ଜାଣନ୍ତୁ ବାବା କେଦାରନାଥଙ୍କ ମହିମା: କେମିତି ଯିବେ କେଦାରନାଥ ଓ କେମିତି ଦର୍ଶନ କରିବେ

ପୃଥିବୀର ସ୍ବର୍ଗ କେଉଁଠି, ଆପଣ ଜାଣିଛନ୍ତି କି ଦର୍ଶକ ବନ୍ଧୁ ? ଆମେ ଆଜି ସେଇ ସ୍ବର୍ଗ ବିଷୟରେ ଆପଣଙ୍କୁ କହିବୁ। ଆଉ ସେହି ସ୍ବର୍ଗ ହେଉଛି କେଦାରନାଥ। ଯେଉଁଠି ବାସ କରୁଛନ୍ତି ସ୍ଵୟଂ ପ୍ରଭୁ ଶିବ ଶଙ୍କର। ଉତ୍ତରାଖଣ୍ଡ ହିମାଳୟର ପାଦ ଦେଶରେ ଅବସ୍ଥିତ ପ୍ରଭୁଙ୍କର ଏହି ମନ୍ଦିର। ସାରା ବିଶ୍ବରେ ଏହା ଏମିତି ଏକ ମନ୍ଦିର ଯାହାକି ବର୍ଷରେ ୬ ମାସ ବନ୍ଦ ରହେ ଓ ଅନ୍ୟ ୬ ମାସ ଖୋଲା ହୁଏ ଭକ୍ତଙ୍କ ଦର୍ଶନ ପାଇଁ। ଏହି ସ୍ୱର୍ଗକୁ ଯିବା ପାଇଁ ପ୍ରତିବର୍ଷ ଅପେକ୍ଷା କରି ରୁହନ୍ତି କୋଟି କୋଟି ଭକ୍ତ।

kedarnath
Picture credit – wiki

କେଦାରନାଥ ମନ୍ଦିର ପ୍ରତି ବର୍ଷ ମେ ମାସରେ ଖୋଲା ଯାଏ, ତେଣୁ ମେ ଓ ଜୁନ ଏହାପରେ ସେପ୍ଟେମ୍ବର ଓ ଅକ୍ଟୋବର ମାସ ହିଁ ଠିକ୍ ସମୟ ଥାଏ କେଦାରନାଥ ମନ୍ଦିର ସହିତ ଅନ୍ୟ ୩ ଧାମ ଯାତ୍ରା ପାଇଁ। ଅନ୍ୟ ସମୟରେ ଅଧିକ ବର୍ଷା ଓ ଶୀତ ପାଇଁ ଏହି ସ୍ଥାନରେ ପ୍ରଭୁଙ୍କ ଦର୍ଶନ କରିବା ସମ୍ଭବ ହୁଏନାହିଁ । ପ୍ରଭୁ କେଦାରନାଥଙ୍କୁ ନେଇ ଅନେକ ଲୋକବାଣୀ ରହିଛି। ଚାରି ଧାମ ମଧ୍ୟରୁ ଏହି ଧାମକୁ ସ୍ବର୍ଗ ବୋଲି କୁହାଯାଏ। ପ୍ରତ୍ୟେକ ଭକ୍ତ ଏହି ଧାମକୁ ଆସିବାକୁ ଚାହାଁନ୍ତି। କୁହାଯାଏ ଯିଏ ବି ଥରେ ଏହି ଧାମକୁ ଆସିଛି ସେ ତା ଜୀବନରେ ସବୁ କିଛି ପାଇଛି। ତେବେ ପାଣ୍ଡବମାନେ ହିଁ ମନ୍ଦିରକୁ ତିଆରି କରିଥିଲେ। ପରେ ଏହାକୁ ପୁନର୍ବାର ତିଆରି କରିଥିଲେ ସନ୍ଥ ଆଦି ଗୁରୁ ଶଙ୍କରାଚାର୍ଯ୍ୟ।

