ଏୟାର ହୋଷ୍ଟ୍ରେସ୍ ନିରଜା ଭନୋଟ୍, ନିଜ ଜୀବନ ଦେଇ ଆତଙ୍କବାଦୀଙ୍କ କବଳରୁ ଉଦ୍ଧାର କରିଥିଲେ ୩୬୦ ଯାତ୍ରୀଙ୍କୁ
ବିମାନ ହାଇଜ୍ୟାକ୍ର କଥା ଉଠିଲେ ଆସେ ‘ନିରଜା ଭନୋଟ୍’ଙ୍କ ନାଁ। ନିରଜା ଜଣେ ବିମାନ ପରିଚାରିକା ହୋଇଥିଲେ ମଧ୍ୟ ଯାତ୍ରୀଙ୍କ ଜୀବନ ବଞ୍ଚାଇବାକୁ ସେ ନିଜ ଜୀବନ ଦେଇ ଦେଇଥିଲେ। ଏଣୁ ସେ ‘ହିରୋଇନ୍ ଅଫ୍ ହାଇଜ୍ୟାକ୍’ ଭାବେ ମଧ୍ୟ ଜଣାଶୁଣା। ତାଙ୍କ ସାହସିକତା ପାଇଁ କେବଳ ଭାରତ ନୁହେଁ, ଆମେରିକା ଭଳି ବଡ଼ ଦେଶ ମଧ୍ୟ ତାଙ୍କୁ ମରଣୋତ୍ତର ସମ୍ମାନରେ ସମ୍ମାନିତ କରିଛନ୍ତି। ତେବେ ଆସନ୍ତୁ ଜାଣିବା ଭାରତ ମାଟିର ଏହି ବୀରାଙ୍ଗନାଙ୍କ ବିଷୟରେ…
୧୯୮୬ ମସିହା ସେପ୍ଟେମ୍ବର ୫ ତାରିଖରେ ଭାରତର ବିମାନ ‘ପାନ୍ ଏଏମ୍ ୭୩’ କୁ କିଛି ବନ୍ଧୁକଧାରୀ ଆତଙ୍କବାଦୀ ମଝି ଆକାଶରେ ହାଇଜ୍ୟାକ୍ କରିଥିଲେ। ଏହି ବିମାନରେ ୩୫୯ ଜଣ ଯାତ୍ରୀ ଉପସ୍ଥିତ ଥିଲେ। ଏହି ବିମାନରେ ହିଁ ଏୟାର ହୋଷ୍ଟ୍ରେସ୍ ଥିଲେ ନିରଜା ଭନୋଟ୍। ଏହି ବିମାନ ମୁମ୍ବାଇରୁ ଆମେରିକା ଯାଉଥିଲା। କିନ୍ତୁ ପାକିସ୍ତାନର କରାଚୀ ଏୟାରପୋର୍ଟରେ ୪ ବନ୍ଧୁକଧାରୀ ଆତଙ୍କବାଦୀ ଏହାକୁ ହାଇଜ୍ୟାକ୍ କରିନେଇଥିଲେ। ବିମାନରେ ଥିବା ଆମେରିକୀୟଙ୍କୁ ହତ୍ୟା କରି ପାକିସ୍ତାନ ଉପରେ ଚାପ ପକାଇବା ସେମାନଙ୍କ ଉଦ୍ଦେଶ୍ୟ ଥିଲା। ଏଣୁ ସେମାନେ ନିରଜାଙ୍କୁ ସମସ୍ତ ଯାତ୍ରୀଙ୍କ ପାସ୍ପୋର୍ଟ ଆଦାୟ କରିବାକୁ କହିଥିଲେ। କିନ୍ତୁ ନିରଜା ଉପସ୍ଥିତ ବୁଦ୍ଧି ଖଟାଇ ଆମେରିକାର ଯାତ୍ରୀଙ୍କ ପାସପୋର୍ଟକୁ ନିଜ ପାଖରେ ଲୁଚାଇ ବାକି ସମସ୍ତଙ୍କ ପାସପୋର୍ଟ ଆତଙ୍କବାଦୀଙ୍କୁ ଦେଇଥିଲେ। ଆମେରିକୀୟ ଯାତ୍ରୀଙ୍କୁ ନ ପାଇବାରୁ ଆତଙ୍କବାଦୀମାନେ ବିମାନରେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଯାତ୍ରୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଉଥିବା ଦେଖି ନିରଜା ବିରୋଧ କରିଥିଲେ। ଫଳରେ ସେ ଆତଙ୍କବାଦୀଙ୍କ ଆକ୍ରୋଶର ଶିକାର ହୋଇଥିଲେ। ୩ଟି ପିଲାଙ୍କୁ ବଞ୍ଚାଇବାକୁ ଯାଇ ନିରଜାଙ୍କୁ ନିଜ ଜୀବନ ଦେବାକୁ ପଡ଼ିଥିଲା। ଜନ୍ମଦିନର ମାତ୍ର ୨ ଦିନ ପୂର୍ବରୁ ହିଁ ଦୁନିଆକୁ ଅଲ୍ବିଦା କହିଥିଲେ ନିରଜା।
