ୟୁରୋପ ସ୍ଲୋଭାକିଆର ଯୁବତୀଙ୍କ ସହ ଓଡ଼ିଶା ପୁଅ ରାଜୀବଙ୍କର ପଡ଼ିଲା ହାତଗଣ୍ଠି

ପାରଳାଖେମୁଣ୍ଡି : ପ୍ରେମ ଅନ୍ଧ । ପ୍ରେମକୁ ପାଇବା ପାଇଁ ଜଣେ କିଛି ବି କରିପାରେ । ପ୍ରେମିକ ହେଉ ଅବା ପ୍ରେମିକା ସବୁ ପ୍ରକାର ବାଧାବିଘ୍ନକୁ ସାମ୍ନା କରିଥାଏ । ଏପରିକି ସାତ ଦରିଆ ପାରି ହୋଇ ଆସିବାକୁ ଟିକିଏ ପଛଘୁଞ୍ଚା ଦିଏନି । ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ । ନିଜ ପ୍ରେମକୁ ସାକାର କରିବା ପାଇଁ ୟୁରୋପ ସ୍ଲୋଭାକିଆର ଜଣେ ଯୁବତୀ ପାରଳାଖେମୁଣ୍ଡି ଆସିଥିବା ବେଳେ ପ୍ରେମିକ ମଧ୍ୟ ତାକୁ ଗ୍ରହଣ କରିଛନ୍ତି । ବାଜୁଛି ବାଜା ଫୁଟୁଛି ବାଣ ବେଦୀରେ ପଡ଼ୁଛି ହାତଗଣ୍ଠି । ପ୍ରେମିକ ପ୍ରେମିକା ଦୁହେଁ ଦୁହିଁଙ୍କୁ ଜୀବନସାଥି ରୂପରେ ପାଇ ବେଶ ଖୁସି ।

ପାରଳାଖେମୁଣ୍ଡିର ରାଜୀବ ମିଶାଲ ଏନାଙ୍କୁ ଗ୍ରହଣ କରିଥିବା ବେଳେ ଆଜି ତାଙ୍କ ବିବାହ ହିନ୍ଦୁ ରୀତି ନୀତି ଅନୁସାରେ ଅନୁଷ୍ଠିତ ହୋଇଛି । ଉଭୟେ ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ସାଥି ହୋଇଛନ୍ତି । ଏହାକୁ ନେଇ ଉଭୟ ଏନା ଓ ରାଜୀବ ଖୁବ୍ ଖୁସି ଥିବା କହିଛନ୍ତି । ରାଜୀବ ସିଙ୍ଗାପୁରରେ କାମ କରୁଥିବା ବେଳେ ଏକ ହସ୍ପିଟାଲରେ ଏନାଙ୍କ ସହ ତାଙ୍କର ଦେଖା ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଦୀର୍ଘ ବର୍ଷ ଧରି ରାଜୀବଙ୍କ ସଂସ୍ପର୍ଶରେ ରହିବା ପରେ ଏନା ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ମଧ୍ୟ ଭଲ ପାଇ ବସିଥିଲେ । ପରେ ଏ ସମ୍ପର୍କରେ ଉଭୟେ ନିଜ ନିଜ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ ପରେ ଆଜି ହିନ୍ଦୁ ରୀତି ନୀତି ଅନୁସାରେ ବିବାହ ସମ୍ପନ୍ନ ହୋଇଛି ।

ଏନା ପାରଳାଖେମୁଣ୍ଡିରେ ପହଞ୍ଚିବା ପରେ ରାଜୀବଙ୍କ ପରିବାର ଲୋକେ ମଧ୍ୟ ତାଙ୍କୁ ଗ୍ରହଣ କରିଥିଲେ । ଏହା ସହ ଏନା ବୋହୂଙ୍କ ନାଁ ପରିବର୍ତ୍ତନ କରିଥିଲେ । ଭାରତୀୟ ନାଁ ଦେଇଥିଲେ ଅନନ୍ୟା । ଏହି ନାଁରେ ନିମନ୍ତ୍ରଣ କାର୍ଡ ପ୍ରସ୍ତୁତ କରିଛନ୍ତି । ଏହି ବିବାହ ଉତ୍ସବରେ ସମସ୍ତ ବନ୍ଧୁବାନ୍ଧବ ଓ ପ୍ରିୟଜନ ଯୋଗ ଦେଇଥିବା ବେଳେ ଖୁବ୍ ଆଡ଼ମ୍ବର ସହକାରେ ଏହା ଅନୁଷ୍ଠିତ ହୋଇଛି । ଭାରତୀୟ ସଂସ୍କୃତି ପ୍ରତି ଏବେ ବିଭିନ୍ନ ପାଶ୍ଚାତ୍ୟ ଦେଶର ଲୋକେ ଆକୃଷ୍ଟ ହେଉଛନ୍ତି । ଯାହା ଏକ ଖୁସିର କଥା ବୋଲି କହିଛନ୍ତି ବୁଦ୍ଧିଜିବୀ ।

ପ୍ରେମକୁ ସଫଳ କରିବା ପାଇଁ ସ୍ଲୋଭାକିଆରୁ ପାରଳାଖେମୁଣ୍ଡି ଭଳି ଏକ ଉପାନ୍ତ ଅଞ୍ଚଳରେ ପହଞ୍ଚିବା ଏବଂ ହିନ୍ଦୁ ରୀତି ନୀତି ଅନୁସାରେ ବିବାହ କରିବା ଏନାଙ୍କ ସମର୍ପିତ ପ୍ରେମକୁ ଦର୍ଶାଉଛି।

Also Read:ବିଦ୍ୟୁତ୍ ଉପଭୋକ୍ତାଙ୍କ ସହ ଚଞ୍ଚକତା ଅଭିଯୋଗ, ବେଶି ଟଙ୍କା ନେଉଛି ବିଦ୍ୟୁତ୍ ଯୋଗାଣକାରୀ ସଂସ୍ଥା