ଆଶୀର୍ବାଦକୁ ମାରି ପାଇଖାନା ଟାଙ୍କି ଭିତରେ ପକାଇଥିଲା ପଡୋଶୀ ଦାଦା

ପିପିଲି : ପୁରୀ ଡେଲାଙ୍ଗର ନିଖୋଜ ନାବାଳକର ମିଳିଲା ମୃତଦେହ । ଘର ପାଖ ପାଇଖାନା ଟାଙ୍କିରୁ ମୃତଦେହ ଉଦ୍ଧାର । ଗତ ୬ଦିନ ଧରି ନିଖୋଜ ଥିଲା ରତନପୁର ଗାଁର ଆଶୀର୍ବାଦ । ଶେଷରେ ଧରାପଡିଲା ଅଭିଯୁକ୍ତ । ହତ୍ୟା କରିଛି ପଡୋଶୀ ଦାଦା ବାପି । ହତ୍ୟା ପଛର କାରଣ ଏଯାଏଁ ସ୍ପଷ୍ଟ କରିନି ପୋଲିସ୍‌ ।

ଏପଟେ କାନ୍ଦି କାନ୍ଦି ମ୍ରିୟମାଣ ପରିବାର ଲୋକେ । ଘରମଣିକୁ ଏମିତି ବିଭତ୍ସ ଭାବେ କାହିଁକି ମାରିଦେଲା ସଇତାନ୍ କେହି କଳ୍ପନାରେ ସୁଦ୍ଧା ଭାବିପାରୁନାହାନ୍ତି । ଏତେ ଛୋଟ ପିଲା କଣ ବା ଦୋଷ କରିଥିଲା । ଏଭଳି ନିର୍ମମ ଭାବେ ହତ୍ୟା କରି, ପାଇଖାନା ଟାଙ୍କି ଭିତରେ ପକାଇଦେଲା ପଡୋଶୀ ଦାଦା ।

ହଁ ଆଜ୍ଞା ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅଞ୍ଚଳରୁ ନାବାଳକ ଆଶୀର୍ବାଦ ସାହୁ ନିଖୋଜ ଘଟଣାର ପର୍ଦ୍ଦାଫାଶ । ଦୀର୍ଘ ୬ଦିନ ପରେ ମିଳିଲା ମୃତଦେହ । ଡେଲାଙ୍ଗ ଥାନା ରତନପୁର ଗାଁର ଜଣେ ବ୍ୟକ୍ତିଙ୍କ ଘର ପାଇଖାନା ଟାଙ୍କିରୁ ମିଳିଛି ଆଶୀର୍ବାଦର ମୃତଦେହ । ପୋଲିସ୍‌ ସନ୍ଦେହରେ ରତନପୁର ଗାଁର ବାପି ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରିଥିଲା । ପଚରାଉଚରା ପରେ ଅଭିଯୁକ୍ତ ସବୁ ସତ କଥା ପୋଲିସ୍‌ ଆଗରେ ମାନିଥିବା ସୂଚନା ମିଳିଛି ।

୧୧ ବର୍ଷର ନାବାଳକ ପୁଅ ଆଶୀର୍ବାଦ ସାହୁ । ନିଖୋଜ ପରଠୁ ସନ୍ଧାନୀ କୁକୁର ସହାୟତାରେ ପୋଲିସ୍ ଛାନଭିନ୍ ଚଳାଇଥିଲା । ଦୁଇ-ତିନିଥର ସନ୍ଧାନୀ କୁକୁର ବାପି ସାହୁର ଘରକୁ ଯାଇଥିବାରୁ ପୋଲିସ୍‌ ସନ୍ଦେହ ବଢିଥିଲା । ପରେ ପଚରାଉଚରା କରିବାରୁ ସବୁ ସତ ସାମ୍ନାକୁ ଆସିଛି । ଗତ ୧୫ତାରିଖରେ ନିଖୋଜ ଆଶୀର୍ବାଦକୁ ଖୋଜିବା ପାଇଁ ପରିବାର ଠାରୁ ଆରମ୍ଭ କରି ପୋଲିସ୍ ପ୍ରଶାସନ ଖୋଜି ଖୋଜି ନୟାନ୍ତ ହୋଇପଡିଥିଲେ ।

