କେବଳ ବିଜୁ ପଟ୍ଟନାୟକ ନୁହଁନ୍ତି ନବୀନଙ୍କ ଜେଜେବାପାଙ୍କର ବି ରହିଛି ରାଜ୍ୟ ପାଇଁ ବହୁତ ବଡ ଅବଦାନ୍‌

ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ପିତା ବିଜୟାନନ୍ଦ ବା ବିଜୁ ପଟ୍ଟନାୟକଙ୍କୁ ସମସ୍ତେ ଜାଣନ୍ତି । ବିଜୁ ବାବୁଙ୍କ ସାହାସିକତା ଓ ଓଡିଶା ପାଇଁ ଅବଦାନ ସବୁଠି ଚର୍ଚ୍ଚା ହୁଏ । କିନ୍ତୁ ବିଜୁ ପଟ୍ଟନାୟକଙ୍କ ପିତା ଲକ୍ଷ୍ମୀ ନାରାୟଣ ପଟ୍ଟନାୟକଙ୍କ ବିଷୟରେ କୌଣସି ପୁସ୍ତକରେ କିଛି ସୂଚନା ପ୍ରାୟତଃ ମିଳେ ନାହିଁ । କିନ୍ତୁ ଆଜି ଆମେ ଆପଣଙ୍କୁ ଲକ୍ଷ୍ମୀନାରାୟଣ ପଟ୍ଟନାୟକଙ୍କ ବିଷୟରେ କିଛି ଅଜ୍ଞାତ ତଥ୍ୟ ଜଣାଇବୁ ।

ନବୀନ ପଟ୍ଟନାୟକଙ୍କ ଜେଜେ ବାପା ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ୧୮୭୫ ମସିହା ଜୁଲାଇ ୧ ତାରିଖରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାରୁ ୨ କିଲୋମିଟର ଦୂରରେ ଥିବା ନୁଆଗାଁରେ ଜନ୍ମଗ୍ରହଣ କରିଥିଲେ । ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟ ଗଠନରେ ଥିଲା ତାଙ୍କର ସ୍ୱତନ୍ତ୍ର ଭୂମିକା । ଲକ୍ଷ୍ମୀ ନାରାୟଣଙ୍କ ପିତା ଜଗନ୍ନାଥ ପଟ୍ଟନାୟକ ବ୍ରିଟିଶ ଶାସନ ସମୟରେ ଜଣେ ଇଞ୍ଜିନିୟର ହୋଇଥିବାବେଳେ ତାଙ୍କ ପିତା ଦଳିତବନ୍ଧୁ ପଟ୍ଟନାୟକ ଗଞ୍ଜାମ ପାଇଁ ହାଇଦ୍ରାବାଦ ସେନାର ନିଜାମ ଦାୟିତ୍ୱରେ ଥିଲେ । ପଟ୍ଟନାୟକ ପରିବାର ଆରମ୍ଭରୁ ବ୍ରିଟିଶ ସରକାର ସହିତ ଜଡିତ ଥିଲେ । ବିଜୁବାବୁଙ୍କ ପିତା ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ବାପା ଜଗନ୍ନାଥ ପଟ୍ଟନାୟକର ୧୧ଜଣ ପୁତ୍ରଙ୍କ ମଧ୍ୟରେ ପଞ୍ଚମ ପୁତ୍ର ଥିଲେ । ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କର ସେ ଦେୱାନ ଭାବେ କାର୍ଯ୍ୟ କରୁଥିଲେ ।

ଲକ୍ଷ୍ମୀ ନାରାୟଣ ଭଞ୍ଜନଗରରେ ତାଙ୍କର ପ୍ରାଥମିକ ଶିକ୍ଷା ସମାପ୍ତ କରିଥିଲେ । ଏହାପରେ ଖଲିକୋଟ କଲେଜରୁ ଇଣ୍ଟର ମେଡିଏଟ ଶିକ୍ଷା ଗ୍ରହଣ କରିଥିଲେ । ୧୮୯୬ ମସିହାରେ ମାଡ୍ରାସ କଲେଜରୁ ବି.ଏ, ୧୯୦୪ ମସିହାରେ ସେହି ବିଶ୍ୱବିଦ୍ୟାଳୟରୁ ବି.ଏଲ. ଶିକ୍ଷା ସମାପ୍ତ କରିଥିଲେ । ଏହାପରେ ବିଚାରପତି ଭାବରେ ବଙ୍ଗଳା-ଓଡିଶା ସରକାରଙ୍କ ନ୍ୟାୟ ବିଭାଗରେ ସେ ଯୋଗ ଦେଇଥିଲେ । ୧୯୩୦ ମସିହାରେ ସେ ପୁରୀର ସବଜଜ୍ ପଦବୀରୁ ଅବସର ନେଇଥିଲେ । ତାଙ୍କର ସେବା ପାଇଁ ତାଙ୍କୁ ବ୍ରିଟିଶ ସାମ୍ରାଜ୍ୟର ସଦସ୍ୟ ବା ଏମବିଇ ପ୍ରଦାନ କରାଯାଇଥିଲା ।

