ଯୌତୁକ ଜୁଇରେ ଜଳିଗଲେ ନବବଧୂ, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ନାଁ ତାର ସୀତାରା ଖାତୁନ । ଦେଖିବା ପାଇଁ କୋଉ ଅପସରୀ ଠୁ ବି କମ୍ ନୁହେଁ । ଏଇ ଦେଖୁ ନାହାନ୍ତି…. ନାଁ ଯେମିତି ମୁହଁରେ ଚମକ ବି ଆକାଶର ତାରା ପରି । କତେ ସ୍ବପ୍ନ କେତେ ଆଶା ନେଇ ଶାଶୂ ଘରେ ପାଦ ରଖିଥିଲେ ହେଲେ ସେ ସବୁ କିଛି ମଉଳି ଗଲା । ଭାବିଥିଲେ ଶାଶୂଘରେ ସମସ୍ତଙ୍କୁ ନିଜର କରି ହସ ଖୁସିରେ ସଂସାର କରିବେ । କିନ୍ତୁ ବାହାଘରର ତୃତୀୟ ଦିନରୁ ସୀତାରାଙ୍କ ଉପରେ ଆରମ୍ଭ ହୋଇଥିଲା ଯୌତୁକ ନିର୍ଯାତନା ।
ଶାଶୂଘରର ଦାବି ଅନୁସାରେ ଟଙ୍କା ସୁନା ସବୁକିଛି ଦେଇଥିଲେ ସୀତାରାଙ୍କ ପରିବାର ଲୋକେ । ହେଲେ ବାହାଘରର ୬ ମାସ ନପୂରୁଣୁ ଶାଶୂ ଘରୁ ଉଠିଲା ଝିଅର କୋକେଇ । ଝିଅର ମୃତ୍ୟୁ ପରେ ଭାଙ୍ଗି ପଡ଼ିଛନ୍ତି ପୁରା ପରିବାର । ବୁଝି ପାରୁ ନାହାନ୍ତି ଏମିତି ଅଚାନକ କଣ ହେଇଗଲା । ସୀତାରାଙ୍କ ବାପା ନାହାନ୍ତି । ସେ ଘରର ସବୁଠୁ ସାନ ଝିଅ ଥିଲେ । ବହୁତ ଗେଲ ବସରରେ ବଢ଼ିଥିଲେ ସୀତାରା । କିନ୍ତୁ ତାଙ୍କ ଜୀବନରେ ଏପରି ଝଡ଼ ଆସିଗଲା ଯେ ପୁରା ପରିବାରଠୁ ଚାଲିଗଲେ ବହୁ ଦୂରକୁ । ଏବେ ନ୍ୟାୟ ଆଶାରେ ଥାନାର ଦ୍ବାରସ୍ଥ ହୋଇଛନ୍ତି ପରିବାର ଲୋକେ ।
ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ମୌନାଲା ବସ୍ତିରେ ଘଟିଛି ଏହି ଅଘଟଣ । ସନ୍ଦେହ ଜନକ ଭାବେ ନବବଧୂର ମୃତଦେହ ଉଦ୍ଧାର ହୋଇଛି । ସୀତାରାଙ୍କ ବାପ ଘର ଲୋକେ ହତ୍ୟା ଅଭିଯୋଗ ଆଣିଥିବା ବେଳେ ଶାଶୁ ଘର ଲୋକେ ଫେରାର ଅଛନ୍ତି । ମୃତା ମହିଳାଙ୍କ ଭାଇ ରୌସନ ଖାଁଙ୍କ ଏତଲା ଆଧାରରେ ଭୋଗରାଇ ପୋଲିସ ମାମଲା ରଜୁ କରି ତଦନ୍ତ ଜାରି ରଖିଛନ୍ତି ।
ଭୋଗରାଇ ଗାଁର ବାସିନ୍ଦା ସରାଫ ଖାଁ । ପଶ୍ଚିମବଙ୍ଗ ରାମନଗର ଥାନା ଅଧୀନ ମୁକୁନ୍ଦପୁର ଗାଁର ଲିଆକତ ଅଲ୍ଲୀ ଖାଁଙ୍କ ଝିଅ ସୀତାରା ଖାତୁନଙ୍କୁ ମୁସଲମାନ ରୀତିନୀତି ଅନୁଯାୟୀ ବିବାହ କରିଥିଲେ । ଗତ ୬ ମାସ ତଳେ ବାହାଘର ହୋଇଥିଲା । ବର ପକ୍ଷରୁ ଦାବି ମୁତାବକ ଏକ ବୁଲେଟ ବାଇକ, ୧୫୦ ଗ୍ରାମ ସୁନା ଅଳଙ୍କାର, ୫୦ ଗ୍ରାମ ରୁପା ସହ ଅନ୍ୟାନ୍ୟ ୧୦ ଲକ୍ଷ ଟଙ୍କାର ଆସବାବପତ୍ର ଦିଆ ଯାଇଥିଲା । ବିବାହର କିଛିଦିନ ପରେ ନବବଧୂଙ୍କୁ ତାଙ୍କ ବାପଘରୁ ଅଧିକ ୨୦ ଲକ୍ଷ ଟଙ୍କା ଯୌତୁକ ବାବଦକୁ ଆଣିବା ପାଇଁ ଶ୍ୱଶୁର ଘର ଲୋକେ ବାରମ୍ବାର ଚାପ ପକାଉଥିବାର ଅଭିଯୋଗ ହୋଇଛି ।
ମୃତ ସୀତାରା ଖାତୁନଙ୍କ ସ୍ୱାମୀ ସରାଫ ଖାଁ ବିଦେଶରେ କାମ କରୁଛନ୍ତି । ସ୍ବାମୀ ଅନୁପସ୍ଥିତିରେ ଶାଶୁ, ଶ୍ୱଶୁର, ତିନି ନଣନ୍ଦ ଓ ନଣନ୍ଦେଇ ବୋହୂକୁ ବାରମ୍ବାର ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ । ତେଣୁ ଶାଶୁଘର ଲୋକେ ସୀତାରାଙ୍କୁ ମଳିମିଶି ହତ୍ୟା କରିଥିବାର ଅଭିଯୋଗ କରିଛନ୍ତି ତାଙ୍କ ପରିବାର ଲୋକେ । ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ମୃତ ମହିଳାଙ୍କ ବାପ ଘର ଲୋକେ ନ୍ୟାୟ ମାଗିଛନ୍ତି । ସମସ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ଯାନୁଷ୍ଠାନ ପାଇଁ ଦାବି କରିଛନ୍ତି । ମୃତ ସୀତାରା ଖାତୁନଙ୍କ ଶବ ବ୍ୟବଚ୍ଛେଦ ପରେ ବିଳମ୍ବିତ ରାତିରେ ତାଙ୍କର ଶବଦାହ କରାଯାଇଛି ।
Also Read:ପ୍ରେମ କାହାଣୀରେ ନୁଆ ଟ୍ବିଷ୍ଟ, ପ୍ରେମିକ ଘରୁ ସ୍ୱାମୀ ପାଖକୁ ଫେରିଲେ ସ୍ତ୍ରୀ