ବିବାହର ବର୍ଷେ ନପୂରୁଣୁ ନବ ବଧୂଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ବାପ ଘର ଲୋକ

କିଛି ଦିନ ତଳେ ସାଜିଥିଲେ ନବବଧୂ । ସ୍ବାମୀ ହାତ ଧରି ମନରେ ଦେଖିଥିଲେ କେତେ କଣ ସ୍ୱପ୍ନ । ହାତରେ ହାତଗଣ୍ଠି, ମଥାରେ ସିନ୍ଦୂର, ନାଲି ଶାଢ଼ୀ ପିନ୍ଧି ନୂଆ ବୋହୂ ସାଜି ଶାଶୁଘରକୁ ଯାଇଥିଲେ । କେଡେ ସୁନ୍ଦର ଦେଖାଯାଉଥିଲା ସେଦିନ ତାଙ୍କର ବଧୂ ବେଶ । ସ୍ୱାମୀଙ୍କ ହାତ ଧରି ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିଥିଲେ । କିନ୍ତୁ ବାହାଘରର ମାତ୍ର ବର୍ଷେ ନପୁରୁଣୁ ସ୍ବାମୀ ଘରେ ତାଙ୍କ କୋକେଇ ଉଠିଛି ।
ଏଇ ମାତ୍ର କେଇଟା ମାସ ତଳେ ଆତ୍ମୀୟ ପରିଜନମାନଙ୍କ ଗହଣରେ ଝିଅକୁ ବାହା ଦେଇଥିଲେ ଝିଅର ବାପା l ସ୍ୱାମୀ ଯେଉଁ ଦାଣ୍ଡରେ ସ୍ତ୍ରୀକୁ ନିଜର କରିଥିଲା ଆଜି ସେହି ଦାଣ୍ଡରେ ସ୍ତ୍ରୀର ମରଶରୀର ପଡ଼ିଛି l ଯେଉଁ ଦାଣ୍ଡକୁ ବୋହୂ ହେଇ ଆସିଥିଲା ଝିଅ ସେହି ଦାଣ୍ଡରେ ଆଜି କାନ୍ଦ ବୋବାଳି ସ୍ବରରେ ଫାଟିପଡୁଛି l
ଘରୋଇ କଳହର କରୁଣ ପରିଣତି । ବିବାହର ବର୍ଷେ ନପୂରୁଣୁ ନବବଧୂଙ୍କର ହୋଇଛି ମୃତ୍ୟୁ । ଝିଅକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ବାପ ଘର ଲୋକ । ଏଭଳି ହୃଦୟବିଦାରକ ଘଟଣା ଘଟିଛି ଘଷିପୁରା ଥାନା ରେକୁଟିଆ ଗାଁରେ । ରେକୁଟିଆ ଗାଁର ରାଜୁ ଜେନା ୮ ମାସ ତଳେ କୁମ୍ଭନାଗରା ଗାଁର ଭରତ ଜେନାଙ୍କ ଝିଅ ମାମାଙ୍କୁ ବିବାହ କରିଥିଲେ । କିଛି ଦିନ ହେବ ଘରୋଇ କଳହ ଲାଗି ରହିଥିଲା ।
ତେବେ ଘର ଭିତରୁ ମାମାଙ୍କ ମୃତଦେହ ଉଦ୍ଧାର ପରେ ଶଶ୍ବର ଘରେ ଲୋକେ ତାଙ୍କୁ ହତ୍ୟା କରିଥିବା ନେଇ ବାପ ଘର ଲୋକେ ଘଷିପୁରା ଥାନାରେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଘରେ ବାପା ମା’ଙ୍କ ସହିତ ଝଗଡା ପରେ ସ୍ବାମୀ ସ୍ତ୍ରୀ ଅଲଗା ରହୁଥିଲେ । ତେଣୁ ଦୁଶ୍ଚିନ୍ତାରେ ମାମା ଜୀବନ ହାରି ମୃତ୍ୟୁବରଣ କରିଥିବା ସ୍ୱାମୀ କହୁଛନ୍ତି। ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ମାମା ଭାବିଥିଲେ ଶାଶୁଘରକୁ ନିଜର କରି ବାକି ଜୀବନ ସେଇଠି ହିଁ କାଟିଦେବେ । ହେଲେ ତାଙ୍କର ଏହି ଖୁସିର ସ୍ୱପ୍ନରେ ସତେ ଯେମିତି କାହାର କଳା ନଜର ଲାଗିଗଲା । କ୍ଷଣକ ମଧ୍ୟରେ ତାଙ୍କର ସବୁ ସ୍ୱପ୍ନ ଭାଙ୍ଗି ଚୁରମାର୍ ହୋଇଗଲା । ସୁଖର ସଂସାର ଗଢ଼ିବେ କଣ ସବୁ କିଛି ଉଜୁଡ଼ିଗଲା । ତେବେ ପୋଲିସ ତଦନ୍ତ ପରେ ହିଁ ପ୍ରକୃତ ସତ ସାମ୍ନାକୁ ଆସିବ । କିନ୍ତୁ ଝିଅକୁ ହରାଇ ଭାଙ୍ଗିପଡ଼ିଛି ପୂରା ପରିବାର ।
Also Read: ବିବାହ ବେଦୀରେ ନବବଧୂ କୋଳରେ ଆଖିବୁଜିଲେ ବର