ବଣାଇ (କେ ନ୍ୟୁଜ): କଥାରେ ଅଛି ମନୋବଳ ଥିଲେ ସବୁ ସମ୍ଭବ। ଚାକିରିରୁ ଅବସର ପରେ ପେନସନ ପାଇ ଘରେ ବସି ଅତି ଆନନ୍ଦରେ ଜୀବନ ବିତାଇଥାନ୍ତେ । କିନ୍ତୁ ଏପରି କଲେ ନାହିଁ। ଦିନ ରାତି ପରିଶ୍ରମ କରି ଚାଷ କାମରେ ବ୍ୟବହାର କରିବା ପାଇଁ ଏକ ଯନ୍ତ୍ରପାତି ନିର୍ମାଣ କଲେ । ସେହି ଯନ୍ତ୍ରପାତିଟି ଚାଷ କାର୍ଯ୍ୟରେ ଗୋଟେ କିମ୍ବା ଦୁଇଟି ନୁହେଁ ବରଂ ୯ଟି କାମ କରିବାରେ ସକ୍ଷମ। ଏପରି ଏକ ଯନ୍ତ୍ରପାତି ନିର୍ମାଣ କରି ଗାଁ ଲୋକଙ୍କୁ ସାହାଯ୍ୟ କରି ପ୍ରଶଂସା ସାଉଁଟୁଛନ୍ତି ସୁନ୍ଦରଗଡ ଜିଲ୍ଲା ବଣାଇ ତଳିତା ଗ୍ରାମର ଗୁରୁଚରଣ ପ୍ରଧାନ।
ବଣାଇର ତଳିତା ଗ୍ରାମରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗୁରୁଚରଣ ପ୍ରଧାନଙ୍କ ଘର। ପ୍ରଧାନଶିକ୍ଷକ ପଦରୁ ଅବସର ଗ୍ରହଣ କଲାପରେ ଘରେ ବସି ସୁଖଦୁଃଖରେ ଚଳିବା କଥା। କିନ୍ତୁ ସେ ଏପରି କରିପାରିଲେ ନାହିଁ। ନିଜର ବୁଦ୍ଧି ବଳରେ ଦିନ ରାତି ପରିଶ୍ରମ କରି ନିର୍ମାଣ କଲେ ଏକ ନବରତ୍ନ ମେସିନ। ଏହି ମେସିନ୍ ଚାଷ ପାଇଁ ୯ଟି କାର୍ଯ୍ୟରେ ବ୍ୟବହାର କରାଯାଇପାରିବ ବୋଲି ଏହାର ନାମ ଦେଲେ ନବରତ୍ନ। ଏହି ଯନ୍ତ୍ର ସାହାଯ୍ୟରେ ଧାନ ଉଡାଇବା ଠାରୁ ଆରମ୍ଭ କରି, ଧାନ ଛଡାଇବା, ବାଦାମ ଛଡାଇବା, ନଡିଆ କୋରେଇବା, ମକା ଛଡେଇବା, ନଡା କାଟିବା, ଢିଙ୍କି କୁଟିବା ଶେଷରେ ବିଦ୍ୟୁତ୍ ବାହାରିବା କାମ ମଧ୍ୟ କରିଥାଏ। ଏହାକୁ ଚଲାଇବା ପାଇଁ ଆପଣଙ୍କୁ ମାତ୍ର ଅଳ୍ପ ବଳ ନଷ୍ଟ କରିବାକୁ ପଡିଥାଏ। ଧର୍ମପତ୍ନୀ ମୀରାବତୀ ପ୍ରଧାନଙ୍କ ସହ ମିଶି ଏହି ମେସିନଙ୍କୁ ତିଆରି କରିବାରେ ସଫଳ ହୋଇଛନ୍ତି। ଗୁରୁଚରଣଙ୍କ ଏହି ମେସିନ ଯୋଗୁଁ ଗ୍ରାମବାସୀଙ୍କ ଅନେକ ସମସ୍ୟା ସମାଧାନ ହୋଇଯାଇପାରିଛି।
ଯେଉଁପାଇଁ ଗ୍ରାମବାସୀ ତାଙ୍କୁ ଧନ୍ୟବାଦ ଜଣାଇବା ସହ ପ୍ରଶଂସା ମଧ୍ୟ କରୁଛନ୍ତି। ଗୁରୁଚରଣ ଏହି ନବରତ୍ନ ମେସିନ ପାଇଁ ରାଜ୍ୟ ଠାରୁ ଆରମ୍ଭ କରି ଜାତୀୟ ସ୍ତରରେ ପୁରସ୍କୃତ ହୋଇପାରିଛନ୍ତି।