ଦୁର୍ଦ୍ଦାନ୍ତ ଅପରାଧୀ ରବି ଦାସକୁ ମାରଣାସ୍ତ୍ରରେ ହାଣିଲେ ନିଜର ଦୁଇ ପୁତୁରା

ବ୍ରହ୍ମପୁର: ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ । ଅତି ବିଭତ୍ସ ହତ୍ୟା । ପୁତୁରା ହାତରେ ଗଲା ଦାଦାର ଜୀବନ । ଦୁର୍ଦ୍ଦାନ୍ତ ଅପରାଧୀ ରବି ଦାସକୁ ମାରଣାସ୍ତ୍ରରେ ହାଣିଲେ ନିଜର ଦୁଇ ପୁତୁରା । ହତ୍ୟା ପରେ ବୋମା ଫୁଟାଇ ଫେରାର ହୋଇଗଲେ ହତ୍ୟାକାରୀ । ଏଭଳି ଘଟଣା ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ହରିପୁର ଗାଁରେ ଘଟିଛି ।
ପୁରା ଗାଁରେ ଚହଳ ପଡ଼ିଛି । ପରିବାର ଲୋକଙ୍କ କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପୂରା ପରିବେଶ । ପୂର୍ବ ଶତ୍ରୁତାକୁ ନେଇ ରବି ଦାସ ଏବଂ ତାଙ୍କ ପୁତୁରାଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥଲା । ଯାହା ଫଳରେ ଦୁଇ ଜଣ ପୁତୁରା ନିଜର ଆଉ ୨ ଜଣ ସାଙ୍ଗ ସହ ମିଶି ଦାଦା ତଥା ଅପରାଧୀ ରବି ଦାସଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଆକ୍ରମଣରେ ରବି ଦାସଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ପରେ ବୋମା ପକାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ହତ୍ୟାକାରୀମାନେ । ଖଲ୍ଲିକୋଟ ଥାନା ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ସେପଟେ ମୃତ ରବି ଦାସଙ୍କ ନାମରେ ହତ୍ୟା ଓ ଅପରାଧିକ ମାମଲା ରହିଥିବା ବେଳେ ସେ କିଛି ଦିନ ତଳେ ଜେଲରୁ ଫେରିଥିଲେ ।
ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟା କାଣ୍ଡ ହୋଇଥିବା ବେଳେ ଦେଶୀ ମଦ ବୀକ୍ରିକୁ ନେଇ ହୋଇଥିବା ଅଭିଯୋଗ ହୋଇଛି । ମୃତ ରବି ଦାସ ହରିପୁର ଛାଡି ଅନ୍ୟତ୍ର ରହୁଥିବା ବେଳେ ଗତ କାଲି ରାତିରେ ନିଜ ଗାଁକୁ ଆସିଥିଲେ । ତେବେ ପୂର୍ବରୁ ହତ୍ୟାକାରୀ ମାନେ ଛକି ରହିଥିଲେ । ରବିଦାସ ଘରୁ ବାହାରୁଥିବା ବେଳେ ଅତର୍କିତ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଏହା ସହ ତାଙ୍କ ମୋବାଇଲ ଓ ବୁଲେଟ ମୋଟର ସାଇକେଲକୁ ମଧ୍ୟ ହତ୍ୟାକାରୀ ମାନେ ନେଇ ଯାଇଥିବା ମୃତ ରବି ଦାସଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି ।
Also Read:ଅଳ୍ପକେ ବଞ୍ଚିଗଲା ଜୀବନ, ଯୁବକଙ୍କୁ ପାଣିରୁ ଛାଣି ଆଣିଲେ ସ୍ଥାନୀୟ ଲୋକ ଓ ମତ୍ସ୍ୟଜୀବୀ