ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ କରିଆସିଛି । ବିଶେଷ କରି କୋଲକାତାର ଗଙ୍ଗା ଘାଟରେ ହଜାର ହଜାର ଓଡ଼ିଆ ଭାଷାଭାଷୀ ପଣ୍ଡିତ ଓ ପୂଜକ ନିଜ ବୃତ୍ତିକୁ ବଂଶ ପରମ୍ପରା କ୍ରମେ ସାଇତି ରଖିଛନ୍ତି । ସେମାନେ ମୂଳତଃ ଗଙ୍ଗା ଘାଟରେ ପୂଜାର୍ଚ୍ଚନା, ଶ୍ରାଦ୍ଧ, ଅସ୍ଥି ବିସର୍ଜନ ଭଳି କାର୍ଯ୍ୟ କରିବା ସହ ଭାଗ୍ୟ ଭବିଷ୍ୟତ ନିର୍ଣ୍ଣୟ ଏବଂ ଲୋକଙ୍କ ମନରେ ଆସ୍ଥା ଜନ୍ମାଇବା ପାଇଁ କାର୍ଯ୍ୟ କରିଥାଆନ୍ତି । ଏଭଳି କେତେକ ଗଙ୍ଗା ଘାଟ ରହିଛି ଯେଉଁଠି କି ଓଡ଼ିଆ ଭାଷାଭାଷୀମାନେ ପୂଜା କାର୍ଯ୍ୟ କରିବା ସହିତ ବ୍ୟବସାୟୀକ ପରିଧିକୁ ମଧ୍ୟ ପ୍ରସାରିତ କରିଛନ୍ତି । ଅଧିକାଂଶ ଗଙ୍ଗା ଘାଟରେ ଓଡ଼ିଆ ପୂଜକମାନଙ୍କ ସ୍ୱତନ୍ତ୍ର ଡେରା ରହିଛି ଏବଂ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ମଧ୍ୟଦେଇ ବସୁଧୈବ କୁଟୁମ୍ବକମ୍ ର ବାର୍ତ୍ତା ଦେଉଛନ୍ତି । ତେବେ ବର୍ତ୍ତମାନ ପରିସ୍ଥିତିରେ କେତେକ ବ୍ୟତିକ୍ରମୀ ଘଟଣା ସେମାନଙ୍କୁ ବିଚଳିତ କରିଛି। ଗଙ୍ଗା ତଟ ଛାଡ଼ି ଅନ୍ୟତ୍ର ଚାଲିଯିବା ପାଇଁ ସେମାନଙ୍କୁ ବାଧ୍ୟ କରାଯାଇଛି ।

