ପୂର୍ବାପେକ୍ଷା ବର୍ତ୍ତମାନ ଚକ୍ଷୁଦାନ ପ୍ରତି ଲୋକଙ୍କ ଆଗ୍ରହ ବଢ଼ୁଛି: ଦୃଷ୍ଟିବାଧିତଙ୍କ ପାଇଁ ବରଦାନ ପାଲଟିଛି ବ୍ରହ୍ମପୁର ଏମକେସିଜି
ବ୍ରହ୍ମପୁର: ଚକ୍ଷୁ ଦାନ କଲେ ଆର ଜନ୍ମରେ କୌଣସି ଅଙ୍ଗ ଖରାପ ହୋଇଥାଏ ବୋଲି ରହିଛି ଅନ୍ଧବିଶ୍ୱାସ । କିନ୍ତୁ ଏହି ଅନ୍ଧବିଶ୍ୱାସ ଉପରେ ଧିରେ ଧିରେ ଲୋକଙ୍କ ଆସ୍ଥା ମଧ୍ୟ ତୁଟିସାରିଛି । କାରଣ ପୂର୍ବ ଅପେକ୍ଷା ବର୍ତ୍ତମାନ ଚକ୍ଷୁଦାନ ପ୍ରତି ଲୋକଙ୍କ ଆଗ୍ରହ ବଢ଼ୁଛି । ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ରହିଥିବା ଚକ୍ଷୁ ଭଣ୍ଡାରରେ ଦିନକୁ ଦିନ ଚକ୍ଷୁଦାନ ବୃଦ୍ଧି ପାଉଥିବା ବେଳେ ଚକ୍ଷୁ ପ୍ରତିରୋପଣ ମଧ୍ୟ ବୃଦ୍ଧି ପାଇଛି । ୨୦୨୦-୨୧ ମସିହାରେ ୨୬ଟି ଚକ୍ଷୁର ଆଖିର ପ୍ରଥମ ଭାଗ ତଥା ସ୍ୱଚ୍ଛ ପଟଳ ସଂଗ୍ରହ କରାଯାଇଥିବା ବେଳେ ୮ଜଣଙ୍କୁ ପ୍ରତିରୋପଣ କରାଯାଇଛି । ଠିକ୍ ସେହିପରି ୨୦୨୧-୨୨ରେ ୪୦ଟି ସ୍ୱଚ୍ଛ ପଟଳ ସଂଗ୍ରହ ୧୩ ଜଣଙ୍କୁ ପ୍ରତିରୋପଣ, ୨୦୨୨-୨୩ରେ ୭୪ଟି ସ୍ୱଚ୍ଛପଟଳ ସଂଗ୍ରହ ୩୫ ଜଣଙ୍କୁ ପ୍ରତିରୋପଣ, ୨୦୨୩-୨୪ରେ ୮୬ଟି ସ୍ୱଚ୍ଛପଟଳ ସଂଗ୍ରହ ୨୪ ଜଣଙ୍କୁ ପ୍ରତିରୋପଣ, ସେହିପରି ୨୦୨୪ରୁ ବର୍ତ୍ତମାନ ପର୍ଯ୍ୟନ୍ତ ୪୮ଟି ସ୍ୱଚ୍ଛପଟଳ ସଂଗ୍ରହ ଓ ୧୨ ଜଣଙ୍କୁ ପ୍ରତିରୋପଣ କରାଯାଇଛି ।
ସହରର ବିଭିନ୍ନ ଏନଜିଓ ଜରିଆରେ ମୃତ ବ୍ୟକ୍ତିଙ୍କ ନିକଟରେ ଚକ୍ଷୁ ବିଭାଗର ଡ଼ାକ୍ତର ମାନେ ପହଞ୍ଚିଥାନ୍ତି । ମୃତ୍ୟୁ ହେବାର ୬ ଘଣ୍ଟା ମଧ୍ୟରେ ମୃତ ବ୍ୟକ୍ତିଙ୍କ ଆଖିରୁ ସ୍ବଚ୍ଛ ପଟଳକୁ ବାହାର କରି ଦିଆଯାଇଥାଏ । ତାହାକୁ ଅଣାଯାଇ ଚକ୍ଷୁ ବିଭାଗରେ ରହିଥିବା ଚକ୍ଷୁ ଭଣ୍ଡାରେ ରଖାଯିବା ପରେ ଏହାକୁ ଏଚଆଇଭି, ଏଚ୍ବିଏସ୍ସି, ଭିଡ଼ିଆରଏଲ ପରୀକ୍ଷା କରାଯାଏ । ପରୀକ୍ଷାରେ କିଛି ନ ବାହାରିଲେ ତାହାକୁ ଅନ୍ୟ ଦୃଷ୍ଟିବାଧିତ ଲୋକଙ୍କ ଆଖିରେ ପ୍ରତିରୋପଣ କରାଯାଇଥାଏ । ଯଦି ପରୀକ୍ଷାରେ ପଜିଟିଭ ବାହାରେ ତେବେ ତାହାକୁ ଡ଼ାକ୍ତରୀ ଛାତ୍ରୀଙ୍କ ଗବେଷଣା ନିମନ୍ତେ ରଖାଯାଇଥାଏ ବୋଲି କହିଛନ୍ତି ଚକ୍ଷୁ ବିଭାଗର ବରିଷ୍ଠ ଡ଼ାକ୍ତର ଶରିତା ପଣ୍ଡା ।
