କେଉଁ ପିସ୍ତଲରେ ନାଥୁରାମ ଗଡ଼ସେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିଲେ ଜାଣନ୍ତୁ…
୧୯୪୮ ମସିହା ଜାନୁଆରୀ ୩୦ ତାରିଖ । ପ୍ରାର୍ଥନା ସଭାରେ ଟଳି ପଡ଼ିଲେ ଜାତିର ପିତା ମହାତ୍ମା ଗାନ୍ଧୀ । ନାଥୁରାମ ଗଡ଼ସେଙ୍କ ଗୁଳିରେ ଜୀବନ ଚାଲି ଯାଇଥିଲା । ନାଥୁରାମ ଗଡ଼ସେଙ୍କୁ ଏହି ଏମ୍ ୧୯୩୪ ବେରେଟା ପିସ୍ତଲ ମିଳିଲା କେମିତି । ଯାହା ସିରିୟଲ ନମ୍ବର ଥିଲା ୬୦୬୮୨୪ ।

୧୯୪୮ ମସିହା ଜାନୁଆରୀ ୩୦ ତାରିଖ । ପ୍ରାର୍ଥନା ସଭାରେ ଟଳି ପଡ଼ିଲେ ଜାତିର ପିତା ମହାତ୍ମା ଗାନ୍ଧୀ । ନାଥୁରାମ ଗଡ଼ସେଙ୍କ ଗୁଳିରେ ଜୀବନ ଚାଲି ଯାଇଥିଲା । ଦେଶକୁ ସ୍ୱାଧୀନତା ଆଣି ଦେଇଥିବା ବାପୁଙ୍କର । ପଏଣ୍ଟ ବ୍ଲାଙ୍କରୁ ଗାନ୍ଧୀଜୀଙ୍କୁ ଗୁଳି କରିଥିଲେ ନାଥୁରାମ । ତିନିଟି ଗୁଳି ବାଜିଥିଲା ବାପୁଙ୍କ ଦେହରେ । ଆଉ ସେଇଠି ହିଁ ଘଟିଥିଲା ତାଙ୍କର ଦେହାନ୍ତ ।
ସମୟ ଥିଲା ଅପରାହ୍ନ ୫ଟା । ସବୁ ଦିନ ପରି ଲୋକେ ରୁଣ୍ଡ ହୋଇଥିଲେ ଦିଲ୍ଲୀ ବିରଲା ହାଉସରେ । କାରଣ ପ୍ରାର୍ଥନା ସଭାରେ ଯୋଗ ଦେବେ ଗାନ୍ଧିଜୀ । କିଛି ସାମ୍ବାଦିକ ମଧ୍ୟ ଅପେକ୍ଷା କରିଥିଲେ ତାଙ୍କୁ ଭେଟିବା ପାଇଁ । ଠିକ୍ ୫ଟା ୧୨ ମିନିଟରେ ବାପୁ ପ୍ରାର୍ଥନା ସଭା ସ୍ଥଳରେ ପହଞ୍ଚିଲେ । ଠିକ୍ ସେତିକି ବେଳେ ଜଣେ ଖାକି ପୋଷାକ ପିନ୍ଧିଥିବା ଯୁବକ ବାପୁଙ୍କ ସାମନାକୁ ଚାଲି ଆସିଲା । ସେତେବେଳ ବାପୁଙ୍କୁ ସାହାରା ଦେଉଥିବା ମନୁ ବେନ୍ ତାଙ୍କୁ ପଛକୁ ଚାଲିଯିବା ପାଇଁ କହୁଥିଲେ । ହେଲେ ଯୁବକ ଜଣକ ତାଙ୍କୁ ଠେଲି ଦେଇ ବନ୍ଧୁକ ବାହାର କରିଥିଲେ ଆଉ ଅତି ପାଖରୁ ବାପୁଙ୍କ ଉପରକୁ ଗୋଟିଏ ପରେ ଗୋଟିଏ ୩ଟି ଗୁଳି ଚଳାଇଥିଲେ । ଲହୁ ଲୁହାଣ ହୋଇ ସେଇଠି ଟଳି ପଡ଼ିଲେ ଜାତିର ପିତା । କେହି କିଛି ବୁଝିବା ପୂର୍ବରୁ ଦେଶକୁ ନୂଆ ଜୀବନ ଦେଇଥିବା ମହାତ୍ମା ଗାନ୍ଧୀଙ୍କ ଶରୀରରେ ଆଉ ପ୍ରାଣ ନଥିଲା ।