କୋଲକାତାର ଗୁରୁତ୍ୱପୂର୍ଣ୍ଣ ଗଙ୍ଗା ଘାଟ ମଧ୍ୟରୁ ଛୋଟୁଲାଲ ଘାଟ ଅନ୍ୟତମ । ଏହି ଘାଟରେ ପ୍ରାୟ ଶତାଧିକ ଓଡ଼ିଆ ପଣ୍ଡିତ ଓ ପୂଜକ ବଂଶ ପରମ୍ପରା କ୍ରମେ ପୂଜାକାର୍ଯ୍ୟ କରିଆସୁଛନ୍ତି । ତେବେ ବର୍ତ୍ତମାନ ଏହି ଘାଟକୁ କୋଲକାତା ପୋର୍ଟ ଟ୍ରଷ୍ଟ ଭାଙ୍ଗି ନୂତନ ରୂପ ଦେବାକୁ ଚାହେଁ । ପୂଜା କରୁଥିବା ଓଡ଼ିଆ ପଣ୍ଡିତମାନଙ୍କୁ ସେମାନଙ୍କ ଡେରା ଛାଡ଼ିଦେବା ପାଇଁ ବାଧ୍ୟ କରାଯାଉଛି । ଏପରିକି ସେମାନଙ୍କ ପୂଜା ସ୍ଥାନକୁ ମଧ୍ୟ ଭାଙ୍ଗି ଦେବାର ପରିକଳ୍ପନା ଗ୍ରହଣ କରାଯାଇଛି । ପୂର୍ବରୁ କଲକାତା ପୋର୍ଟ ଟ୍ରଷ୍ଟ ସେମାନଙ୍କୁ ଭେଣ୍ଡର ସ୍ୱୀକୃତି ପ୍ରଦାନ କରିଥିଲା । ବର୍ତ୍ତମାନ ପରିସ୍ଥିତିରେ ସେହି ସ୍ଵୀକୃତିକୁ ନବିକରଣ କରାଯାଉ ନାହିଁ । ବରଂ ଯଥା ଶୀଘ୍ର ଘାଟ ଛାଡ଼ିବାକୁ ବାଧ୍ୟ କରାଯାଉଛି । ଯାହାଦ୍ୱାରା ଓଡ଼ିଆ ପୂଜକମାନେ ଚିନ୍ତାରେ ଦିନ କାଟୁଛନ୍ତି । ସେମାନଙ୍କ କହିବା କଥା ଯେ ବିସ୍ଥାପନ ନୀତିକୁ ଗୁରୁତ୍ୱ ନଦେଇ ଘାଟ ଛାଡ଼ିବା ପାଇଁ କୁହାଯିବା ଦୂର୍ଭାଗ୍ୟର ବିଷୟ । ବିଶେଷ କରି ଛୋଟୁଲାଲ ଘାଟ ଅଞ୍ଚଳରେ ଆଧୁନିକ ପାର୍କ ଏବଂ ବାଣିଜ୍ୟ କେନ୍ଦ୍ର ପ୍ରତିଷ୍ଠା ପରିକଳ୍ପନା ଗ୍ରହଣ କରାଯାଇଛି । ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବାର ଏହା ଏକ ଯୋଜନା । କିନ୍ତୁ ୨୦୦ ବର୍ଷ ରୁ ଅଧିକ ସମୟ ବଂଶ ପରମ୍ପରା କ୍ରମେ ରହୁଥିବା ଓଡ଼ିଆ ପୂଜକ ଙ୍କ ଭବିଷ୍ୟତ ବିଷୟରେ ସେମାନେ ନୀରବ କାହିଁକି । ତେଣୁ ଓଡ଼ିଆ ପୂଜକ ଓ ପଣ୍ଡିତ ମାନଙ୍କର ଦାବୀ ଯେ ସରକାର ସେମାନଙ୍କ ସମସ୍ୟା ସମାଧାନ ପ୍ରତି ଗୁରୁତ୍ୱ ଦିଅନ୍ତୁ । ନଚେତ ବଂଶ ପରମ୍ପରା କ୍ରମରେ କାର୍ଯ୍ୟ କରୁଥିବା ଏହି ଓଡ଼ିଆ ପୂଜକ ମାନେ ବୃତ୍ତି ହରାଇବେ ।

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣକଥା ହେଉଛି ଯେ ଜଗନ୍ନାଥ ଘାଟରେ ମଧ୍ୟ ଓଡ଼ିଆ ଭାଷାଭାଷୀମାନେ ବିଭିନ୍ନ ପ୍ରକାର ସମସ୍ୟାରେ ଜର୍ଜ୍ଜରିତ ହେଉଛନ୍ତି । ପାରିପାର୍ଶିକ କାରଣରୁ ବିପଦ ସଂକୁଳ ଭାବେ ଜୀବନ ଯାପନ କରୁଛନ୍ତି । ଜଗନ୍ନାଥ ଘାଟ ପୂଜକମାନଙ୍କ ଡେରା ପାର୍ଶ୍ଵରେ ଜଗନ୍ନାଥ, ଭଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ବିଗ୍ରହ ପ୍ରତିଷ୍ଠା କରାଯାଇଛି । ଶ୍ରଦ୍ଧାଳୁ ମାନେ ଗଙ୍ଗାରେ ସ୍ନାନପର୍ବ ଶେଷ କରି ତିନି ଠାକୁର ଙ୍କ ନିକଟରେ ପୂଜାର୍ଚ୍ଚନା କରନ୍ତି । ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ବିଶେଷ ଧର୍ମୀୟ ପରିମଣ୍ଡଳ ସୃଷ୍ଟି ହୋଇଥାଏ। ପ୍ରତିବର୍ଷ ପାରମ୍ପରିକ ପୂଜା ମଧ୍ୟ ସେଠାରେ କରାଯାଇଥାଏ । ତେବେ ଓଡ଼ିଆ ପଣ୍ଡା ମାନଙ୍କର କହିବା କଥା ଯେ ସେମାନଙ୍କୁ ସାମାଜିକ ସୁରକ୍ଷା ଦେବା କ୍ଷେତ୍ରରେ ଯଥାସମ୍ଭବ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । ଏହା ସହିତ ସେମାନଙ୍କ ଉପରେ ସୃଷ୍ଟି ହେଉଥିବା ବିଭିନ୍ନ ପ୍ରକାର ପ୍ରତିକୂଳ ପରିସ୍ଥିତିର ମଧ୍ୟ ସମାଧାନ ହେଉ ନାହିଁ । ଏହା ସତ୍ତ୍ୱେବି ବଂଶ ପରମ୍ପରା କ୍ରମେ ଏହି ଓଡ଼ିଆ ପୂଜକମାନେ ସେମାନଙ୍କ ପୂଜା କାର୍ଯ୍ୟକୁ ବଜାୟ ରଖିଛନ୍ତି ।

