ମାଆଙ୍କ ହାତରୁ ପଖାଳ ଖାଇଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ଏ ଦୃଶ୍ୟ ଦେଖିଲେ ଆପଣଙ୍କୁ କଣ ଲାଗୁଛି ? ପୁଅ ଯେତେ ବଡ଼ ହୋଇଗଲେ ବି ମା ପାଖରେ ସେମିତି ପିଲା । ପୁଅ ମୁଖ୍ୟମନ୍ତ୍ରୀ ହୋଇଛି, ବଡ଼ ପଦବିରେ । ହେଲେ ମାଆ ତ ମାଆ । ପୁଅର ଏତେ ବଡ଼ ସଫଳତାରେ ମାଆ ଖୁସି । ଗର୍ବରେ ଫାଟି ପଡୁଛି ମନ । ହେଲେ ହୃଦୟରେ ସେହି ବାତ୍ସଲ୍ୟ ମମତା ଭରି ରହିଛି ପୁଅ ପାଇଁ । ସେଥିଲାଗି ଘରକୁ ଆସିଲା ବେଳେ ମୁହଁର ଝାଳ ପୋଛି ଦେଉଛି ମା ।  ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ନିଜ ଜନ୍ମ ସ୍ଥାନ ନିଜ ଗାଁକୁ ଯାଇଥିଲେ । ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କର ପ୍ରଥମ ଗସ୍ତ । ଗାଁ ମାଟିରେ ଗାଁ ପୁଅକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆଜି ନିଜ ଘରେ ଖାଇଥିଲେ ମୁଖ୍ୟମନ୍ତ୍ରୀ । ସେହି ପୁରୁଣା ଢାଞ୍ଚାରେ, କିଛି ବି କୃତ୍ରିମତା ନାହିଁ । ସରଳ ମଣିଷର ସରଳ ଜୀବନ ଭଳି ବସି ଯାଇଥିଲେ ପଖାଳ କଂସା ଧରି । ସେଇଠି ମାଆ ବସି ତାଙ୍କ ମୁହଁ ପୋଛି ଦେଇଥିଲେ । ପୁଅ କଣ ଖାଏ, କଣ ଭଲପାଏ ସବୁ ରାନ୍ଧି ରଖିଥିଲେ ।

ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ଗାଁ ରାଇକଳାରେ ପହଞ୍ଚିଥିଲେ । ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ନିଜ ଜିଲ୍ଲା କେନ୍ଦୁଝରକୁ ଦୁଇ ଦିନିଆ ଗସ୍ତରେ ଆସିଥିଲେ । ଏଥିଲାଗି ସାରା ଗାଁ ଉତ୍ସବମୁଖର ହୋଇ ଉଠିଥିଲା । ଖାଲି ସେତିକି ନୁହେଁ, ମୁଖ୍ୟମନ୍ତ୍ରୀଙ୍କ ପୈତୃକ ଘରେ ପ୍ରସ୍ତୁତ ହୋଇଥିଲା କେତେ କେତେ ପ୍ରକାର ଖାଦ୍ୟ । ସେଇଠି ମଧ୍ୟାହ୍ନ ଭୋଜନ କରିଥିଲେ । ବେଶ୍‌ କିଛି ଦିନ ପରେ ନିଜର ପରିଵାର ପ୍ରିୟଜନଙ୍କୁ ଭେଟିଥିଲେ । ପରିବାର ଲୋକଙ୍କ ସହ କିଛି ସମୟ ଅତିବାହିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ମୁଖ୍ୟମନ୍ତ୍ରୀଙ୍କ ପାଇଁ ପଖାଳ, ବାଡ଼ି ଶାଗ ଭଜା, ଝୁଡଙ୍ଗ ଆଳୁ ଭଜା, ଆଳୁ କୁନ୍ଦୁରି ଭଜା, ଆଳୁ ଭର୍ତ୍ତା, ବାଇଗଣ ପୋଡ଼ା, ବଡ଼ି ଚୁରା ଓ ଆଚାର ପ୍ରସ୍ତୁତ ହୋଇଥିଲା । ଯାହାର ବାସ୍ନାରେ ଭୋକ ଦୁଇଗୁଣା ବଢ଼ି ଯାଇଥିଲା ମୋହନଙ୍କର । ଏହିସବୁ ଖାଦ୍ୟକୁ ତାଙ୍କ ପରିବାରର ମହିଳାମାନେ ପ୍ରସ୍ତୁତ କରିଥିଲେ । ଏହାରି ଭିତରେ ଦେଖିବାକୁ ମିଳିଥିଲା ମା ବାଲେ ମାଝୀ ମୁଖ୍ୟମନ୍ତ୍ରୀଙ୍କୁ ନିଜ ହାତରେ ଖୁଆଇ ଦେବାର ଦୃଶ୍ୟ । ସ୍ନେହରେ ପୁଅକୁ ଦୁଇଗୁଣ୍ଡା ଖୁଆଇ ଦେଇ ପଣତ କାନିରେ ପୁଅର ମୁହଁ ପୋଛି ଦେଇଥିଲେ । ମା’ର ମମତା ଭରା ପଣତରେ ମୁହଁ ପୋଛିବା ପରେ ମୁଖ୍ୟମନ୍ତ୍ରୀ ମଧ୍ୟ ଭାବ ବିହ୍ଵଳ ହୋଇ ଯାଇଥିଲେ । ଏହି ଦୃଶ୍ୟ କ୍ଷଣକ ପାଇଁ ହୃଦୟକୁ ଛୁଇଁ ଯାଇଥିଲା । ରାଇକଳା ଗାଁରୁ ରାଜଧାନୀ ଖୁବ୍‌ ଲମ୍ବା ଯାତ୍ରା ମୋହନଙ୍କର । ଏବେ ସାରା ରାଜ୍ୟବାସୀଙ୍କ ନଜର ତାଙ୍କରି ଉପରେ । କଣ କରୁଛନ୍ତି ରାଜ୍ୟ ପାଇଁ, କଣ କରୁଛନ୍ତି ରାଜ୍ୟବାସୀଙ୍କ ପାଇଁ ।

Leave A Reply

Your email address will not be published.