ଏହି ହାଇଜ୍ୟାକ୍ ହୋଇଥିବା ବିମାନରେ ଥିବା ମାଇକେଲ ନାମକ ଜଣେ ଯାତ୍ରୀ ଏକ ପୁସ୍ତକ ଲେଖିଛନ୍ତି। ଏହି ପୁସ୍ତକରେ ସେ ଦାବି କରିଛନ୍ତି ଯେ ହାଇଜ୍ୟାକରମାନେ ବିମାନକୁ ୯/୧୧ ଭଳି ଇସ୍ରାଇଲର କୌଣସି ଏକ ସ୍ଥାନରେ କ୍ରାସ୍ କରିବାକୁ ଚାହୁଁଥିବା ସେ ନିଜେ ଶୁଣିଥିଲେ। କିନ୍ତୁ ନିରଜାଙ୍କର ଏହି ସାହସିକତା ପାଇଁ ୩୦୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଥିଲା।
ଏଣୁ ତାଙ୍କୁ ଭାରତ ସରକାରଙ୍କ ପକ୍ଷରୁ ସର୍ବୋଚ୍ଚ ବୀରତା ସମ୍ମାନ ‘ଅଶୋକ ଚକ୍ର’ରେ ସମ୍ମାନିତ କରାଯାଇଛି। ଏହି ପୁରସ୍କାର ପାଇଥିବା ସବୁଠାରୁ କମ୍ ବୟସ୍କର ମହିଳା ହେଉଛନ୍ତି ନିରଜା। କେବଳ ଭାରତ ନୁହେଁ, ପାକିସ୍ତାନ ସରକାରଙ୍କ ପକ୍ଷରୁ ମଧ୍ୟ ନିରଜାଙ୍କୁ ‘ତମଗା-ଏ-ଇନ୍ସାନିୟତ’ ଓ ଆମେରିକା ସରକାରଙ୍କ ପକ୍ଷରୁ ‘ଜଷ୍ଟିସ୍ ଫର କ୍ରାଇମ୍ ଆଓ୍ଵାର୍ଡ’ରେ ସମ୍ମାନିତ କରାଯାଇଛି। ବ୍ରିଟେନ୍ ସରକାର ମଧ୍ୟ ନିରଜାଙ୍କ ଅଦମ୍ୟ ସାହସିକତା ପାଇଁ ତାଙ୍କୁ ପୁରସ୍କୃତ କରିଛନ୍ତି। ଏସବୁ ସମ୍ମାନ ନିରଜାଙ୍କ ଭାଇମାନେ ଗ୍ରହଣ କରିଥିଲେ।
ତେବେ ଏତେ କମ୍ ବୟସରୁ ପ୍ରାଣବଳୀ ଦେଇଥିବା ନିରଜାଙ୍କ ଜୀବନ ମଧ୍ୟ କୌଣସି ଫିଲ୍ମ ଠାରୁ କମ୍ ନ ଥିଲା। ବିମାନ ପରିଚାରିକା ଭାବେ କାମ କରିବା ପୂର୍ବରୁ ନିରଜା ଜଣେ ମଡେଲ ଥିଲେ। ସେ ପାଖାପାଖି ୨୨ଟି ବିଜ୍ଞାପନରେ କାମ କରିଛନ୍ତି। ସେତେବେଳର ଜଣେ ସଫଳ ମଡେଲ ଥିଲେ ସେ। ମାତ୍ର ୨୨ ବର୍ଷ ବୟସରେ ନିରଜାଙ୍କ ବିବାହ ହୋଇଥିଲା। କିନ୍ତୁ ଶାଶୁ ଘର ଲୋକ ଯୌତୁକ ମାଗିବାରୁ ନିରଜା ୨ ମାସ ଭିତରେ ଶାଶୁ ଘର ଛାଡ଼ି ଚାଲିଆସିଥିଲେ। ପରେ ସେ ଏୟାର ହୋଷ୍ଟ୍ରେସ୍ ପାଇଁ ପାନ୍ ଏଏମ୍ ଏୟାରଲାଇନ୍ସରେ ଇଣ୍ଟରଭ୍ୟୁ ଦେଇଥିଲେ। ଟ୍ରେନିଂ ପରେ ତାଙ୍କୁ ଚୟନ କରାଯାଇଥିଲା। ଏହି ଟ୍ରେନିଂ ବେଳେ ହିଁ ନିରଜା ଆଣ୍ଟି ହାଇଜ୍ୟାକିଂ କୋର୍ସ କରିଥିଲେ, ଯାହା ତାଙ୍କୁ ବିମାନ ଅପହରଣ ବେଳେ ବେଶ୍ ସାହାଯ୍ୟ କରିଥିଲା।
ଏହି ସାହସୀ ଏୟାର ହୋଷ୍ଟ୍ରେସ୍ଙ୍କ ବଳିଦାନକୁ ମନେ ରଖିବା ପାଇଁ ତାଙ୍କ ସ୍ମୃତିରେ ବଲିଉଡ୍ରେ ‘ନିରଜା’ ନାମକ ଫିଲ୍ମ ତିଆରି ହୋଇଛି। ନିରଜାଙ୍କ ଜୀବନୀ ଉପରେ ନିର୍ମିତ ଏହି ଫିଲ୍ମରେ ସୋନମ୍ କପୁର ଅଭିନୟ କରିଛନ୍ତି। ନିରଜା ଭନୋଟ୍ଙ୍କ ଏହି କାହାଣୀ ଅନ୍ୟମାନଙ୍କ ପାଇଁ ନିଶ୍ଚୟ ପ୍ରେରଣା ହେବ ଏଥିରେ କୌଣସି ସନ୍ଦେହ ନାହିଁ।