ଗଙ୍ଗା ଘାଟର ବହୁ ଓଡ଼ିଆ ପୂଜକ ପୂଜା କର୍ମ କରିବା ସହିତ ଘରୋଇ ଓ ବିଭିନ୍ନ ବ୍ୟବସାୟ କେନ୍ଦ୍ରରେ ମଧ୍ୟ ସେମାନେ ପୂଜା କାର୍ଯ୍ୟ କରନ୍ତି । ମାଇଲ ମାଇଲ ପଥ ଖାଲି ପାଦରେ ଚାଲି ଚାଲି ଯାଇ ପୂଜା କରିଥାନ୍ତି । ସେମାନଙ୍କର କର୍ତ୍ତବ୍ୟ ନିଷ୍ଠା ହେଉଛି ମୁଖ୍ୟ । ତେଣୁ ସେମାନେ ବିଭିନ୍ନ ସମସ୍ୟାରେ ରହିଥିଲେ ସୁଦ୍ଧା ପୂଜା କାର୍ଯ୍ୟରୁ ନିବୃତ୍ତ ରୁହନ୍ତିନାହିଁ । ଯେଉଁ ସମୟରେ ହାଓଡ଼ା ସେତୁ ତିଆରି ହୋଇ ନଥିଲା ସେହି ସମୟରୁ ମଧ୍ୟ ଓଡ଼ିଆ ପୂଜକଙ୍କ ପୂର୍ବ ପୁରୁଷ ପୂଜା କାର୍ଯ୍ୟରେ ଯୁକ୍ତ ଥିଲେ । ବିଶେଷ କରି ଗଙ୍ଗା କୂଳରେ ଏଭଳି କେତେକ ଘାଟ ରହିଛି ଯେଉଁଠି କି ଚୈତନ୍ୟ ଦେବ ନିଜେ ଆସି ସ୍ନାନ କରିଛନ୍ତି । ତେଣୁ ଗଙ୍ଗା ଘାଟର ମାହାତ୍ମ୍ୟ କାର୍ଯ୍ୟ ଚର୍ଚ୍ଚିତ ।

ଅନ୍ୟ ଏକ ଗୁରୁତ୍ୱ ପୂର୍ଣ୍ଣ ଘାଟ ହେଉଛି ତ୍ରିବେଣୀ ଘାଟ । ଯାହାକୁ ଶୋଢଶ ଶତାବ୍ଦୀରେ ଓଡ଼ିଶାର ରାଜା ମୁକୁନ୍ଦ ଦେବ ପ୍ରତିଷ୍ଠା କରି ଓଡ଼ିଆ ପୂଜକମାନଙ୍କୁ ଆଣି ପୂଜା କାର୍ଯ୍ୟରେ ନିୟୋଜିତ କରିଥିଲେ । ଏଠାରେ ଗଙ୍ଗା ଯମୁନା ଓ ସରସ୍ୱତୀ ମିଳିତ ହୋଇଛନ୍ତି । ମୁକୁନ୍ଦ ଦେବଙ୍କ ସମୟରୁ ଓଡ଼ିଆ ପୂଜକମାନେ ପୂଜା କାର୍ଯ୍ୟରେ ଯୁକ୍ତ ରହିଥିବା ସହିତ ସେମାନଙ୍କ ସନ୍ତାନମାନେ ମଧ୍ୟ ଏହି ପରମ୍ପରାକୁ ବଜାୟ ରଖିଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ସମସ୍ୟାରେ ଜର୍ଜ୍ଜରିତ ଥିଲେ ସୁଦ୍ଧା ସମାଧାନର ପଥ ବାହାରୁ ନାହିଁ । ସେମାନଙ୍କ ପାଇଁ ବାସସ୍ଥାନର ଅଭାବ ରହିଛି । ଏହି ଘାଟରେ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସହିତ ଅନ୍ୟାନ୍ୟ ଦେବଦେବୀଙ୍କ ମୂର୍ତ୍ତି ବା ମନ୍ଦିର ପ୍ରତିଷ୍ଠା ହୋଇଛି ।ଓଡ଼ିଆ ପୂଜକ ଙ୍କ ବୃତ୍ତି ଛଡାଇ ନେବା ର ଉଦ୍ୟମ ଏଠାରେ ଚାଲିଛି।

