ଏବେ ହାତୀଙ୍କୁ ମାରୁଛନ୍ତି ଜଣେ ନୁହେଁ ଶହ ଶହ ବିରାପ୍ପାନ, କିଛି ପ୍ରତିକାର ଅଛି କି ?

ପ୍ରକୃତିକୁ ନେଇ ବଞ୍ଚେ ମଣିଷ । ଖାଲି ମଣିଷ ନୁହେଁ, ମଣିଷ ସହ ପଶୁପକ୍ଷୀ, କୀଟ ପତଙ୍ଗ ଏବଂ ବୃକ୍ଷଲତା ସମସ୍ତେ ପ୍ରକୃତି ଉପରେ ହିଁ ନିର୍ଭର କରିଥାନ୍ତି । ତେବେ ଏ ଇହ ଜଗତରେ ମଣିଷ ହେଉଛି ସବୁଠାରୁ ଶ୍ରେଷ୍ଠ ପାଣି । ଯିଏ କଥା କହିପାରେ । ନିଜ ଭାବନାକୁ ବ୍ୟକ୍ତ କରିପାରେ । ତେଣୁ ଜୀବଜନ୍ତୁ ଓ ବୃକ୍ଷଲତାଙ୍କ ପ୍ରତି ସମ୍ବେଦନଶୀଳ ରହିବା ଏବଂ ସେମାନଙ୍କ ପ୍ରତି ଯତ୍ନବାନ ହେବା ପାଇଁ ଶାସ୍ତ୍ରରେ ନିର୍ଦ୍ଦେଶ ଓ ପରାମର୍ଶ ଦିଆଯାଇଛି । ତେଣୁ ଆମ ଶାସ୍ତ୍ରରେ ଅନେକ ଦେବଦେବୀଙ୍କ ବାହନ ରୂପେ ବିଭିନ୍ନ ଜୀବଜନ୍ତୁଙ୍କୁ ପୂଜାର୍ଚ୍ଚନା କରିଥାଉ ।

ELE-1

ଖାଲି ସେତିକି ନୁହେଁ ଦେବାଦେବୀମାନଙ୍କ ବିଭିନ୍ନ ରୂପ ଏବଂ ବେଶ ମଧ୍ୟ ଜୀବଜନ୍ତୁମାନଙ୍କୁ ନେଇ କଳ୍ପନା କରାଯାଇଛି । ଜଗତର ନାଥ ଜଗନ୍ନାଥଙ୍କ ଗଜାନନ ବେଶ ହେଉ କି ଲକ୍ଷ୍ମୀଙ୍କ ଗଜଲକ୍ଷ୍ମୀ ବେଶ କିମ୍ବା ପୁରାଣରେ ଗଣେଶଙ୍କ ଜନ୍ମ କାହାଣୀ ହେଉ ସବୁଥିରେ ବିଶାଳକାୟ ଜୀବ ଗଜର ଅବତାରଣା କରାଯାଇଛି । ଏମିତିକି ପ୍ରଭୁ ନାରାୟଣ କୁମ୍ଭୀର କବଳରୁ ଗଜ ଉଦ୍ଧାର କରିଥିବାର ପୌରାଣିକ କାହାଣୀ ରହିଛି । କିନ୍ତୁ ଦୁଃଖ ଏବଂ ପରିତାପର ବିଷୟ ବର୍ତ୍ତମାନ ସମୟରେ ଗଜରାଜଙ୍କ ଜୀବନ ସମ୍ପୂର୍ଣ ବିପଦରେ ।

