପାଇଁ ବହୁ ଭାରତୀୟ ଶ୍ରଦ୍ଧାଳୁ ପାକିସ୍ତାନ ଅଭିମୁଖେ ଯାଇ ପାରୁନାହାନ୍ତି । ଏଣୁ ଏବର୍ଷ ଏଠାକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ବହୁ ମାତ୍ରାରେ କମି ଯାଇଛି । ଏହି ଟ୍ରେନଟି ଭାରତ ପାକିସ୍ତାନ ଯାତ୍ରାର ଅନ୍ୟତମ ପ୍ରମୁଖ ମାଧ୍ୟମ ଭାବେ ଜଣା ଯାଇଥାଏ । ଶାରଦୀୟ ନବରାତ୍ର ସମୟରେ ମଧ୍ୟ ଏହି ଏକ୍ସପ୍ରେସ ଦ୍ୱାରା ହିଁ ଶ୍ରଦ୍ଧାଳୁ ମାନେ ବହୁ ମାତ୍ରାରେ ଯିବା ଆସିବା କରିଥାନ୍ତି । ଆଉ କୁହାଯାଏ କି ଏହି ଗୁମ୍ଫା ଭିତରେ ୩ଟି ଜ୍ୱାଳାମୁଖି ଅଛି । ଯାହାକୁ ଲୋକେ ଶିବ, ଗଣେଶ ଓ ପାର୍ବତୀଙ୍କ ସ୍ୱରୂପ ରୂପେ ପୂଜା କରିଥାନ୍ତି ।

ବିବି ନାନୀ ଭାବେ ପୂଜିତ ହୁଅନ୍ତି ମା’:

ଏହି ମନ୍ଦିର ଉପରେ ସ୍ଥାନୀୟ ବଳୁଚ ଓ ସିନ୍ଧ ସମ୍ପ୍ରଦାୟ ଲୋକଙ୍କର ଅତୁଟ ବିଶ୍ୱାସ ରହିଅଛି । ଲୋକେ ଏହି ମନ୍ଦିରକୁ ନାନୀଙ୍କ ମନ୍ଦିର ଭାବେ ମଧ୍ୟ ଜାଣିଥାନ୍ତି । ଦେବୀଙ୍କୁ ଏଠାରେ ‘ବିବି ନାନୀ’ ରୂପେ ପୂଜା କରାଯାଇଥାଏ । ସ୍ଥାନୀୟ ମୁସଲମାନ ସମ୍ପ୍ରଦାୟ ଏହାକୁ ‘ନାନୀ ଙ୍କ ହଜ’ ନାମରେ ଶ୍ରଦ୍ଧା କରିଥାନ୍ତି । ଏହା ମଧ୍ୟ କୁହାଯାଇଥାଏ କି ଏହି ପବିତ୍ର ସ୍ଥାନକୁ ଭଗବାନ ଶ୍ରୀରାମ, ପ୍ରଭୁ ପର୍ଶୁରାମଙ୍କ ପିତା ଯମଦଗ୍ନି, ଗୁରୁ ଗୋରଖ ନାଥ ଓ ଗୁରୁ ନାନକ ମଧ୍ୟ ଯାଇସାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.