ତେବେ ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ଼ସେ ଯେଉଁ ପିସ୍ତଲରୁ ଗୁଳି ଚଳାଇଥିଲେ ତାହା ମଧ୍ୟ ଇତିହାସ ହୋଇ ରହିଗଲା । ଏହା ଥିଲା ବେରେଟା ପିସ୍ତଲ । ସେତେବେଳେ ଭାରତରେ ଏଭଳି ପିସ୍ତଲ ଅତି ବିରଳ ଥିଲା । ୭ଟି ଚାମ୍ବର ବାଲା ସେମି ଅଟୋମେଟିକ ପିସ୍ତଲ ଥିଲା ଏମ୍ ୧୯୩୪ ବେରେଟା । ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଇଟାଲୀ ସମେତ କେତେକ ଦେଶ ଏହି ପିସ୍ତଲକୁ ବ୍ୟବହାର କରୁଥିଲେ । ଏହାର ଲକ୍ଷ୍ୟଭେଦ କରିବାର ଶକ୍ତି ଅଧିକ ଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଇଟାଲୀ ପ୍ରାୟ ୧୦ ଲକ୍ଷ ଏମ୍ ୧୯୩୪ ବେରେଟା ପିସ୍ତଲ ବିଭିନ୍ନ ଦେଶକୁ ବିକ୍ରି କରିଥିଲା ।
ଏବେ ଆସନ୍ତୁ ଜାଣିବା ନାଥୁରାମ ଗଡ଼ସେଙ୍କୁ ଏହି ଏମ୍ ୧୯୩୪ ବେରେଟା ପିସ୍ତଲ ମିଳିଲା କେମିତି । ଯାହା ସିରିୟଲ ନମ୍ବର ଥିଲା ୬୦୬୮୨୪ । ଅବଶ୍ୟ ଏହି ପିସ୍ତଲ ବିଦେଶରୁ ଭାରତ କେମିତି ଆସିଲା ତାର କିଛି ସ୍ପଷ୍ଟ ମତ ନାହିଁ । ତେବେ ଐତିହାସିକଙ୍କ ମତରେ ଗଡ଼ସେ ପ୍ରଥମେ ଦିଲ୍ଲୀରେ ଥିବା କିଛି ଶରଣାର୍ଥୀ ଶିବରକୁ ଯାଇ ବନ୍ଧୁକ ଖୋଜିଥିଲେ । ହେଲେ ପାଇଲେ ନାହିଁ । ପରେ ଦିଲ୍ଲୀରୁ ୧୯୪ ମାଇଲ ଦୂର ଗ୍ଵାଲିୟରକୁ ଯାଇଥିଲେ । ତାଙ୍କ ସହ ଥିଲେ ନାରାୟଣ ଆପତେ । ଗାନ୍ଧୀଙ୍କୁ ହତ୍ୟା କରିବାର ତିନି ଦିନ ପୂର୍ବରୁ ଅର୍ଥାତ୍ ୧୯୪୮ ଜାନୁଆରୀ ୨୭ ତାରିଖ ଦିନ ହିନ୍ଦୁ ସଂଗଠନ ସହ ସଂପୃକ୍ତ ଦତ୍ତାତ୍ରେୟ ସଦାଶିବ ପରଚୁରେ ନାମକ ବ୍ୟକ୍ତିଙ୍କ ଠାରୁ ଏହି ପିସ୍ତଲ ହାସଲ କରିଥିଲେ । ଆଣିବା ପୂର୍ବରୁ ଏହାକୁ ପରୀକ୍ଷା କରିଥିଲେ ଏବଂ ଠିକ୍ ଥିବା କଥା ଅନୁଭବ କରିବା ପରେ ଏଥଇରେ ୭ଟି ଗୁଳି ଭର୍ତ୍ତି କରିଥିଲେ । ଏହା ପରେ ଜାନୁଆରୀ ୨୮ ତାରିଖ ରାତିରେ ସେ ଦିଲ୍ଲୀ ଅଭିମୁଖେ ଯାତ୍ରା କରି ୨୯ ତାରିଖରେ ଦିଲ୍ଲୀ ଷ୍ଟେସନରେ ପହଞ୍ଚିଥିଲେ । ଆଉ ଜାନୁଆରୀ ୩୦ ତାରିଖରେ ନାଟକୀୟ ଭାବେ ହତ୍ୟା କରିଥିଲେ ମହାତ୍ମା ଗାନ୍ଧୀଙ୍କୁ । କୁହାଯାଏ କି ଏହି ପିସ୍ତଲ କିଣିବା ପାଇଁ ଗଡ଼ସେ ୫୦୦ ଟଙ୍କା ଦେବାର ଥିଲା । ଏହାକୁ ଆଣିଲା ବେଳେ ସେ ୩୦୦ ଟଙ୍କା ଦେଇଥିଲେ ଏବଂ ପରେ ବାକି ୨୦୦ ଟଙ୍କା ଦେବାର ଥିଲା । ବାପୁଙ୍କୁ ହତ୍ୟା କରିବା ପରେ ଗଡ଼ସେ କିନ୍ତୁ ସେଠାରୁ ଖସି ଯିବାକୁ ଚେଷ୍ଟା କରି ନଥିଲେ ।