କଲକାତାର ଅନ୍ୟତମ ପ୍ରସିଦ୍ଧ ଘାଟ ରାଣୀରାସମଣି ଘାଟ । ଯାହାକି ୧୯୩୦ ମସିହାରେ ପ୍ରତିଷ୍ଠା ହୋଇଥିଲା । ରାଣୀ ରାସମଣି ଏହି ଘାଟ ପ୍ରତିଷ୍ଠା କରି ରାମକୃଷ୍ଣ ପରମହଂସଙ୍କ ଦ୍ୱାରା ଉଦ୍ଘାଟନ କରାଇଥିଲେ । ପରେ ଘାଟର ସୁରକ୍ଷା ଏବଂ ପୂଜାଦି କାର୍ଯ୍ୟ କରିବା ପାଇଁ ଓଡ଼ିଆ ବ୍ରାହ୍ମଣଙ୍କୁ ଦାୟିତ୍ୱ ଦେଇଥିଲେ । ସେଠାରେ ଓଡ଼ିଆ ପୂଜକମାନେ ସ୍ୱତନ୍ତ୍ର ଡେରା କରି ଦେବ ଓ ଅସ୍ଥି ବିସର୍ଜନ ଶ୍ରାଦ୍ଧ ଇତ୍ୟାଦି କର୍ମକାଣ୍ଡ କରୁଛନ୍ତି । ତେବେ ଓଡ଼ିଆ ପୂଜକମାନେ ଦାବୀ କରନ୍ତି ଯେ ସେମାନେ ଯେଉଁ ଡେରାରେ ରହୁଛନ୍ତି ତାର ଦୁଇପାଶ୍ୱର ଖୋଲା ପରିବେଶ ରହୁଛି । ଯାହାଦ୍ୱାରା ସେମାନେ ପାଣି ପବନ ଓ ଖରାରେ ଅତିଷ୍ଠ ହୋଇପଡ଼ୁଛନ୍ତି । ଏହା ସହିତ ବାହାର ଅସାମାଜିକ ବ୍ୟକ୍ତିମାନେ ଆକ୍ରମଣ କରୁଛନ୍ତି । ପ୍ରଶାସନ ଏହି କ୍ଷେତ୍ରରେ ନିରବ ରହୁଛି ।

ସମସ୍ୟା ଘେରରେ ଓଡ଼ିଆ ପୂଜକମାନେ ଗଙ୍ଗା ଘାଟରେ ଅସୁରକ୍ଷିତ ଭାବେ ରହିଥିଲେ ସୁଦ୍ଧା ସେମାନଙ୍କ ପରମ୍ପରା ରୁ ଓହରି ଆସିବା କଷ୍ଟକର ହେଉଛି । ତେବେ ସାମ୍ପ୍ରତିକ ପରିବେଶରେ ମାନବାଧିକାରକୁ ଗୁରୁତ୍ୱ ଦେଇ ଏହି ଓଡ଼ିଆ ପୂଜକମାନଙ୍କ ସମସ୍ୟା ସମାଧାନ ପ୍ରତି ସରକାର ଗୁରୁତ୍ୱ ଦିଅନ୍ତୁ ବୋଲି ଦାବୀ ହେଉଛି । ଯାହା ଦ୍ଵାରା ଗଙ୍ଗା ହାତ ର ଓଡ଼ିଆ ପୂଜକ ମାନେ ହଟହଟା ରୁ ରକ୍ଷା ପାଇବେ ।

Leave A Reply

Your email address will not be published.