ହଜାର ହଜାର ଶିବଲିଙ୍ଗରେ ଭରା ଏହି ନଦୀ କୂଳ, ଦର୍ଶନ କଲେ ପୂର୍ଣ୍ଣ ହୁଏ ମନସ୍କାମନା

ପୃଥିବୀରେ ଏମିତି ଅନେକ ସ୍ଥାନ ଅଛି ଯାହା ରହସ୍ୟରେ ଭରା । ଏହି ରହସ୍ୟକୁ ବୁଝିବା ବହୁତ କଷ୍ଟକର । ଭାରତରେ ମଧ୍ୟ ଏପରି ସ୍ଥାନଗୁଡ଼ିକର ଅଭାବ ନାହିଁ । ଏଭଳି ଅନନ୍ୟ ସ୍ଥାନ ଅଲୌକିକ ଘଟଣାରେ ଭରପୁର । କର୍ଣ୍ଣାଟକରେ ମଧ୍ୟ ଏଭଳି ଏକ ସ୍ଥାନ ଅଛି, ଯେଉଁଠାରେ ହଜାର ହଜାର ଶିବଲିଙ୍ଗ ରହିଛି । ଶିବ ଲିଙ୍ଗରେ ଭର୍ତ୍ତି ନଦୀ କୂଳ । ଆଶ୍ଚର୍ଯ୍ୟଜନକ ଭାବେ ଏହି ସ୍ଥାନରେ ହଜାର ହଜାର ଶିବ ଲିଙ୍ଗ ଅବସ୍ଥିତ । ଯାହା ଭକ୍ତମାନଙ୍କ ପାଇଁ କୌଣସି ରହସ୍ୟଠାରୁ କମ୍ ନୁହେଁ ।

ଏହି ପବିତ୍ର ସ୍ଥଳକୁ ଶହଶ୍ରଲିଙ୍ଗ କୁହାଯାଏ, ଯାହାକି କର୍ଣ୍ଣାଟକର ସିରସି ଠାରୁ ୧୪ କିଲୋମିଟର ଦୂରରେ ଅବସ୍ଥିତ । ଶଲମାଲା ନଦୀ କୂଳରେ ହଜାରରୁ ଅଧିକ ପ୍ରାଚୀନ ଶିବଲିଙ୍ଗ ରହିଛି । ସେହିପରି ପଥରରେ ଖୋଦିତ ନନ୍ଦୀ ମୂର୍ତ୍ତି ରହିଥିବା ଆପଣମାନେ ଦେଖିପାରିବେ।

କୁହାଯାଏ ଯେ ନଦୀ କୂଳରେ ଥିବା ଏହି ଶିବଲିଙ୍ଗ ଏବଂ ପ୍ରତିମୂର୍ତ୍ତିକୁ ବିଜୟନଗର ସାମ୍ରାଜ୍ୟର ରାଜା ଶଦାଶିବ ରାୟ ବର୍ମା ୧୬୭୮ ରୁ ୧୭୧୮ ମଧ୍ୟରେ ନିର୍ମାଣ କରିଥିଲେ। ପ୍ରତିବର୍ଷ ମହାଶିବରାତ୍ରୀରେ ଏଠାରେ ଏକ ମେଳା ଆୟୋଜନ କରାଯାଏ, ଯେଉଁଥିରେ ବହୁ ସଂଖ୍ୟାରେ ଲୋକ ଏଠାକୁ ଆସନ୍ତି ।

ଏଠାରେ ଉପସ୍ଥିତ ଥିବା ଶିବଲିଙ୍ଗ ଏବଂ ପଥର ଉପରେ ନିର୍ମିତ ନନ୍ଦୀ ମୂର୍ତ୍ତି ବର୍ଷା ଦିନରେ ନଦୀ ଜଳରେ ବୁଡ଼ି ରହିଥାଏ । କିନ୍ତୁ ଜଳ ସ୍ତର ହ୍ରାସ ପାଇବା ମାତ୍ରେ ହଜାର ହଜାର ଶିବଲିଙ୍ଗ ଦୃଶ୍ୟମାନ ହୁଏ । ଏହି ଦୃଶ୍ୟ ସତରେ ଆଶ୍ଚର୍ଯ୍ୟଜନକ ।

ସମାନ ଭାବେ କାମ୍ବୋଡିଆର ଏକ ନଦୀରେ ଏଭଳି ହଜାର ହଜାର ଲିଙ୍ଗ ଥିବା ଦେଖିବାକୁ ମିଳେ । ୧୯୬୯ ମସିହାରେ ଜିନ୍ ବୋଲବେଟଙ୍କ ଦ୍ୱାରା ଏହି ସ୍ଥାନ ଆବିଷ୍କୃତ ହୋଇଥିଲା । ବିଶ୍ବାସ କରାଯାଏ ଯେ ଏଠାରେ ଶିବଲିଙ୍ଗର ନିର୍ମାଣ, ରାଜା ସୂର୍ଯ୍ୟବର୍ମନ ପ୍ରଥମଙ୍କ ସମୟରେ ଆରମ୍ଭ ହୋଇଥିଲା ଏବଂ ରାଜା ଉଦୟାଦିତ୍ୟ ବର୍ମନଙ୍କ ସମୟରେ ଏହା ସମ୍ପୂର୍ଣ୍ଣ ହୋଇଥିଲା । ଏକାଦଶ ଏବଂ ଦ୍ୱାଦଶ ଶତାବ୍ଦୀରେ ଏହି ରାଜାମାନେ କାମ୍ବୋଡିଆରେ ଶାସନ କରିଥିଲେ ।

କର୍ଣ୍ଣାଟକର ଏହି ସ୍ଥାନରେ ହଜାର ହଜାର ଶିବଲିଙ୍ଗ ଥିବାରୁ ଦର୍ଶନ ପାଇଁ ଲୋକଙ୍କ ସୁଅ ଛୁଟେ । ମନରେ ଅନେକ ମନସ୍କାମନା ନେଇ ଭକ୍ତମାନେ ଏଠାକୁ ଆସନ୍ତି । ଶିବ ଲିଙ୍ଗରେ ପାଣି ଢାଳିଲେ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ଲୋକଙ୍କ ମନରେ ବିଶ୍ବାସ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like