ଲୋକ କଥା ଅନୁଯାୟୀ ପାଣ୍ଡବମାନେ ନିଜ ଭାଇ କୌରବଙ୍କୁ ଯୁଦ୍ଧରେ ହତ୍ୟା କରିଥିବାରୁ, ପାପ ମୁକ୍ତ ହେବାକୁ ଚାହୁଁଥିଲେ ସେଥି ପାଇଁ ସେମାନେ ପ୍ରଭୁ ଶିବ ଶଙ୍କରଙ୍କ ପାଖକୁ ଯାଇଥିଲେ। କିନ୍ତୁ ପ୍ରଭୁ ତାଙ୍କୁ ଏତେ ସହଜରେ ଦେଖା ଦେଇ ନଥିଲେ। ପାଣ୍ଡବମାନେ ହିମାଳୟର କେଦାର ଖଣ୍ଡ ନାମକ ସ୍ଥାନରେ ପହଞ୍ଚିବା ବେଳେ ଶିବ ଶଙ୍କର ନନ୍ଦୀ ରୂପରେ ଆସି ଲୁଚିବାକୁ ଯାଉଥିଲେ କିନ୍ତୁ ଭୀମ ତାଙ୍କୁ ଧରି ନେଇଥିଲେ। ତେଣୁ ପ୍ରଭୁ ଶିବ ଶଙ୍କର ନିଜ ରୂପରେ ଆସି ପାଣ୍ତବଙ୍କୁ ଦର୍ଶନ ଦେଇ ପାପ ମୁକ୍ତି ପାଇଁ ବରଦାନ କରିଥିଲେ। ସେହି ସମୟରେ ହିଁ ପାଣ୍ତବ ତିଆରି କରିଥିଲେ ପ୍ରଭୁ କେଦାରନାଥଙ୍କ ମନ୍ଦିର।

ପୁଣି ବାୟୁ ପୁରାଣ ଅନୁଯାୟୀ ଆଉ ଗୋଟିଏ କିମ୍ବଦନ୍ତୀ ରହିଛି । ଭଗବାନ୍ ବିଷ୍ଣୁ ନାରାୟଣଙ୍କ ରୂପ ନେଇ ବଦ୍ରିନାଥରେ ପହଞ୍ଚିଥିଲେ, ଯେଉଁଠି ରହୁଥିଲେ ପ୍ରଭୁ ଶିବ ଶଙ୍କର। କିନ୍ତୁ ବିଷ୍ଣୁଙ୍କ କହିବା ପରେ ପ୍ରଭୁ ଶିବ ଆସିଥିଲେ କେଦାର ନାଥ। ଏହା ପରଠାରୁ ହିଁ ସେ ସେହି ସ୍ଥାନରେ ପୂଜା ପାଉଛନ୍ତି। କୁହାଯାଏ ବାବା କେଦାରନାଥଙ୍କ ମହିମା ଅପାର। ଯଦି କାହାର ଡୋରି ନ ଲାଗେ ତେବେ ଏହି ସ୍ଥାନକୁ ଆସିବା ସମ୍ଭବ ନୁହେଁ। ସେଥି ପାଇଁ ତ ଏହାକୁ ସ୍ବର୍ଗ କୁହାଯାଏ। ଏହି ସ୍ଥାନ ପ୍ରାକୃତିକ ପରିବେଶରେ ମଧ୍ୟ ଖୁବ୍ ସୁନ୍ଦର। ମନ୍ଦିର ଚାରିପାର୍ଶ୍ଵରେ ରହିଛି ବରଫରେ ଆଚ୍ଛାଦିତ ହିମାଳୟ। ଭୈରବ ମନ୍ଦିର ସହିତ ଆଦି ଗୁରୁ ଶଙ୍କରାଚାର୍ଯ୍ୟ ଓ ରୁଦ୍ର ଯୋଗ ଗୃହ, ଗୌରୀ କୁଣ୍ଡ ମଧ୍ୟ ରହିଛି ଏଠଇଠାରେ।