ଅବସର ପରେ ସେ ପାରଳା ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଡେଲାଙ୍ଗ ଜମିଦାରଙ୍କ ଦେୱାନ ଭାବରେ ନିଯୁକ୍ତ ହୋଇଥିଲେ । ୧୯୩୧ ମସିହାରେ, ପାରଳାଖେମୁଣ୍ଡିର ମହାରାଜା ଏକ ଅଲଗା ଓଡିଶା ସୃଷ୍ଟି କରିବାକୁ ଲଣ୍ଡନରେ ଅନୁଷ୍ଠିତ ରାଉଣ୍ଡ ଟେବୁଲ୍ ସମ୍ମିଳନୀରେ ଯୋଗ ଦେଇଥିଲେ । ସେହି ସମୟରେ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଏବଂ ଏସ୍.ଏନ୍ ରାଜଗୁରୁ ମହାରାଜଙ୍କ ପାଇଁ ରାଉଣ୍ଡ ଟେବୁଲ୍ ଡକ୍ୟୁମେଣ୍ଟ୍ ପ୍ରସ୍ତୁତ କରିଥିଲେ । ୧୯୩୮ ମସିହା ମାର୍ଚ୍ଚ ୨୫ ରୁ ୩୧ ପର୍ଯ୍ୟନ୍ତ ମହାତ୍ମା ଗାନ୍ଧୀ ଓଡିଶା ଗସ୍ତରେ ଥିଲେ । ସେତେବେଳେ ମହାତ୍ମା ଗାନ୍ଧୀ ପାରଳା ରାଜାଙ୍କ ଡେଲାଙ୍ଗ ଅଂଚଳାଧିନ ନିକଟ ବାରବୋଚରେ ରହୁଥିଲେ। ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଗାନ୍ଧିଜୀଙ୍କ ରହଣି ପାଇଁ ସେତେବେଳେ ସମସ୍ତ ବ୍ୟବସ୍ଥା କରିଥିଲେ ।

ତେବେ ସେଠାରୁ ଅବସର ନେବା ପରେ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଉତ୍କଳ କେମିକାଲ୍ସ, ଉତ୍କଳ ବ୍ୟାଙ୍କ, ଓଡିଆ ସାହିତ୍ୟ ପ୍ରଚାର ସମିତି ଇତ୍ୟାଦି ପ୍ରତିଷ୍ଠା କରିଥିଲେ । ସେ ମଧ୍ୟ ଅର୍ଥଡ଼କ୍ସ ସ୍କୁଲ, କୁଷ୍ଠରୋଗ ଆଶ୍ରମ, ଲାଇବ୍ରେରୀ ଇତ୍ୟାଦି ପ୍ରତିଷ୍ଠା କରିଥିଲେ । ଏକ ସମୟରେ ସେ ଉତ୍କଳ ସମ୍ମିଳନୀର ସମର୍ଥକ, ଓଡ଼ିଆ ସାହିତ୍ୟର ମହାନ ସଂଗଠକ, ଜଣେ ଭଲ ରାଜନେତା ତଥା ସ୍ୱାଧୀନତା ସଂଗ୍ରାମୀ ଭାବରେ କାର୍ଯ୍ୟ କରିଥିଲେ । ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଆଶାଲତା ନାମ୍ନୀ ଜଣେ ବଙ୍ଗୀୟ ମହିଳାଙ୍କୁ ବିବାହ କରିଥିଲେ । ପରବର୍ତ୍ତୀ ସମୟରେ ସେ କଟକ ଆସି ତୁଳସୀପୁର ଅଞ୍ଚଳରେ ଅବସ୍ଥାପିତ ହୋଇଥିଲେ । ୧୯୪୧ ମସିହା ଫେବୃଆରୀ ୧୭ ତାରିଖରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

ଲକ୍ଷ୍ମୀ ନାରାୟଣ ପଟ୍ଟନାୟକଙ୍କର ପୂର୍ଣ୍ଣାଙ୍ଗ ଉତ୍କଳ ପ୍ରଦେଶ ଗଠନ ପାଇଁ ଉଦ୍ଦେଶ୍ୟ ଥିବା ବେଳେ ପାରଳା ମହାରାଜା କୃଷ୍ଣ ଚନ୍ଦ୍ର ଗଜପତିଙ୍କ ଦେୱାନ ରହି ଏହି କ୍ଷେତ୍ରରେ କାମ କରିଛନ୍ତି । ଭଞ୍ଜନଗର କଲେଜରେ କିଛି ବର୍ଷ ତଳେ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକଙ୍କ ନାମରେ ଏକ ଲାଇବ୍ରେରୀ କରାଯାଇଛି । ତେବେ ଆଶା କରୁଛୁ ନବୀନ ପଟ୍ଟନାୟକଙ୍କ ଜେଜେ ବାପା ତଥା ବିଜୁ ପଟ୍ଟନାୟକଙ୍କ ବାପା ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ବିଷୟରେ ଆମେ ସବିଶେଷ ତଥ୍ୟ ଦେଇପାରିଛୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like