ଦୃଷ୍ଟିବାଧିତ ଲୋକେ ଚକ୍ଷୁ ବିଭାଗରେ ପହଞ୍ଚିବା ପରେ ସେମାନଙ୍କ ଦୃଷ୍ଟି କିଭଳି ଯାଇଛି ସେ ନେଇ ବିଭିନ୍ନ ପରୀକ୍ଷା କରିବା ସହିତ କେବଳ ଆଖିର ପ୍ରଥମ ଭାଗ ତଥା ସ୍ୱଚ୍ଛ ପଟଳ ହିଁ ଖରାପ ଅଛି କି ଭିତର ଭାଗ ଖରାପ ଅଛି ତାହା ଦେଖାଯାଇଥାଏ । କେବଳ ସ୍ୱଚ୍ଛ ପଟଳ ଖରାପ ଥିଲେ ସେହି ବ୍ୟକ୍ତିଙ୍କୁ ପୂର୍ବରୁ ସଂଗୃହିତ କରି ରଖାଯାଇଥିବା ମୃତ ବ୍ୟକ୍ତିଙ୍କ ସ୍ୱଚ୍ଛ ପଟଳକୁ ସେମାନଙ୍କ ଆଖିରେ ଲଗାଯାଇ ଅପରେଶନ କରାଯାଇଥାଏ । ଅପରେସନର ଦୁଇ ଦିନ ପର୍ଯ୍ୟନ୍ତ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚକ୍ଷୁ ବିଭାଗର ଓ୍ବାର୍ଡ଼ରେ ରଖାଯିବା ପରେ ତାହାର ଆଖିରୁ ପଟି ବାହାର କରିଦିଆଯାଇଥାଏ ।
ଏହାପରେ ମଧ୍ୟ ଡ଼ାକ୍ତର ମାନେ ସମ୍ପୃକ୍ତ ବ୍ୟକ୍ତିଙ୍କ ନିକଟରେ ପହଞ୍ଚି ପୂର୍ବ ଅପେକ୍ଷା ସେମାନଙ୍କ ବର୍ତ୍ତମାନ କିଭଳି ଦେଖାଯାଉଛି ସେ ନେଇ ପଚାରି ବୁଝିଥାନ୍ତି । ଆଉ ପୂର୍ବ ଭଳି ଦୃଷ୍ଟିଶକ୍ତି ଫେରିପାଇଥିବା ଯୋଗୁଁ ଖୁସୀ ବ୍ୟକ୍ତ କରିଥାନ୍ତି ନୂତନ ଭାବେ ପୁଣି ଦୃଷ୍ଟିଶକ୍ତି ପାଇଥିବା ବ୍ୟକ୍ତି । ସେପଟେ ଚକ୍ଷୁଦାନ ପ୍ରତି ସଚେତନତା ବୃଦ୍ଧି କରାଯିବା ପରେ ବର୍ତ୍ତମାନ ସହରର ଅନେକ ଲୋକେ ଏଥିପ୍ରତି ଆଗେଇ ଆସିଥାନ୍ତି । ନିଜ ସମ୍ପର୍କୀୟଙ୍କ ମୃତ୍ୟୁ ପରେ ଏମକେସିଜି ମେଡ଼ିକାଲକୁ ଚକ୍ଷୁଦାନ କରିଥାନ୍ତି । ଚକ୍ଷୁଦାନ କରିବା ପରେ ସେହି ଚକ୍ଷୁଙ୍କୁ ଅନ୍ୟ ଲୋକଙ୍କୁ ପୁଣି ପ୍ରତିରୋପଣ ହେବା ପରେ ନିଜ ମୃତ ସମ୍ପର୍କୀୟଙ୍କୁ ଜୀବନ୍ତ ପାଇଲା ଭଳି ମନେ ହୋଇଥାଏ ବୋଲି କହିଛନ୍ତି ଚକ୍ଷୁଦାନ କରିଥିବା ସମ୍ପର୍କୀୟ ।
ଏପଟେ ଆଗାମୀ ଦିନରେ ଦୃଷ୍ଟିବାଧିତ ଲୋକଙ୍କ ପାଇଁ ପୁଣି ଥରେ ଦୃଷ୍ଟିଶକ୍ତି ଫେରିପାଇବା ଆଉ କାଠିକର ପାଠ ହେବ ନାହିଁ ବୋଲି କହିଛନ୍ତି ଫ୍ରେଣ୍ଡସ ହେଲପିଂ କ୍ଲବର ସଭାପତି । ତେବେ ପୂର୍ବରୁ ଲୋକେ ଚକ୍ଷୁଦାନ ପ୍ରତି ଆଗ୍ରହ ନଥିବା ବେଳେ ବର୍ତ୍ତମାନ ଏମକେସିଜି ମେଡ଼ିକାଲର ଚକ୍ଷୁ ବିଭାଗ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କର ମିଳିତ ସହଯୋଗରେ ସଚେତନତା କାର୍ଯ୍ୟକ୍ରମ କରାଯିବା ଫଳରେ ବର୍ତ୍ତମାନ ଚକ୍ଷୁଦାନ ବୃଦ୍ଧି ପାଇଛି ।