ଭିନ୍ନ ଏକ ଅଭିଯାନରେ ଶାନ୍ତିର ଦୂତ ନାଦିଆ ମୁରାଦ

ଇରାକ୍‌ର ନାଦିଆ ମୁରାଦ । ବସୟ ସିନା ୨୫, କିନ୍ତୁ ନିଜ କାମ ପାଇଁ ସାରା ବିଶ୍ୱରେ ଚର୍ଚ୍ଚିତ। ନାଦିଆଙ୍କ ସଂଘର୍ଷ ଓ କଷ୍ଟକର ଜୀବନ ଯାତ୍ରା ବିଷୟରେ ଶୁଣିଲେ ଆପଣଙ୍କର ଆଖି ଜକେଇ ଉଠିବ । କୋହ ସମ୍ଭାଳି ପାରିବେ ନାହିଁ । ଯେତେ କଷ୍ଟ ପାଇଥିଲେ ବି ନିଜକୁ ଛୋଟ ଭାବି ନାହାନ୍ତି  କି ହାରି ଯାଇ ନାହାନ୍ତି ନାଦିଆ । ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଅହରହ ଉଦ୍ୟମ କରି ଚାଲିଛନ୍ତି । କେଉଁ ମହତ କାମ ପାଇଁ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରାଗଲା ଜାଣିଛନ୍ତି କି ? ଦୁଷ୍କର୍ମ ବିରୋଧରେ ଜନ ଜାଗରଣ ସୃଷ୍ଟି କରିବାର ନିଆରା ପ୍ରଚେଷ୍ଟା ତାଙ୍କୁ ଆଣି ଦେଇଛି ବିଶ୍ବର ସବୁଠାରୁ ମର୍ଯ୍ୟାଦାଜନକ ନୋବେଲ ଶାନ୍ତି ପୁରସ୍କାର ।

ସଂଘର୍ଷର ଲମ୍ବା ଯାତ୍ରା

ଉତ୍ତର ଇରାକର ସିଞ୍ଜର ନିକଟ କୋଜୁ ହେଉଛି ନାଦିଆଙ୍କ ଗାଁ । ମାଆ ଓ ଭାଇ ଭଉଣୀଙ୍କ ସହ ଖୁସିର ସଂସାର ଚାଲିଥାଏ । ଗାଁର ଅଧିକାଂଶ ଲୋକ ଚାଷୀ । ସେ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିବା ବେଳେ ତାଙ୍କ ଗାଁ ତଥାକଥିତ ଇସଲାମିକ୍‌ ଷ୍ଟେଟ୍ ବା ଆଇଏସ୍‌ ଆତଙ୍କବାଦୀଙ୍କ କବଜାକୁ ଆସିଥିଲା । ବିଭିନ୍ନ ସମୟରେ ସେମାନେ ଗାଁ ଲୋକଙ୍କ ଉପରେ ଜୁଲମ କରୁଥିଲେ । ୩ ଅଗଷ୍ଟ ୨୦୧୪ । ସେତେବେଳେ ନାଦିଆଙ୍କୁ ୧୯ ବର୍ଷ ହୋଇଥାଏ । ସେ ସ୍ୱପ୍ନରେ ଯାହା ଭାବି ନଥିଲେ ତାହା ଘଟିଥିଲା । ହଠାତ ନାଦିଆଙ୍କ ଜୀବନ ଆକାଶରେ ମାଡ଼ି ଆସିଥିଲା ଦୁର୍ଦ୍ଦିନର କଳା ହାଣ୍ଡିଆ ମେଘ । ଗାଁରେ ଆକ୍ରମଣ କରିଥିଲେ ଆଇଏସ୍‌ ଆତଙ୍କବାଦୀ । ନାଦିଆଙ୍କୁ ଅପହରଣ କରି ନେଇଥିଲେ ଇସଲାମିକ୍‌ ଷ୍ଟେଟ୍‌ ଆତଙ୍କବାଦୀ । ଗାଁ ଲୋକଙ୍କୁ ବନ୍ଦୀ ରଖିଲେ । ଇସଲାମ୍‌ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କଲେ । ଦୁଇ ଦିନ ଭିତରେ ଧର୍ମ ପରିବର୍ତ୍ତନ କରିବାକୁ ଧମକ ଦେଇଥିଲେ । ଯିଏ ପ୍ରତିବାଦ କଲା ମୁଣ୍ଡରୁ ଗଣ୍ଡିକୁ ଅଲଗା କରି ଦେଉଥିଲେ ନୃଂଶସ ଆତଙ୍କବାଦୀ । ଏମିତି ଛାତିଥରା ଘଟଣା ନିଜ ଆଖିରେ ଦେଖିଥିଲେ ନାଦିଆ ।

