ଝିଆରୀର ଆକୁଳ ନିବେଦନ, “ମୋ ମାଆକୁ ମାରିଥିବା ଖୁଡ଼ୀକୁ କଠିନ ଦଣ୍ଡ ଦିଅ”

ସେ ମୋ ଖୁଡ଼ି ହେଲେ ବି ତାକୁ ମୃତ୍ୟୁଦଣ୍ଡ ଦିଅ । ଏ ହେଉଛି ଜଣେ ଝିଆରୀର ଆକୁଳ ନିବେଦନ । କାରଣ ଖୁଡି ଆଜି ମାରି ଶୁଆଇ ଦେଇଛି ତା ମା’କୁ । ସେ ବି ପୁଣି ସାମାନ୍ୟ ଜାଳେଣୀ କାଠ ପାଇଁ । ହଁ ଆଜ୍ଞା ଜାଳ କାଠ ପାଇଁ ଯାଆ ନେଇଗଲା ଯାଆର ଜୀବନ । ସାନ ଯାଆର କାଠ ଫାଳିଆ ମାଡ଼ରେ ବଡ଼ ଯାଆର ମୃତ୍ୟୁ । ଖବର ଅନୁଯାୟୀ, ସାମାନ୍ୟ ଜାଳେଣୀ କାଠ ପାଇଁ ଗୁରୁବାର ସକାଳ ସମୟରେ ଦୁଇ ଯାଆଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । କିନ୍ତୁ ପର ସମୟରେ ବିବାଦ ଏତେ ବଢିଗଲା ଯେ ଉଭୟଙ୍କ ମଧ୍ୟରେ ମାରପିଟ୍ ଯାଏଁ କଥା ଯାଇଥିଲା ।
ଏଇ ମାରପିଟ୍ ବେଳେ ସାନ ଯାଆର ମାଡ଼ରେ ବଡ଼ ଯାଆ ଘଟଣାସ୍ଥଳରେ ହିଁ ଆହତ ହୋଇ ପଡି ଯାଇଥିଲେ । ଏହାପରେ ପଡ଼ୋଶୀ ଲୋକ ବଡ଼ ଯାଆ ଜ୍ୟୋସ୍ନାଙ୍କୁ ଅଚେତ ଅବସ୍ଥାରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେତେବେଳକୁ ଆଉ କିଛଇ ବାକି ନଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘରୋଇ କଳିର କରୁଣ ପରିଣତିର ଇଏ ଆଉ ଗୋଟିଏ ଉଦାହରଣ । ଯେଉଁଥିପାଇଁ ଆଜି ଉଚ୍ଛନ୍ନ ହୋଇଯାଇଛି ଗୋଟିଏ ପରିବାର । ମୃତ ବଡ଼ ଯାଆ ହେଉଛନ୍ତି ଦେବଗଡ଼ ପୌରାଞ୍ଚଳ ନୀଳବେର୍ଣ୍ଣି ସାହିର ଜ୍ୟୋତ୍ସ୍ନା ଭୋଜ ।
ଅଭିଯୁକ୍ତ ପ୍ରତାପ ଭୋଜଙ୍କ ସ୍ତ୍ରୀ ଗୀତା ଭୋଜଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ଦେବଗଡ଼ ଥାନା ପୋଲିସ । ହତ୍ୟାକାଣ୍ଡ ପରେ ସାହିରେ ଚାପା ଉତ୍ତେଜନା ଲାଗି ରହିଛି । ତେଣୁ । ଘଟଣା ସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ପୋଲିସ ମୃତଦେହ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ରାଗରେ ମଣିଷ କିଛି ବି କରିବାକୁ ପଛାଇ ନଥାଏ । ହିତାହିତ ଜ୍ଞାନ ଭୁଲି କିଛି ବି କରି ବସେ । ଭୁଲିଯାଏ ସବୁ ସମ୍ପର୍କ ।
ସେତେବେଳ ଭାବି ପାରେନି କେଉଁଟା ଭୁଲ କେଉଁଟା ଠିକ୍ । ତେବେ ଯେଉଁ ଅଘଟଣା ଘଟାଇ ବସେ ପର ମୁହୂର୍ତ୍ତରେ କେବଳ ପଶ୍ଚାତାପ କରିବା ଛଡା ଆଉ କିଛି ନଥାଏ । ଆଉ ହାତରୁ ଖସି ଯାଇଥାଏ ଅନେକ କିଛି । ଏବେ ଯଦି ପ୍ରମାଣିତ ହୁଏ ତେବେ ଗୀତା ପାଇବେ ବଡ଼ ସଜା । ଆଉ ଯାଆ ହତ୍ୟାର କଳଙ୍କ ମଧ୍ୟ ତାଙ୍କ ନାଁରେ । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଏହି ଘଟଣାରେ । ଏପଟେ ଗୋଟିଏ ପରିବାର ବି ଉଚ୍ଛନ୍ନ ହୋଇ ଯାଇଛି ଏହି ଘଟଣାରେ ।
Also read: ପ୍ରେମ କାହାଣୀରେ ନୁଆ ଟ୍ବିଷ୍ଟ, ପ୍ରେମିକ ଘରୁ ସ୍ୱାମୀ ପାଖକୁ ଫେରିଲେ ସ୍ତ୍ରୀ