ELE-3ଯଦି ଆମେ ଟିକେ ଏ ବିଷୟରେ ଆଲୋଚନା କରିବା ତାହେଲେ ଜାଣିପାରିବା ଆମ ଭୁଲ କେଉଁଠି ରହୁଛି ଏବଂ କାହିଁକି ଏମାନଙ୍କ ଜୀବନ ଆଜି ବିପଦରେ । ଡେରି ତ ହୋଇ ସାରିଛି ତଥାପି ଏବେ ଠାରୁ ଆମେ ଟିକିଏ ସତର୍କ ନରିଲେ ଦିନ ଆସିବ ଏଭଳି ଏକ ବିଶାଳକାୟ ଜୀବ ପୃଥିବୀପୃଷ୍ଠରୁ ଲୋପ ପାଇ କେବଳ ଇତିହାସ ପୃଷ୍ଠାରେ ଶୋଭା ପାଇବ । ଯେମିତି ଆଜି ଡାଇନୋସର ଭଳି କିଛି ଜୀବଙ୍କୁ କେବଳ ଚିତ୍ରରେ ଦେଖି ଆମେ ସେମାନଙ୍କ ଦିନେ ଅବସ୍ଥିତି ଥିଲା ବୋଲି ଅନୁମାନ କରୁଛେ ।
ହାତୀ (ଈଂରାଜୀରେ Elephant) ଏକ ବୃହତାକାର ଶୁଣ୍ଢ ଥିବା ସ୍ତନ୍ୟପାୟୀ ପ୍ରାଣୀ ।

ELE-6

ହାତୀ ହେଉଛି ସବୁଠାରୁ ବଡ଼ ସ୍ଥଳଚର ସ୍ତନ୍ୟପାୟୀ ଜୀବ । ଜୀବବିଜ୍ଞାନଙ୍କ ଅନୁଯାୟୀ ହାତୀକୁ ଏଲିଫେଣ୍ଟିଡାଏ ପରିବାରରେ ସ୍ଥାନିତ କରାଯାଇଛି । ପ୍ରାଚୀନ କାଳର ପ୍ରୋବୋଶିଡିଆ (ପ୍ରୋବୋଶିସ୍ ଶବ୍ଦର ଅର୍ଥ ଶୁଣ୍ଢ) ପରିବାରରୁ କେବଳ ଏଲିଫେଣ୍ଟିଡାଏ ପରିବାର ବର୍ତ୍ତମାନ ଜୀବିତ ରହିଛି; କିନ୍ତୁ ଅନ୍ୟ ପରିବାର ଯଥା ଡାଏନୋଥେରିସ୍, ଗୋମ୍ଫୋଥିଅର୍, ମାମ୍ମଥ୍ ଓ ମାଷ୍ଟୋଡନ୍ ଇତ୍ୟାଦିର ଜୀବସମୂହ ଲୋପ ପାଇଗଲେଣି । ଏବେ ସମୟ ଆସିଛି କିଭଳି ଭାବେ ବଞ୍ଚି ରହିଥିବା ଏହି ଜୀବର ଜୀବନକୁ ଆମେ ସୁରକ୍ଷା ଦେବା ।

ELE-7ହାତୀ ଏବଂ ମଣିଷର ସମ୍ପର୍କ ବହୁ ପୁରୁଣା । ଆମମାନଙ୍କ ଭଳି ହାତୀ ପରିବାର ବା ଦଳରେ ରହିବାକୁ ପସନ୍ଦ କରିଥାଏ । ସାଧାରଣତଃ ହାତୀମାନେ ତୃଣଭୋଜି ଜୀବ । ସାଭାନ୍ନା ତୃଣଭୂମି, ଜଙ୍ଗଲ, ମରୁଭୂମି, ସନ୍ତସନ୍ତିଆ ଏପରି ବିଭିନ୍ନ ପରିବେଶରେ ହାତୀମାନେ ବାସ କରନ୍ତି । ହାତୀମାନେ ସବୁବେଳେ ଜଳାଶୟ ବା ନଦୀ ଆଖପାଖରେ ରହିବାକୁ ପସନ୍ଦ କରନ୍ତି । ହାତୀମାନଙ୍କ ସଂଖ୍ୟା ଉପରେ ସେମାନେ ରହୁଥିବା ପରିବେଶର ସନ୍ତୁଳନ ନିର୍ଭର କରେ । ପ୍ରାୟ ସମସ୍ତ ଜୀବ ହାତୀଙ୍କଠାରୁ ଦୂରରେ ରହିବାକୁ ପସନ୍ଦ କରନ୍ତି ।