୨୦୧୩ ମସିହାରେ ହୋଇଥିବା ପ୍ରଳୟ ସମୟରେ ମଧ୍ୟ ମନ୍ଦିରର କୌଣସି କ୍ଷତି ହୋଇନଥିଲା। ଯାହାକୁ ରକ୍ଷା କରିଥିଲା ଏକ ବିଶାଳ ପଥର। ଯାହାକୁ ପ୍ରଭୁଙ୍କ ଚମତ୍କାର ବୋଲି ସମସ୍ତେ ବିଶ୍ୱାସ କରନ୍ତି। ଆଜି ସେହି ପଥର ମଧ୍ୟ ପୂଜା ପାଉଛି ମନ୍ଦିର ନିକଟରେ। ତେବେ ଆପଣ ମଧ୍ୟ ଏହି ପବିତ୍ର ଦେବ ସ୍ଥାନକୁ ଯାଇ ପାରିବେ। ଯାହା ପାଇଁ ଆପଣଙ୍କୁ ଏହାର ଅଫିସିଆଲ୍ୱେ ବସାଇଟରେ ରେଜିଷ୍ଟ୍ରେସନ୍ କରିବାକୁ ପଡ଼ିବ। ମନ୍ଦିର ଯିବା ସମୟରେ ପ୍ରାକୃତିକ ପରିବେଶ ଆପଣଙ୍କ ମନକୁ ଛୁଇଁ ଯିବ। ଏହି ସ୍ଥାନକୁ ଯିବା ଏତେ ସହଜ ମଧ୍ୟ ନୁହେଁ। ତେଣୁ ଯିବା ପୂର୍ବରୁ ହିଁ ଆପଣଙ୍କୁ ସମସ୍ତ ପ୍ରକାର ପ୍ଲାନ୍ କରିବାକୁ ପଡ଼ିବ।

ପ୍ରଥମେ ଭଲ ଭାବେ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନେବେ। ତା ପରେ କେଦାରନାଥ ମନ୍ଦିରକୁ ପହଞ୍ଚିବା ପାଇଁ ଆପଣଙ୍କୁ କେଉଁଥିରେ ସୁବିଧା ହେବ ସେକଥା ସ୍ଥିର କରିବେ। କାରଣ ପାହାଡ଼ ଉପରେ ଥିବା ଏହି ମନ୍ଦିରକୁ ଯିବା ପାଇଁ କେବଳ ୪ଟି ବାଟ ରହିଛି । ଆପଣ ଚାଲି ଚାଲି ଯାଇ ପାରିବେ କିମ୍ବା ଘୋଡ଼ା ଅଥବା ସବାରିରେ ଯିବେ। ଅବଶ୍ୟ ସବୁଠାରୁ ସହଜ ଉପାୟ ହେଲା ହେଲିକପ୍ଟର । ଏଥିରେ ଖୁବ୍‌ କମ୍‌ ସମୟ ଲାଗିବ ମନ୍ଦିର ନିକଟରେ ପହଞ୍ଚିବା ପାଇଁ । ହେଲେ ହେଲିକପ୍ଟରରେ ଯିବା ପାଇଁ ଆପଣଙ୍କୁ ଆଗରୁ ଅନ୍‌ଲାଇନ୍‌ ବୁକିଂ କରିବାକୁ ପଡ଼ିବ।

ଭଗବାନ୍ ଶିବ ଶଙ୍କର ବିଭିନ୍ନ ଉପାୟରେ ନିଜ ଭକ୍ତଙ୍କ ପରୀକ୍ଷା ନେଇଥାନ୍ତି। ସେଥିପାଇଁ ଭକ୍ତି ଭାବନା ସହ ଏହି ମନ୍ଦିର ଦର୍ଶନ ନିମନ୍ତେ ଯିବାକୁ ଆଶା କଲେ ନିଶ୍ଚିତ ପ୍ରଭୁ ଆପଣଙ୍କ ଡୋରି ଲଗାଇବେ । କୁହାଯାଏ ଏହି ସ୍ଥାନକୁ ଯିଏ ଭକ୍ତି ମନରେ ଆସେ ପ୍ରଭୁ ଭୋଳା ଶଙ୍କର ତାର ସବୁ ଇଚ୍ଛା ପୂର୍ଣ୍ଣ କରିବା ସହ ଭକ୍ତକୁ ମୋକ୍ଷ ପ୍ରାପ୍ତିର ମାର୍ଗ ଦର୍ଶନ କରାନ୍ତି। ପୁଣି ଚାରି ଧାମରୁ ବାବା କେଦାର ନାଥ ଧାମକୁ ବଡ଼ ଧାମ ବୋଲି କୁହାଯାଏ। ଗତ ଦୁଇ ବର୍ଷ ଧରି କରୋନା ଯୋଗୁଁ ଭକ୍ତଙ୍କ ଦର୍ଶନ ବନ୍ଦ ରହିଥିଲା । ତେଣୁ ଏ ବର୍ଷ ଭକ୍ତଙ୍କର ପ୍ରବଳ ଭିଡ଼ ଲାଗିଛି ପ୍ରଭୁଙ୍କ ଦର୍ଶନ ପାଇଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.