ଜଣେ ସମର୍ପିତ କୋଚ୍‌ଙ୍କୁ ଶ୍ରଦ୍ଧାଞ୍ଜଳି : ଗୁରୁଙ୍କୁ ଝୁରୁଛନ୍ତି ଶିଷ୍ୟ, ଝୁରୁଛି ଷ୍ଟାଡିୟମ ପଡ଼ିଆ

ସବୁ ବେଳେ ହସ ହସ ମୁହଁ । ସମସ୍ତେ ତାଙ୍କ ବ୍ୟବହାରରେ ମୁଗ୍‌ଧ । ତେବେ କାମ ବେଳେ ସେ ଭାରି କଠିନ । ସେ ଜଣେ ଏକଦମ ଉଚିତ ଗୁରୁ । ନନ୍ଦ କିଶୋର ପଟ୍ଟନାୟକ, ଟୁଟୁ ବାବୁ ବା ଟୁଟୁ ଭାଇ । ଏଇ ନାଁରେ ସମସ୍ତେ ଜାଣନ୍ତି ତାଙ୍କୁ । ନବେ ଦଶକରେ ଏଜି ଅଫିସ୍‌ରେ ଚାକିରି କରିଥିବା ବେଳେ ଫୁଟ୍‌ବଲ୍‌ ପ୍ରତି ଆକର୍ଷଣ ଥିବା କିଛି ଝିଅଙ୍କୁ ନେଇ ତାଲିମ ଆରମ୍ଭ କରିଥିଲେ । ତେବେ ସେଇ ଛୋଟିଆ ଚାରାଟି ପରେ ବିଶାଳ ଦ୍ରୁମରେ ପରିଣତ ହୋଇଗଲା । ଯେତେବେଳେ ମହିଳାମାନେ ଫୁଟ୍‌ବଲ୍‌ ଖେଳିବା କଥା ଓଡ଼ିଶାରେ ଭଲ ଭାବେ ଚିନ୍ତା କରାଯାଇ ନଥିଲା ସେତେବେଳେ ନନ୍ଦ ବାବୁ ପିଲାମାନଙ୍କୁ ଶିଖାଇବା ଆରମ୍ଭ କରି ଦେଲେ । ଆଉ ନିଜ ଖେଳାଳି ଜୀବନର ଅଭିଜ୍ଞତା ଓ ଦକ୍ଷତାକୁ ପୁଞ୍ଜି କରି ପିଲାଙ୍କୁ ତାଲିମ ଦେଲେ । ଧୀରେ ଧୀରେ ତାଙ୍କ ଶିଷ୍ୟଙ୍କ ସଂଖ୍ୟା ବଢ଼ିବାରେ ଲାଗିଲା । ଆଉ ଗଠନ ହେଲା ଭୁବନେଶ୍ୱର ଟିମ୍‌ । ପ୍ରଥମେ ରାଜ୍ୟସ୍ତରରେ ସଫଳତା । ତାପରେ ସେହି ଟିମ୍‌ର ଅଧିକାଂଶ ଖେଳାଳିଙ୍କୁ ନେଇ ଗଠନ ହେଲା ରାଜ୍ୟ ଦଳ ।