ELE-8ହାତୀମାନଙ୍କ ପରିବାର ସର୍ବଦା ଭଙ୍ଗା-ଯୋଡ଼ା ହେଉଥାଏ । ବିଭିନ୍ନ ପରିବାର ଏକାଠି ରୁହନ୍ତି । ବହୁ ମାଈ ହାତୀ ନିଜ ଛୁଆ, ସମ୍ପର୍କୀୟ ମାଈ ହାତୀ ଓ ସେମାନଙ୍କ ଛୁଆମାନଙ୍କ ସହିତ ମିଶି ରହିବାର ଦେଖା ଯାଇଥାଏ । ସବୁଠାରୁ ବୟସ୍କା ମାଈ ହାତୀ ଏହି ମିଳିତ ଦଳ ବା ପରିବାରର ନେତୃତ୍ୱ ନିଏ । ପ୍ରାକୃତିକ ପରିବାସରେ ରହୁଥିବା ହାତୀମାନେ ପ୍ରାୟ ୭୦ ବର୍ଷ ବଞ୍ଚନ୍ତି । ସ୍ପର୍ଶ, ଦୃଷ୍ଟି, ଘ୍ରାଣ ଓ ଶବ୍ଦ ସହାୟତାରେ ଏମାନେ ପରସ୍ପର ସହ ଯୋଗାଯୋଗ କରିଥାନ୍ତି । ହାତୀମାନେ ଦୂରକୁ ବାର୍ତ୍ତା ପଠାଇବା ପାଇଁ ଇନ୍ଫ୍ରାସାଉଣ୍ଡ ଓ କମ୍ପନ ମାଧ୍ୟମ (seismic communication) ବ୍ୟବହାର କରନ୍ତି । ହାତୀର ବୁଦ୍ଧିମତ୍ତାକୁ ବଣ ମଣିଷମାନଙ୍କ ସହ ତୁଳନା କରାଯାଏ । ହାତୀମାନଙ୍କ ସ୍ମରଣ ଶକ୍ତି ମଧ୍ୟ ଅତ୍ୟନ୍ତ ପ୍ରଖର । ମୃତ ବା ମୃତ୍ୟୁ ଅପେକ୍ଷାରେ ରହିଥିବା ଅନ୍ୟ ଏକ ହାତୀ ପ୍ରତି ଏମାନେ ଅତ୍ୟନ୍ତ ସମ୍ବେଦନଶୀଳତା ପ୍ରଦର୍ଶନ କରିଥାନ୍ତି ।

