ଓଏଏସ୍ ଅଫିସରଙ୍କ ପ୍ରେମ ବ୍ୟାପାର ବିବାଦ ନେଲା ଭିନ୍ନ ମୋଡ଼, ଜାଣନ୍ତୁ ପୂରା ଘଟଣା

ଓଏଏସ୍ ଅଫିସରଙ୍କ ପ୍ରେମ ବ୍ୟାପାର ବିବାଦ ନେଲା ଭିନ୍ନ ମୋଡ଼ । ଯୁବତୀଙ୍କୁ ବୋହୂ କରିବାକୁ ରାଜି ହେଲେ ଓଏଏସ୍ ଙ୍କ ପରିବାର । ଓଏଏସ ଅଫିସର ଓ ତାଙ୍କ ପ୍ରେମିକାଙ୍କ ମଧ୍ୟରେ ଲାଗିଥିବା ବିବାଦର ସମାଧାନ ହୋଇଛି ଥାନାରେ ।

ଶନିବାର ଦିନ ଓଏଏସ ଅଫିସରଙ୍କ ପରିବାର ଏବଂ ଯୁବତୀଙ୍କ ମଧ୍ୟରେ ଆପୋଷ ବୁଝାମଣା ପରେ ସମାଧାନ ହୋଇଛି । ଓଏଏସ ଅଫିସରଙ୍କ ବାପା, ମା’ ଏବଂ ଯୁବତୀ ଜଣକ ଜଗତସିଂହପୁର ଟାଉନ ଥାନାରେ ଉପସ୍ଥିତ ହୋଇଥିଲେ । ଥାନା ଅଧିକାରୀ ପ୍ରଭାସ ସାହୁଙ୍କ ହସ୍ତକ୍ଷେପରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଥିଲା । ଉଭୟ ପକ୍ଷର ସହମତିରେ ଅଭିଯୋଗକାରିଣୀ ଯୁବତୀଙ୍କୁ ନିଜ ଘରକୁ ନେବା ପାଇଁ ରାଜି ହୋଇଥିଲେ  ଓଏଏସ ଅଫିସରଙ୍କ ପରିବାର ଲୋକେ । ଅପରପକ୍ଷରେ ଯୁବତୀ ଖୁସିରେ ଶାଶୁ ଶଶ୍ବରଙ୍କ ସହ ଯିବା ପାଇଁ ଉତ୍ସାହିତ ଅଛନ୍ତି ।

ଜଗତସିଂହପୁର ଟାଉନ ଥାନାରେ ଥାନା ଅଧିକାରୀଙ୍କ ପ୍ରୟାସରେ ଦୀର୍ଘ ସମୟ ଆଲୋଚନା ହୋଇଥିଲା । ଦୀର୍ଘ ୧ ଘଣ୍ଟାର ଆରୋପ ପ୍ରତ୍ୟାରୋପ ପରେ ଉଭୟ ପକ୍ଷଙ୍କ ଭିତରେ ସହମତି ହୋଇଥିଲା । ଯୁବତୀଙ୍କୁ ଘରକୁ ନେବା ପାଇଁ ଓଏଏସଙ୍କ ପରିବାର ଲୋକ ରାଜି ହୋଇଥିଲେ ।

ସୂଚନା ଥାଉ କି  ଯୁବତୀଙ୍କୁ ଦୀର୍ଘ ବର୍ଷ ହେବ ଓଏସ ବାବୁ ପ୍ରେମ କରି ଥିବା ନେଇ ଅଭିଯୋଗ କରିଥିଲେ ପୀଡ଼ିତା । ଲୁଚି ଛପି ବିବାହ କରିବା ସହ ଶାରୀରିକ ସମ୍ପର୍କ ମଧ୍ୟ ରଖିଲେ । କିନ୍ତୁ ଦୁଇମାସ ତଳେ ଓଏସ ପାଇବା ପରେ ଚଳଚ୍ଚିତ୍ରର କାହାଣୀ ପରି ଆଉ ଯୁବତୀଙ୍କ ସହ ସମ୍ପର୍କ ରଖିନଥିଲେ ଓଏସ ଅଫିସର କିମ୍ବା ତାଙ୍କର ପରିବାର ଲୋକେ । ଘଟଣାକୁ  ନେଇ ପୀଡ଼ୀତା ଥାନାର ଦ୍ବାରସ୍ଥ ହୋଇଥିଲେ । ଯୁବତୀ ଜଗତସିଂହପୁର ସଦର ଥାନାରେ ଏତାଲା ଦେବା ପରେ ପୋଲିସ ଏତାଲାକୁ ଗ୍ରହଣ କରିଥିଲା ।  ଅନ୍ୟପଟେ ପୀଡିତାଙ୍କର ସାବତ ମାଆ ଓ ନିଶାସକ୍ତ ଅବସ୍ଥାରେ ରହୁଥିବା ବାପା ତାଙ୍କୁ ବାପଘରେ ନିର୍ଯାତନା ଦେଉଥିଲେ ବୋଲି ଯୁବତୀ ଅଭିଯୋଗ କରିଥିଲେ। ଅସହାୟ ହୋଇ ସେ ଥାନାକୁ ନ୍ୟାୟ ପାଇଁ ଦୌଡ଼ିଥିଲେ । ଆଉ ଶେଷରେ ଏବେ ନ୍ୟାୟ ପାଇଛନ୍ତି ଯୁବତୀ । ଅଭିଯୁକ୍ତ ଓଏସ ଅଫିସର ବାବୁ ଜଣକ ହେଲେ ଜଗତସିଂହପୁର ମାର୍କଣ୍ଡପୁର ଅଂଚଳର ଗଣେଶ୍ବର ହାନ୍ସଦାଙ୍କ ପୁଅ ଆଲବର୍ଟ ହାନ୍ସଦା । ସେ ଦୁଇମାସ ତଳେ ନୂଆକରି ଓଏସ ପାଇବା ପରେ ଏବେ ମୟୂରଭଞ୍ଜରେ ତାଲିମ ନେଉଛନ୍ତି ।

Also Read: ରାଜଧାନୀରେ ନିଶାଶକ୍ତ ଅବସ୍ଥାରେ ହଙ୍ଗାମା କଲେ ଯୁବତୀ, ପୋଲିସକୁ କଲେ ନାକେଦମ