ଦିନେ ଯାତ୍ରା ଜଗତରେ ପୀୟୁଷଙ୍କ ମା’ ଅଭିନୟ କରୁଥିଲେ ଆଜି ପେଟ ପାଇଁ ଖାଦ୍ୟ ପରଷୁଛନ୍ତି

ଭୁବନେଶ୍ବର ପ୍ରମୁଖ ସ୍ଥାନ । ଇନ୍ଦିରା ପାର୍କକୁ ଲାଗି ରାସ୍ତାଟିଏ l ସେହି ରାସ୍ତାକଡରେ ଛତା ଟଣା ଉଠା ଦୋକାନ l ଆଉ ସେହି ଉଠା ଦୋକାନରେ ଦୁଇ ତିନିଟି ଟେବୁଲ ବେଞ୍ଚ ପଡିଥାଏ l ତାରି ଉପରେ ଧାଡି କରି ରଖା ହୋଇଥାଏ ଅନେକ ଗୁଡିଏ ଛୋଟ ବଡ଼ ହାଣ୍ଡି ଡେକଚି l ଜଣେ ମହିଳା ସେହି ସବୁ ପାତ୍ରରୁ ବାଢି ବାଢି ଜଣ ଜଣଙ୍କୁ ଖାଇବାକୁ ଦେଇ ଚାଲି ଥାଆନ୍ତି l ହସ ହସ ମୁହଁ, ଖୁସି ମନରେ ଲୋକଙ୍କୁ ଘରକୁ ଆସିଥିବା ଅତିଥିଙ୍କ ଭଳି ଚର୍ଚ୍ଚା କରୁଥାନ୍ତି । ଦିପହର ସମୟ । ଖାଇବାକୁ ଲୋକଙ୍କ ଭିଡ଼ ମଧ୍ୟ ଲାଗିଥାଏ l

କିଏ ମାଛ ଭାତ ତ କିଏ ଚିକେନ ମିଲ ଆଉ କିଏ ପୁଣି ମଟନ କାହାକୁ ଦେଉଥାନ୍ତି ଶାଗ, ଭଜା ତରକାରୀ ଏମିତି କେତେ କଣ l ପାଖରେ ଆଉ ଜଣେ ଦୁଇଜଣ ତାଙ୍କୁ ସାହାଯ୍ୟ କରୁଥାନ୍ତି l ମହିଳାଙ୍କୁ ଦେଖି ଲାଗୁଥିଲା ଆଗରୁ କେଉଁଠି ଦେଖିଲା ଭଳିଆ l ପାଖକୁ ଯାଇ ପଚାରିଲୁ ମାଡାମ ଆଗରୁ ଆପଣ କଣ କରୁଥିଲେ କି କୋଉଠି ଦେଖିଲା ଭଳି ମନେ ହେଉଛି ? ଏମିତି କଥା କଥାରେ ସେ କହି ଚାଲିଲେ ତାଙ୍କର କାହାଣୀ । ଆଉ ତାପରେ ଜାଣିଲୁ ଏହି ମହିଳାଙ୍କ ଅସଲ ପରିଚୟ । ଗୋଟି ଗୋଟି କରି କହିବା ଆରମ୍ଭ କଲେ ମୁନୁ ଅପା ଓରଫ ସରୋଜିନୀ ମହାନ୍ତି ।

ତାରି ଭିତରେ ଆଖିରେ ଲୁହ ମିଶା ହସ l ମୁନୁ ଅପା କହୁଥିଲେ ଆଜକୁ ଦୀର୍ଘ ବର୍ଷ ତଳେ ଘରୁ ଚାଲି ଆସିଥିଲେ ଯାତ୍ରା ପାର୍ଟିକୁ l ୨୭ ବର୍ଷ ତଳେ ଜଣେ ଡ୍ୟାନ୍ସର ଭାବରେ ଅଭିନୟ କରୁଥିଲେ ଅପେରାରେ l ତାପରେ ଧୀରେ ଧୀରେ ସମୟ କ୍ରମେ ପାର୍ଶ୍ୱ ଅଭିନେତ୍ରୀ ଆଉ ଅଭିନେତ୍ରୀ ଏବେ ମା ଚରିତ୍ରରେ ଅଭିନୟ l ନିଖୁଣ ଅଭିନୟ ଯୋଗୁଁ ଲୋକଙ୍କ ମନକୁ ଛୁଇଁ ପାରିଛନ୍ତି l ଦର୍ଶକଙ୍କୁ ଦିନେ ବାନ୍ଧି ରଖୁଥିଲେ ନିଜ ଅଭିନୟରେ l କୁହନ୍ତି ଆଜିର ଯାତ୍ରା ଜଗତର ଚର୍ଚ୍ଚିତ ନାୟକ ପୀୟୁଷଙ୍କ ମାଆ ଭୂମିକାରେ ମଧ୍ୟ ସେ ଅଭିନୟ କରିଛନ୍ତି l

ଅନେକ ଗୁଡିଏ ଯାତ୍ରା ପାର୍ଟିରେ ସେ ଅଭିନୟ କରିଛନ୍ତି ମୁନୁ ଅପା l ହେଲେ ଆଜି ରାସ୍ତା କଡ଼କୁ ହଠାତ ଓଲ୍ହାଇ ଆସିଛନ୍ତି ଆଉ ଲୋକଙ୍କୁ ପରଷୁଛନ୍ତି ସୁସ୍ୱାଦୁ ଖାଦ୍ୟ l ପେଟ ଚାଖଣ୍ଡକ ଅଛି ମାନେ ତ ସଂଘର୍ଷ କରିବାକୁ ପଡିବ ବଂଚିବା ପାଇଁ l ହେଲେ ଯାତ୍ରା ମଞ୍ଚରୁ ସିଧା ରାସ୍ତା କଡରେ ହୋଟେଲ l କେବେ ପେଟ ପାଇଁ ମନୋରଞ୍ଜନ ମଞ୍ଚରେ ତ ପୁଣି କେବେ ପେଟ ପାଇଁ ରାସ୍ତା କଡରେ l ଜଣେ କଳାକାର ଅଭିନୟ କରେ ମଞ୍ଚରେ ଦର୍ଶକଙ୍କ ତାଳି ପାଇବାକୁ । ହେଲେ ଜଣେ ମଣିଷକୁ ଦୁନିଆ ମଞ୍ଚରେ ଅଭିନୟ କରିବାକୁ ପଡ଼େ ଜୀବନ ବଞ୍ଚିବାକୁ । ନିଜ ପରିବାରର ପେଟ ପୋଷିବାକୁ ।ଦର୍ଶକଙ୍କ ମନୋରଞ୍ଜନ କରୁଥିବା ମଣିଷଟିକୁ ସମୟ ଆସିଲେ ରାସ୍ତାକୁ ମଧ୍ୟ ଆସିବାକୁ ପଡେ ଜୀବନ ସଂଘର୍ଷ ପାଇଁ l ଏବେ ସେହି ରାସ୍ତାରେ ମୁନୁ ଅପା ଓରଫ ସରୋଜିନୀ ମହାନ୍ତି ।

Also Read:ଶିଶୁକୁ ଜନ୍ମ ଦେଇ ଚାଲିଗଲା ମା’, ରୋଗୀ ମୃତ୍ୟୁ ପାଇଁ ନର୍ସିଂ ହୋମ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ପରିବାର ଲୋକେ