ELE-9

ସେଥିପାଇଁ ହୁଏତ ହାତୀ ଓ ମଣିଷର ସମ୍ପର୍କ ଅତି ନିବିଡ଼ । ତାହେଲେ କାହିଁକି ମଣିଷ ଓ ହାତୀର ଲଢେଇ ହେଉଛି । ଆମେ ମଣିଷ ସଭ୍ୟତାର ବିକାଶ ପାଇଁ ପରିବେଶକୁ ବିନାଶ କରୁଛେ ଯାହାର ଫଳ ଏହି ନିରୀହ ପ୍ରାଣୀମାନଙ୍କ ଉପରେ ପଡୁଛି । ରାସ୍ତାଘାଟର ଅହେତୁକ ନିର୍ମାଣ ଫଳରେ ଧୀରେ ଧୀରେ ଜଙ୍ଗଲର ଅସ୍ତିତ୍ବ ଲୋପ ପାଇବାକୁ ବସିଲାଣି । ସେହିପରି ଦ୍ରୁତ ଶିଳ୍ପାୟନ ଫଳରେ ଆମେ ବିଭିନ୍ନ ସମୟରେ ହାତୀ କରିଡର ସବୁକୁ ନିଜ ଆୟତ୍ତ ଭିତରକୁ ନେଇ ଆସିଲେଣି । ହାତୀ ମାନଙ୍କ ଚଲାପଥ ସମ୍ପୂର୍ଣ ବନ୍ଦ ହେବାକୁ ବସିଲାଣି । ଜଙ୍ଗଲଜାତ ଦ୍ରବ୍ୟ ଯଥା ଶାଳ ପତ୍ର, କେନ୍ଦୁ, ମହୁଲ ଭଳି ଅନେକ ଖାଦ୍ୟକୁ ମଣିଷ ଲୁଟୁଛି । ଆଉ ହାତୀ ପାଇଁ ଜଙ୍ଗଲରେ ଖାଦ୍ୟ ସଙ୍କଟ ଦେଖା ଦେଉଛି । ସେମାନେ ବାଧ୍ୟ ହୋଇ ଖାଦ୍ର ଅନେ୍ଵଷଣରେ ଜନବସତି ଭିତରକୁ ପଶି ଆସୁଛନ୍ତି । ଯାହାଦ୍ୱାରା ମଣିଷ ଏବଂ ହାତୀ ମଧ୍ୟରେ ଲଢେଇ ହେଉଛି । କେତେବେଳେ ମଣିଷର ପ୍ରାଣ ଯାଉଛି ତ ପୁଣି କେତେବେଳେ ନିରୀହ ପଶୁଟିର ।

ELE-11ସେହିପରି ଅତି ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ଜଙ୍ଗଲ ଦେଇ ଯିବା ଫଳରେ ବିଦ୍ୟୁତ ଆଘାତରେ ମଧ୍ୟ ହାତୀର ପ୍ରାଣ ଯାଉଛି । ଖାଲି ସେତିକି ନୁହେଁ ଜଙ୍ଗଲ ଦେଇ ଯାଇଥିବା ଲମ୍ବା ରେଳପଥ ବି ଏଇ ବିଶାଳକାୟ ଜୀବମାନଙ୍କ ପାଇଁ ଘାତକ ସାଜୁଛି । କେତେବେଳେ ମାଆ ହାତୀ ସହ ସାବକର ପ୍ରାଣ ଯାଉଛି ତ ପୁଣି କେବେ ହାତୀ ଦଳର ବଂଶ ନିପାତ ହେଇଯାଉଛି । ବିକାଶ ନାଁରେ ରାଜପଥ, ରେଳପଥ, ନଦୀବନ୍ଧ ଓ ରାସ୍ତାଘାଟ ହେବା ଦ୍ୱାରା ହାତୀମାନଙ୍କ ଚଲାପଥ ସଙ୍କୁଚିତ ହେଇଯାଉଛି । ସେମାନେ ସେମାନଙ୍କ ଗତିପଥରେ ପରିବର୍ତ୍ତନ ଆଣୁଛନ୍ତି ଏବଂ ତାହା ମାନବ ସମାଜକୁ କ୍ଷତି ପହଞ୍ଚାଉଛି।