nadia-murad-2

ତିନି ମାସର ନିର୍ଯାତନା

ଦୁଇ ଦିନ ପରେ ଗାଁର ହଜାରେ ଲୋକଙ୍କୁ ପଣବନ୍ଦୀ କରି ନେଇଥିଲେ ଆତଙ୍କବାଦୀ । ସ୍କୁଲରେ ରଖିଥିଲେ । ଗୋଟିଏ ସ୍ଥାନରେ ପୁରୁଷ ଓ ଅନ୍ୟ ସ୍ଥାନରେ ମହିଳାଙ୍କୁ ରଖିଥିଲେ । ଯିଏ ଇସଲାମ୍‌ କୁବୁଲ୍‌ କଲା ସେ ମଲା ଓ ଯିଏ ନନେଲା ସେ ବି ଗୁଳି ଖାଇଲା । ଘର ଭିତରେ ଥାଇ କେବଳ ଗୁଳି ଶବ୍ଦ ଶୁଣୁଥିଲେ ନାଦିଆ । ତାଙ୍କ ଭାଇ ଓ ମାଆଙ୍କୁ ମାରି ଦେଇଥିଲେ ଆଇଏସ୍‌ ଆତଙ୍କୀ । ସେହିଦିନ ରାତିରେ ତାଙ୍କୁ ମୋସୁଲ୍‌ ଧରି ପଳାଇଥିଲେ ଆଇଏସ୍‌ ଆତଙ୍କବାଦୀ । ସେଠାରେ ତାଙ୍କୁ ଯୌନ ଦାସୀ ଭାବରେ ବ୍ୟବହାର କରିଥିଲେ । ଆତଙ୍କୀ ଆଡ୍‌ଡାରେ ତିନି ମାସ ଧରି ବନ୍ଦୀ ଜୀବନ କାଟିଥିଲେ । ତାରି ଭିତରେ ଚାଲିଥିଲା ଯୌନ ନିର୍ଯାତନା । ବିଭିନ୍ନ ସମୟରେ ତାଙ୍କୁ ବିକ୍ରି ହେବାକୁ ପଡ଼ିଥିଲା । ଏହାପରେ ମୋସୁଲ୍‌ର ଇସଲାମିକ୍‌ ଷ୍ଟେଟ୍‌କୁ ନାଦିଆଙ୍କୁ ନେଇ ଯାଇଥିଲା ଆତଙ୍କବାଦୀ । ଇସଲାମିକ୍‌ ଷ୍ଟେଟ୍‌ ହେଉଛି ସେହି ସ୍ଥାନ ଯେଉଁଠାରେ ହଜାର ହଜାର ମହିଳାଙ୍କ ଫଟୋ ରହିଥିଲା । ଏଠାରୁ ଫଟୋ ଦେଖି ଆଇଏସ୍‌ ଆତଙ୍କବାଦୀ ସଂଗଠନରେ କାମ କରୁଥିବା ପୁରୁଷ ଲୋକ ନିଜ ପାଇଁ ଝିଅ ପସନ୍ଦ କରନ୍ତି । ମୂଲଚାଲ ଛିଣ୍ଡିଲେ ସେ ତାକୁ କିଣିବ । ଯୌନ ଶୋଷଣ କରି ପାରିବ । ମନ ଭରିଗଲା ପରେ ଆଉ କାହାକୁ ବି ବିକ୍ରି କରି ପାରିବ । କିମ୍ବା ସମ୍ପର୍କୀୟଙ୍କୁ ଉପହାର ଭାବରେ ଭେଟି ବି ଦେଇ ପାରିବେ । ଏମିତି ବି ଘଟିଥିଲା ନାଦିଆଙ୍କ ସହ  । ଜଣେ ମୋଟା ଲୋକ ତାଙ୍କୁ କିଣିବାକୁ ଆସିଥିଲେ । ତେବେ ତାଙ୍କ ସହ ଯିବାକୁ ରାଜି ହୋଇ ନଥିଲେ ନାଦିଆ । ଖସି ଚାଲିଯିବାକୁ ଉଦ୍ୟମ କରି ଧରା ପଡ଼ିଥିଲେ । ସଜା ବି ଭୋଗିଥିଲେ, ଯାହା କଳ୍ପନା ବାହାରେ । ଦଣ୍ଡ ସଦୃଶ ତାଙ୍କ ସହ ୬ ଜଣ ଗଣଦୁଷ୍କର୍ମ କରିଥିଲେ ।

