କ୍ରିକେଟ ପ୍ରେମରେ କୁନି ଝିଅ ପ୍ରିୟାଂସି, ମାତ୍ର ୧୩ ବର୍ଷ ବୟସରେ କଲେ କମାଲ

ଓଡ଼ିଶା ମାଟିର କୁନିଝିଅ ପ୍ରିୟାଂସି । ବୟସ ମାତ୍ର ୧୩ । ଏହି ବୟସରେ କ୍ରିକେଟ ଖେଳି ଓଡିଶା ପାଇଁ ଗୌରବ ଆଣିଛନ୍ତି ଏହି କୁନି ଝିଅ । ତେଲେଙ୍ଗାନା ରାଜ୍ୟରୁ ବାଳିକା ସ୍ତରୀୟ ଜୁନିୟର – ୧୭ କ୍ରିକେଟରେ ମନୋନୀତ ହୋଇଛନ୍ତି ପ୍ରିୟାଂସି ମହାରଣା । ଅନୁଗୁଳ ଜିଲ୍ଲା କଣିଁହା ବ୍ଳକ ରେଙ୍ଗାଳି ପ୍ରୋଜେକ୍ଟ ଅଞ୍ଚଳର ସନ୍ତୋଷ ମହାରଣାଙ୍କ ବଡ ଝିଅ ପ୍ରିୟାଂସି । ମଧ୍ୟବିତ୍ତ ପରିବାରର ଝିଅ ଭାବେ ଏହି ସ୍ଥାନରେ ପହଞ୍ଚିବା କଷ୍ଟସାଧ୍ୟ ଥିଲା । ବାପା ମା’ଙ୍କ ସହ ସେ ତେଲେଙ୍ଗାନାରେ ରହୁଥିବାବେଳେ ପରିବାରର ଅନ୍ୟ ସଦସ୍ୟମାନେ ରେଙ୍ଗାଳିରେ ରୁହନ୍ତି ।
ଛୋଟ ବେଳୁ କ୍ରିକେଟ ପ୍ରେମରେ ବୁଡ଼ି ରହୁଥିଲେ କୁନି ଝିଅ ପ୍ରିୟାଂସି । ତେଲେଙ୍ଗାନା ରାଜ୍ୟରୁ ମନୋନୀତ ହୋଇ ମଧ୍ୟ ଓଡ଼ିଶାର ସେ ଟେକ ରଖିଛନ୍ତି । ବାପା ସନ୍ତୋଷ ମହାରଣା ତେଲେଙ୍ଗାନାରେ କାର୍ଯ୍ୟରତ ଥିବାବେଳେ ସେଠାରେ ବାପା ମା’ଙ୍କ ସହିତ ରହି ଅଷ୍ଟମ ଶ୍ରେଣୀରେ ପ୍ରିୟାଂସି ପାଠ ପଢ଼ନ୍ତି । ବାଳିକା ସ୍ତରୀୟ ଜୁନିୟର – ୧୭ କ୍ରିକେଟରେ ତେଲେଙ୍ଗାନା ତରଫରୁ ଖେଳି ମ୍ୟାନ ଅଫ୍ ଦ ମ୍ୟାଚ ହୋଇଥିଲେ । ପରେ ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ହରିୟାଣାର ପଞ୍ଚକୁଲାକୁ ତେଲେଙ୍ଗାନା ରାଜ୍ୟ ଦଳର ୧୬ ଜଣିଆ ଟିମ୍ ସହ ଖେଳିବାକୁ ଯାଇଛନ୍ତି ପ୍ରିୟାଂସି ମହାରଣା । ପ୍ରିୟାଂସି କହିଛନ୍ତି ସେ ଅନ୍ୟ ରାଜ୍ୟରେ ଥିଲେ ମଧ୍ୟ ମନ ରହିଛି ତାଙ୍କର ଓଡ଼ିଶାରେ । ଯଦି ସେ ଓଡ଼ିଶା ପାଇଁ ଖେଳିଥାନ୍ତେ ଆହୁରି ଖୁସି ହେଇଥାନ୍ତେ । ପ୍ରିୟାଂସି ଓପନିଂ ବ୍ୟାଟେର ଭାବରେ ଭଲ ସ୍କୋର କରି ଖୁବ୍ ଖ୍ୟାତି ଅର୍ଜନ କରିଛନ୍ତି ।
ପରିବାର ଲୋକ ପ୍ରିୟାଂସିଙ୍କ ଉଜ୍ବଳ ଭବିଷ୍ୟତ ପାଇଁ ଆଶା ରଖିଛନ୍ତି । ପ୍ରିୟାଂସି ମହାରଣାଙ୍କୁ ଉତ୍ସାହିତ କରିବା ସହ ଭାରତର ନାମକୁ ଆହୁରି ଆଗକୁ ନେବା ପାଇଁ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ବିନତି କରିଛନ୍ତି ସମସ୍ତେ । ପରିବାର ଏବଂ ରେଙ୍ଗାଳି ଅଞ୍ଚଳବାସୀଙ୍କ ମନରେ ଖୁସି ଫୁଟାଇ ପାରିଛନ୍ତି ପ୍ରିୟାଂସି । ଛୋଟ ବେଳୁ କ୍ରିକେଟ ପ୍ରତି ଥିବା ଆଗ୍ରହ ତାଙ୍କୁ ଆଜି ଏହି ସ୍ଥାନରେ ପହଞ୍ଚାଇ ପାରିଛି ।