ELE-14କେରଳରେ ହାତୀକୁ ଖାଦ୍ୟରେ ବିସ୍ପୋରକ ଦେଇ ମାରିଥିବା ଖବର ଏବେ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସାମାଜିକ ଗଣମାଧ୍ୟମ ଠାରୁ ଆରମ୍ଭ କରି ସମସ୍ତ ଗଣମାଧ୍ୟମରେ ଏଡା ବିରୋଧରେ ସ୍ୱର ଏବେ ତୀବ୍ର ହେବାରେ ଲାଗିଛି । ହେଲେ ଏଇ ସ୍ୱର କିଛି ଦିନ ପରେ ଥମିଯିବ । ପୁଣି ମଣିଷ ହାତରେ ହାତୀ ମରିବେ ଅବା ହାତୀ ପାଦରେ ମଣିଷ ।
ସତରେ ଯଦି ମଣିଷ ଟିକେ ସଚେତନ ହୁଅନ୍ତା ତାହେଲେ ଏଭଳି ପରିସ୍ଥିତି ହୁଏତ ସୃଷ୍ଟି ହେଉନଥାନ୍ତା । ହାତୀ ସବୁବେଳେ ମଣିଷର ସାଥୀ । ହାତୀକୁ ନେଇ ଆମ ସଭ୍ୟତାରେ ଅନେକ କାହାଣୀ ରଚନା ହେଇଛି । ଇତିହାସ ପୃଷ୍ଠାକୁ ଦେଖିଲେ ଜଣାପଡେ ହାତୀ ମାନବ ସମାଜର ଅନେକ ଐତିହାସିକ କୃତିରେ ଭାଗିଦାରୀ । କେତେବେଳେ ଯୁଦ୍ଧରେ ତ ପୁଣି କେତେବେଳେ ବଡ ବଡ ଐତିହ୍ୟ କୃତି ନିର୍ମାଣରେ । ହାତୀ ପିଠିରେ ବଡ ବଡ ପଥର ବୋଝ ଲଦି ସଭ୍ୟତା ଗଠନ ପାଇଁ ହାତୀକୁ ବ୍ୟବହାର କରାଯାଇଛି । ସେ ବିରାଟ ପ୍ରାସାଦ ହେଉ କି ମନ୍ଦିର । ହାତୀର ବିନା ସହାୟତାରେ ଏ ସବୁ ନିର୍ମାଣ ସମ୍ଭବ ହେଉ ନଥିଲା।

ELE-15

ଦୁଃଖ ପରିତାପର ବିଷୟ ଆଜି ବିଶ୍ୱରେ ହାତୀର ସଂଖା ଦିନକୁ ଦିନ ଲୋପ ପାଇବାକୁ ବସିଛି । ସାରା ବିଶ୍ୱରେ ୫୦ ହଜାର ହାତୀ ଥିବା ବେଳେ ସେଥିରୁ କେବଳ ଭାରତରେ ଅଛନ୍ତି ୩୦ ହଜାର । ଦିନେ ଜଙ୍ଗଲ ଦସ୍ୟୁ ବିରାପାନ ହାତୀମାନଙ୍କୁ ମାରି ତାର ବହୁମୂଲ୍ୟ ଦାନ୍ତ ବିକ୍ରି କରୁଥିଲା । ହେଲେ ସେ ମଲାପରେ ଏବେ ଯେମିତି ଜନ୍ମ ନେଇଛନ୍ତି ହଜାର ହଜାର ବିରାପାନ । ଯେଉଁମାନଙ୍କ ପାଇଁ ପ୍ରତିଦିନ ହାତୀ ଜୀବନ ବିପନ୍ନ ହେଉଛି । ଏଇ ପୃଥିବୀରେ ବିଶାଳ ଜୀବର ଜୀବନ ନିହାତି ବଞ୍ଚି ରହିବା ଦରକାର ।

ELE-16

ନହେଲେ ଆମ ଉତ୍ତର ପିଢ଼ି ଡାଇନୋସର ଭଳି କେବଳ ବହିରେ ଦେଖିବାକୁ ପାଇବେ ହାତୀର ଚିତ୍ର। ଆଉ ଆମେ ପିଲାଙ୍କୁ ବୁଝାଇ ପାରିବାନି ଯେ କାହିଁକି କୁହାଯାଉଥିଲା ‘ହାତୀ ମଲେ ଲକ୍ଷେ ଜୀଇଲେ ଲକ୍ଷେ’ । ପୁଣି କଥାରେ ଅଛି ହାତୀ ମଲେ ଦେଶକୁ କ୍ଷତି । ହେଲେ ଏକଥା ବୁଝିବାକୁ ମଣିଷର ମନ ଅଛି ତ ?

ସତ୍ୟଜିତ୍ ମହାଂତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.