ଏହି ମନ୍ଦିରରେ ରହିଛି ଏକ ଏଭଳି ପଥର, ଯାହାକୁ କୌଣସି ବି ଭକ୍ତ ଉଠାଇପାରିନଥାନ୍ତି, ଜାଣନ୍ତୁ ଏହି ସ୍ଥାନର ମାହାତ୍ମ୍ୟ
କେନ୍ଦ୍ରପଡା ଜିଲ୍ଲା ଆଳିର ଆରାଧ୍ୟ ଦେବତା ପ୍ରଭୁ ଲକ୍ଷ୍ମୀବରାହ। କିଛି ଦିନ ପୂର୍ବରୁ କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଛି ପ୍ରଭୁଙ୍କ ଜନ୍ମ ଉତ୍ସବ। ଆଉ ଏହି ଉତ୍ସବରେ ସାମିଲ ହୋଇଥିଲେ ଦୂରଦୂରାନ୍ତରୁ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁ। ଭଜନ କୀର୍ତ୍ତନ ଓ ହରିହାଟରେ କମ୍ପି ଉଠିଥିଲା ସାରା ପରିବେଶ।
ବରାହ ଦ୍ୱାଦଶୀର ଶୁଭ ଅବସରରେ କେନ୍ଦ୍ରାପଡା ଜିଲ୍ଲା ଆଳିରେ ପ୍ରଭୁ ଲକ୍ଷ୍ମୀବରାହଙ୍କର ବାର୍ଷିକ ଉତ୍ସବ ପାଳନ କରାଯାଇଥାଏ। ପ୍ରଭୁ କେବଳ ଆଳି ନୁହେଁ ବରଂ ରାଜ କନିକା ଓ ପଟ୍ଟାମୁଣ୍ଡାଇର ମଧ୍ୟ ଆରାଧ୍ୟ ଦେବତା। ଏହି ଅବସରରେ ଅନେକ ମାନସିକଧାରୀ ଏଠାରେ ଆସି ଯୋଗ ଦେଇ ଭଗବାନଙ୍କ ଆଶିର୍ବାଦ ଗ୍ରହଣ କରନ୍ତି। ବିଶ୍ୱାସ ରହିଛି ଯେ ଏଠାରେ ପ୍ରତ୍ୟେକ ଭକ୍ତଙ୍କ ମାନସିକ ପୂରଣ ହୋଇଥାଏ। ତେବେ ବରାହ ଦ୍ୱାଦଶୀର ପୁଣ୍ୟ ତିଥିରେ ଭକ୍ତିମୟ ପରିବେଶ ମଧ୍ୟରେ ଏଠାରେ ପ୍ରଭୁଙ୍କର ଜନ୍ମ ଉତ୍ସବ ପାଳନ କରାଯାଇଥିଲା।
ମାନ୍ୟତା ରହିଛି ଯେ ଏହି ମନ୍ଦିରରେ ଏକ ପଥର ରହିଛି ଯାହାକୁ ଉଠାଇବା ସମସ୍ତଙ୍କ ପାଇଁ ଅସମ୍ଭବ । ମାନେ ଭଗବାନଙ୍କ ଏହି ପଥରକୁ କେହି ବି ଉଠାଇପାରିନଥାନ୍ତି। କେବଳ ସେମାନେ ହିଁ ଉଠାଇ ପାରନ୍ତି ବୋଲି ବିଶ୍ୱାସ ରହିଛି ଯେଉଁମାନଙ୍କ ମନରେ ଗର୍ବ ଅହଂକାର ନଥାଏ।
ଆଳିକୁ ବରାହ କ୍ଷେତ୍ର ରୂପେ ଜଣାଯାଏ। ତେଣୁ ଲକ୍ଷ୍ମୀବରାହଙ୍କ ଜନ୍ମ ଦିବସକୁ ମଧ୍ୟ ଏଠାରେ ଖୁବ ଧୂମଧାମରେ ପାଳନ କରାଯାଏ। ମନ୍ଦିର ପାର୍ଶ୍ୱରେ ଜଗନ୍ନାଥ, ବାମନ, ଶିବ ଓ ସଙ୍କଟମୋଚନ ପାର୍ଶ୍ୱଦେବତା ଆକାରରେ ପୂଜା ପାଉଥିବା ବେଳେ ଏଠାରେ ପ୍ରତ୍ୟେକ ପର୍ବକୁ ବଡ଼ ଆଡମ୍ବରରେ ପାଳନ କରାଯାଏ। ତେବେ ମନ୍ଦିରର ପରମ୍ପରା ଅନୁଯାୟୀ ଏଠାରେ ପ୍ରତିଦିନ ୫ ଅବକାଶ ଓ ତିନି ଦୀପ ଲାଗି କରାଯାଇଥାଏ।
କୁହାଯାଏ ଯେ ପ୍ରଭୁ ଯାଜପୁରରୁ ଆସି ଏଠାରେ ପ୍ରତିଷ୍ଠା ହୋଇଥିଲେ। ଆଉ ଏହି ପୀଠକୁ ନେଇ ମଧ୍ୟ ରହିଛି ପ୍ରାଚୀନ କିମ୍ବଦନ୍ତୀ। ୧୫୬୭ ମସିହାରେ ଓଡ଼ିଶାର ଗଜପତି ରାଜା ମୁକୁନ୍ଦଦେବଙ୍କ ଜ୍ୟେଷ୍ଠପୁତ୍ର ରାଜା ରାମଚନ୍ଦ୍ର ଦେବ ପ୍ରଥମ ଦେବ ବଂଶ ରାଜା ଭାବେ ରାଜତନ୍ତ୍ର ପ୍ରତିଷ୍ଠା କରିଥିଲେ। ଥରେ ଆଳିର ରାଜା ନୀଳକଣ୍ଠ ଦେ ଯାଜପୁରର ବିରଜା କ୍ଷେତ୍ରକୁ ପରିଭ୍ରମଣ କରିବାକୁ ଯାଇଥିଲେ। ପ୍ରଭୁଙ୍କ ଦର୍ଶନ ବିନା ସେ କିଛି ଖାଦ୍ୟ ଗ୍ରହଣ କରିନଥାନ୍ତି। ତେଣୁ ସେ ପ୍ରତିଦିନ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଯାଜପୁରକୁୁ ଯାଇଥାନ୍ତି। ପରେ ଭଗବାନଙ୍କ ସ୍ୱପ୍ନାଦେଶ ପରେ ରାଜା ଯାଜପୁରରୁ ଭଗବାନଙ୍କୁ ଆଣି ଆଳିରେ ପ୍ରତିଷ୍ଠା କରିଥିଲେ। ତେବେ ଏଠାରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖି ମନ୍ଦିରର ସର୍ବାଙ୍ଗୀନ ଉନ୍ନତି ପାଇଁ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି କରାଯାଇଛି।