ଗର୍ଭପାତ ପାଇଁ ଘରୋଇ ଉପାୟ ଆପଣାଇବା ପୂର୍ବରୁ ଜାଣିରଖନ୍ତୁ ଏସବୁ କଥା

ବେଳେ ବେଳେ ମହିଳାମାନେ ଭୁଲରେ ଗର୍ଭଧାରଣ କରି ବସନ୍ତି, ଯାହାକୁ ଅବାଞ୍ଛିତ ଗର୍ଭଧାରଣ ବୋଲି କୁହାଯାଏ। ସେମାନେ ମାନସିକ ଓ ଶାରୀରିକ ଭାବେ ଏଥିପାଇଁ ପ୍ରସ୍ତୁତ ହୋଇନଥିବାରୁ ଏହି ଗର୍ଭକୁ ନଷ୍ଟ କରିବା ବିଭିନ୍ନ ଗର୍ଭନିରୋଧକ ମେଡିସିନ୍‌ ଖାଇଥାନ୍ତି। ଅତି ଆବଶ୍ୟକ ପଡ଼ିଲେ ଏଥିପାଇଁ କିଛି ମହିଳା ଅପରେସନ୍‌ କରାଇ ମଧ୍ୟ ଗର୍ଭପାତ କରିଥାନ୍ତି। ଏକ ରିପୋର୍ଟ ମୁତାବକ, ଭାରତରେ ଏଭଳି ମାମଲା ଅଧିକ। ଦେଶରେ ୧୦୦୦ରୁ ୬୨ ଜଣ ମହିଳା ଓ ଯୁବତୀ ଅନିଚ୍ଛା ସତ୍ତ୍ୱେ ବାଧ୍ୟବାଧକତାରେ ମା’ ବନିଥାନ୍ତି। ସେହିପରି ୧୫ରୁ ୧୯ ବର୍ଷର ଝିଅଙ୍କ ମଧ୍ୟରେ ୧୦୦୦ରୁ ୧୨ ଜଣ ଝିଅ ପ୍ରେମିକ ସନ୍ତାନର ମା’ ହୋଇଥାନ୍ତି। ଅନ୍ୟପଟେ କରୋନା ଯୋଗୁ ଗତ ୨ ବର୍ଷରେ ବାଳ ବିବାହର ମାମଲା ମଧ୍ୟ ବଢ଼ୁଛି। ଯାହା ଅବାଞ୍ଛିତ ଗର୍ଭଧାରଣର ଏକ କାରଣ ପାଲଟିଛି।

ସେହିପରି ସଂଯୁକ୍ତ ରାଷ୍ଟ୍ର ଯୌନ ଓ ପ୍ରଜନନ ସ୍ୱାସ୍ଥ୍ୟ ଏଜେନ୍ସି (UNFPA) ପକ୍ଷରୁ ପ୍ରକାଶିତ ରିପୋର୍ଟ ମୁତାବକ, ସାରା ବିଶ୍ୱରେ ପ୍ରତିବର୍ଷ ପାଖାପାଖି ୧୨୧ ମିଲିୟନ୍‌ ମହିଳା ଓ ଯୁବତୀଙ୍କୁ ଏଭଳି ସ୍ଥିତିର ସାମ୍ନା କରିବାକୁ ପଡ଼ୁଛି। ଅର୍ଥାତ୍‌ ବିନା ସହମତିରେ ଗର୍ଭବତୀ ହେବା। ଅନେକ ଥର ଝିଅମାନେ କ୍ୟାରିୟର, ହେଲ୍‌ଥ ଓ ଅନ୍ୟ ଜିନିଷକୁ ଚିନ୍ତା କରି ଗର୍ଭଧାରଣ କରିବାକୁ ଚାହାନ୍ତି ନାହିଁ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମୁତାବକ, ଯଦି ଆପଣଙ୍କର ଗର୍ଭଧାରଣ ପାଇଁ ଇଚ୍ଛୁକ ନୁହେଁ ତେବେ ଯେତେବେଳେ ବି ଜାଣୁଛନ୍ତି ଆପଣ ଗର୍ଭବତୀ, ସେତେବେଳେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ମନ ଇଚ୍ଛା ଘରୋଇ ଉପାୟ ବ୍ୟବହାର କଲେ ତାହା ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ। କିଛି ଲୋକ ଗର୍ଭପାତ ପାଇଁ ଅମୃତଭଣ୍ଡା ଖାଇଥାନ୍ତି। ଘରୋଇ ଭାବେ ଏହାକୁ ଏକ ପ୍ରାକୃତିକ ଗର୍ଭନିରୋଧକ ବୋଲି କୁହାଯାଏ। କିନ୍ତୁ ଏମିତି କରିବା ଭୁଲ୍‌। କାରଣ ଶରୀର ଭିତରେ ଭ୍ରୁଣ କେତେ ବଢ଼ିଛି ତାହା ଉପରେ ଗର୍ଭପାତ କରି ହେବ କି ନାହିଁ ତାହା ନିର୍ଭର କରିଥାଏ। ଯଦି ଭ୍ରୁଣ ଗର୍ଭପାତ ହେବା ଅବସ୍ଥା ଠାରୁ ଅଧିକ ବଡ଼ ହୋଇଯାଇଛି, ତେବେ ତାହାକୁ ନଷ୍ଟ କରିବା ମହିଳାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ।

ଏଭଳି ସ୍ଥିତିରେ ଯଦି ଘରୋଇ ଉପାୟ ବ୍ୟବହାର କରାଯାଏ, ତେବେ ତାହା ସନ୍ତାନର ବୃଦ୍ଧିରେ ବାଧକ ସୃଷ୍ଟି କରେ। ଏହା ଦ୍ୱାରା ସନ୍ତାନର ଶରୀରର ଅଭିବୃଦ୍ଧି ତ ବନ୍ଦ ହୋଇଯାଏ, କିନ୍ତୁ ତାହା ବାହାରକୁ ବାହାରିପାରିନଥାଏ। ଫଳରେ ପେଟରେ ଇନ୍‌ଫେକସନ୍‌ ହେବା ଆଶଙ୍କା ରହିଛି। ଏହା ଦ୍ୱାରା ବେଳେ ବେଳେ ଓଭାରୀରେ ପୂଜ ବି ହୋଇଯାଏ। ସ୍ଥିତି ଅଧିକ ଖରାପ ହେଲେ ଅପରେସନ୍‌ କରିବାକୁ ପଡ଼ିପାରେ, ଯାହା ମହିଳାଙ୍କ ଜୀବନ ପ୍ରତି ଘାତକ ହୋଇପାରେ। ଏଣୁ ଗର୍ଭପାତ କରିବାକୁ ଚାହୁଁଥିଲେ କେବଳ ଡାକ୍ତରଙ୍କର ହିଁ ପରାମର୍ଶ ନିଅନ୍ତୁ। ଏଣୁ ତେଣୁ ଘରୋଇ ଉପାୟ ବ୍ୟବହାର କରନ୍ତୁ ନାହିଁ।

Also Read: ଦ୍ୱିତୀୟ ବିବାହ କରିବେ ନାଗା ଚୈତନ୍ୟ! ସାମନ୍ଥାଙ୍କ ଠାରୁ ଛାଡ଼ପତ୍ର ପରେ ଗଢ଼ିବେ ନୂଆ ଜୀବନ

Leave A Reply

Your email address will not be published.