ଖବର ମୁତାବକ, ଗାଁ ଦାଣ୍ଡରେ ଆଶୀର୍ବାଦ ବସିଥିବା ସମୟରେ ମାଆ ଖାଇବାକୁ ଡାକିଥିଲେ । କଳାହାଣ୍ଡିଆ ବର୍ଷା ଆସୁଥିବାରୁ ମାଆ ତରବରିଆ ଭାବେ ଘରକୁ ଚାଲିଯାଇଥିବାବେଳେ, ଆଶୀର୍ବାଦ ବି ମାଆଙ୍କ ପଛେ ପଛେ ଘରକୁ ଯାଇଥିଲେ । କିନ୍ତୁ ହଠାତ୍ କୁଆଡେ ପଳାଇ ଯାଇଥିଲେ କେହି କିଛିବି ଜାଣିପାରିନଥିଲେ । କିଛି ସମୟ ଭିତରେ ଆଶୀର୍ବାଦ ଘରକୁ ନଫେରିବାରୁ ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ ସୁଦ୍ଧା ପାଇନଥିଲେ । ଶେଷରେ ପୋଲିସ୍ ର ସହାୟତା ଲୋଡିଥିଲେ । ପୋଲିସ୍ ବି ପ୍ରଥମରୁ କିଛି ସୁରାକ୍ ପାଇପାରିନଥିଲା ।

ଯାହାକୁ ନେଇ ଆଶୀର୍ବାଦର ପରିବାର ଓ ଗ୍ରାମବାସୀ ମାନେ ଡେଲାଙ୍ଗ ଫାଣ୍ଡି ସମୁଖରେ ଧାରଣା ଦେଇଥିବା ବେଳେ ରାଜରାସ୍ତାରେ ଟାୟାର ଜାଳି ପ୍ରତିବାଦ କରିଥିଲେ । ପରେ ପୁରୀ ଅତିରିକ୍ତ ଏସ୍ପିଙ୍କ ଜରିଆରେ ଘଟଣାର କ୍ରାଇମ ବ୍ରାଞ୍ଚ ତଦନ୍ତ ପାଇଁ ଦାବିପତ୍ର ଦେଇଥିଲେ । ଅନ୍ୟପଟେ ଗତକାଲି ବିଳମ୍ବିତ ରାତିରେ ନାବାଳକର ମୃତଦେହକୁ ଠାବ କରିଥିବାରେ ସଫଳ ହୋଇଛି ପୋଲିସ୍ । ନାବାଳକର ମୃତଦେହ ଗ୍ରାମର ଜଣଙ୍କ ଘରର ପଛ ପଟେ ଥିବା ପାଇଖାନା ଟାଙ୍କିରୁ ଉଦ୍ଧାର କରିଛି ପୋଲିସ୍ ।

ପୋଲିସ୍ ପ୍ରଥମେ ବାପିକୁ ପଚାର ଉଚରା କରିବା ପରେ ଛାଡି ଦେଇଥିଲା l ତେବେ ଗତକାଲି ରାତିରେ ପୁନର୍ବାର ପଚରା ଉଚରା କରିବା ପରେ ସେ ଦୋଷ ମାନିଥିଲା । ବିଳମ୍ବିତ ରାତିରେ ପୋଲିସ୍ ଅଭିଯୁକ୍ତ ଘର ଆଗରେ ଥିବା ପାଇଖାନା ଟାଙ୍କି ରୁ ଆଶୀର୍ବାଦର ମୃତଦେହକୁ ଉଦ୍ଧାର କରିବା ସହିତ ଅଭିଯୁକ୍ତକୁ ଗିରଫ କରିଛି ।

ଏପଟେ ଆଶୀର୍ବାଦର ମୃତଦେହ ମିଳିବା ପରେ, ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତର ଘରକୁ ଗାଁ ଲୋକେ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି । ସେପଟେ ମୃତଦେହ ଜବତ କରି ପୁରୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ଡେଲାଙ୍ଗ ପୋଲିସ୍ । ଏଭଳି ଏକ ଘଟଣା ସମଗ୍ର ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ଗାଁରେ ଚାପା ଉତ୍ତେଜନା ପ୍ରକାଶ ପାଇଥିବାବେଳେ, ଅଭିଯୁକ୍ତକୁ କଠୋର  କଠୋର ଦଣ୍ଡ ଦେବାକୁ ସଭିଏଁ ଦାବି କରିଛନ୍ତି ।

ଆହୁରି ପଢନ୍ତୁ:ଜଙ୍ଗଲରୁ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣା : ଗର୍ଭପାତ ନକରିବାରୁ ପ୍ରେମିକାକୁ ମାରିଲା ପ୍ରେମିକ