ଡାକ ଶୁଣିଲେ ଈଶ୍ବର

ତିନି ମାସ ଏମିତି ଯୌନ ରାକ୍ଷସଙ୍କ ଶିକାର ହୋଇଥିଲେ ନାଦିଆ । ତଥାପି ରାକ୍ଷସ ପୁରୀରୁ ମୁକୁଳିବାର ରାସ୍ତା ଖୋଜି ଚାଲିଥିଲେ । ଶେଷରେ ଭଗବାନ ବୋଧେ ତାଙ୍କ ଡାକ ଶୁଣିଥିଲେ । ନର ରାକ୍ଷସଙ୍କ କବଳରୁ ବାହାରିବାର ରାସ୍ତା ପାଇଥିଲେ । ଦିନେ ତାଙ୍କୁ କିଣିଥିବା ଲୋକ ଘରେ ନଥିଲେ । ଏହାର ଫାଇଦା ଉଠାଇ ଖସି ଆସିଥିଲେ ନାଦିଆ । ମୋସୁଲର ଗଳିକନ୍ଦିରେ ଦୌଡି ଦୌଡ଼ି ଗୋଟିଏ ମୁସଲିମ୍‌ ଘରେ ପହଞ୍ଚିଥିଲେ । ସାହାଯ୍ୟ ମାଗିଥିଲେ ନାଦିଆ । ଗତ ତିନି ମାସରେ ତାଙ୍କ ସହ ଯାହା ଘଟିଥିଲା ସେ ସବୁ ଗୋଟି ଗୋଟି କରି ପଢ଼ି ଶୁଣାଇଥିଲେ । ତରଳି ଯାଇଥିଲା ସେହି ମୁସଲିମ୍‌ ପରିବାରର ହୃଦୟ । ସହାୟତାର ହାତ ବଢ଼ାଇଥିଲେ । ନାଦିଆଙ୍କୁ ମୋସୁଲରୁ ସୁରକ୍ଷିତ ଭାବରେ କୁର୍ଦ୍ଦିସ୍ତାନ ସୀମା ପାର କରାଇ ଦେଇଥିଲେ । ଆଇଏସ୍‌ର ଆଡ୍ଡା ଛାଡ଼ି ଜୀବନ ଯୁଦ୍ଧର ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ସାହସ ବାନ୍ଧିଥିଲେ ନାଦିଆ । ହାରି ନଯାଇ ନୂଆ ଜୀବନ ଜିଇଁବାକୁ ସଂଗ୍ରାମ ଆରମ୍ଭ କରିଥିଲେ ।

NADIA_3

ନିର୍ଯାତିତଙ୍କ ଆଶାର କିରଣ

ନିଜ ସହ ଯାହା ଘଟିଲା, ଯେମିତି ଆଉ କାହା ସହ ନଘଟୁ ସେହି ପଣ କରି ଆଗକୁ ବଢ଼ିଥିଲେ ନାଦିଆ । ନିର୍ଯାତିତଙ୍କ ଆଶାର କିରଣ ହୋଇଛନ୍ତି । ହଜାର ହଜାର ଦୁଷ୍କର୍ମ ପୀଡ଼ିତାଙ୍କୁ ଦେଖାଇଛନ୍ତି ବଞ୍ଚିବାର ନୂଆ ରାହା । ତାଙ୍କ ଜାଗାରେ ଆଉ କେହି ଥିଲେ ହୁଏତ ଆତ୍ମହତ୍ୟା କରିଥାନ୍ତା କିମ୍ବା ମାନସିକ ଯନ୍ତ୍ରଣାରେ ଜର୍ଜରିତ ହେଉଥାନ୍ତା । ହେଲେ ଯନ୍ତ୍ରଣାଦାୟକ ଜୀବନରୁ ନାଦିଆ ଅନେକ କିଛି ଶିଖିଛନ୍ତି । ଯାହାକୁ ସେ ସକାରାତ୍ମକ ଭାବେ ଗ୍ରହଣ କରି ନିଜକୁ ତିଆରି କରିଛନ୍ତି ଅନ୍ୟର ପଥ ପ୍ରଦର୍ଶକ ଭାବେ । ସେଥିଲାଗି ସେ କହିଛନ୍ତି ମୋ ଅଙ୍ଗେ ନିଭା କାହାଣୀ ମୁଁ ସମସ୍ତଙ୍କୁ କହିବି । ଏଇ କାହାଣୀ ହେଉଛି ମୋର ଅସ୍ତ୍ର ।

nadia-4

You might also like