NANDA-2

ଏହି ଦଳ ଜାତୀୟ ସ୍ତରରେ ଚମତ୍କାର ପରେ ଚମତ୍କାର କରି ଚାଲିଲା । ଅନେକ ଖେଳାଳି ଗଢ଼ିଲେ ସେ । ହେଲେ ବେଶି ନାଁ କଲେ ତାଙ୍କର ସବୁଠାରୁ ଦକ୍ଷ ଶିଷ୍ୟ ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କ ପାଇଁ । କାରଣ ଶ୍ରଦ୍ଧାଞ୍ଜଳି କେବଳ ଭଲ ଖେଳୁ ନଥିଲେ ସେ ନିଜର ନିଷ୍ଠା ଓ ପ୍ରତିଭା ପାଇଁ ଅନ୍ୟମାନଙ୍କ ନିମନ୍ତେ ଉଦାହରଣ ଓ ପ୍ରେରଣା ସାଜିଲେ । ଓଡ଼ିଶାର ଅନେକ ଝିଅ ଚାହିଁଲେ ଶ୍ରଦ୍ଧାଞ୍ଜଳିଙ୍କ ଭଳି ହେବା ପାଇଁ । ଆଉ ଛବି ଓରଫ ଶ୍ରଦ୍ଧାଞ୍ଜଳିଙ୍କ ସଫଳତା ପଛରେ ଥିଲେ କୋଚ୍‌ ନନ୍ଦ କିଶୋର ପଟ୍ଟନାୟକ । ପରେ ଶ୍ରଦ୍ଧାଞ୍ଜଳି ଓଡ଼ିଶା ଏବଂ ଭାରତୀୟ ମହିଳା ଫୁଟ୍‌ବଲ୍‌ ଦଳର ନେତୃତ୍ୱ ନେଲେ । ତାଙ୍କ ସହିତ ସମ୍ମାନ ଓ ଲୋକପ୍ରିୟତା ବି ପାଇଲେ ନନ୍ଦ ବାବୁ । କାରଣ ସେ ପ୍ରକୃତରେ ଥିଲ ଥିଲେ ଓଡ଼ିଶା ମହିଳା ଫୁଟ୍‌ବଲ୍‌ର ଦ୍ରୋଣାଚାର୍ଯ୍ୟ ।
ଘର ତାଙ୍କର ବାରିପଦାରେ । ହେଲେ ଚାକିରି କରିଥିଲେ ଏଜି ଓଡ଼ିଶାରେ । କଳିଙ୍ଗ ଷ୍ଟାଡିୟମ୍‌ରେ ମହିଳା ଖେଳାଳିମାନଙ୍କୁ ତାଲିମ ଦେଉଥିଲେ ।

NANDA-7

ଅବସର ପରେ ସେହି ଷ୍ଟାଡିୟମ୍‌ ନିକଟରେ ଏକ ଘର ଭଡ଼ା ନେଇ ରହୁଥିଲେ । ଆଉ ପିଲାମାନଙ୍କୁ ତାଲିମ ବି ଦେଉଥିଲେ । ବସ୍ତି ପିଲାଙ୍କୁ ଷ୍ଟାର ଫୁଟ୍‌ବଲର କରିବା ପାଇଁ ଉଦ୍ୟମ କରୁଥିଲେ । ଫୁଟ୍‌ବଲ୍‌ ଖେଳ ପ୍ରତି ତାଙ୍କର ଯେତିକି ନିଷ୍ଠା ଥିଲା ତାଠାରୁ ଅଧିକ ନିଶା ଥିଲା ଭଲ ଖେଳାଳି ସୃଷ୍ଟି କରିବାରେ । ତେବେ ଅନେକ ଅଧୁରା ସ୍ୱପ୍ନ, ଅନେକ ଅଧାଗଢ଼ା ଖେଳାଳିଙ୍କୁ ଛାଡ଼ି ଅକାଳରେ ଚାଲିଗଲେ ନନ୍ଦ ପଟ୍ଟନାୟକ।

NANDA-4

ଭୁବନେଶ୍ୱରରେ ଏକା ରହୁଥିଲା ବେଳେ ଅସୁସ୍ଥତା ଅନୁଭବ କଲେ । ତେଣୁ ବାରିପଦା ଚାଲି ଯାଇଥିଲେ ନିଜ ପତ୍ନୀଙ୍କ ପାଖକୁ । ତେବେ ସେଠାରେ ଦେହ ଅଧିକ ଖରାପ ହେବାରୁ ପୁଣି ଫେରି ଆସିଲେ ଭୁବନେଶ୍ୱର ଏବଂ ଏଠାକାର ଏକ ଘରୋଇ ହସପିଟାଲରେ ଭର୍ତ୍ତି ହେଲେ ଚିକିତ୍ସା ପାଇଁ । ସମସ୍ତ ସହଯୋଗ କରିଥିଲେ ଶିଷ୍ୟ ଶ୍ରଦ୍ଧାଞ୍ଜଳି । ହେଲେ ମହିଳା ଫୁଟ୍‌ବଲ୍‌କୁ ଉଚ୍ଚସ୍ତରରେ ପହଞ୍ଚାଇବା ପାଇଁ ସଂଘର୍ଷ କରି ଜିତିଥିବା ଲୋକଟି କିନ୍ତୁ କରୋନା ପାଖରେ ହାରିଗଲା । ବେଶ୍‌ କିଛି ଦିନ ଜୀବନ ଯୁଦ୍ଧରେ ସଂଗ୍ରାମ କରି ପରଲୋକକୁ ଚାଲିଗଲେ ନନ୍ଦ ପଟ୍ଟନାୟକ । ତାଙ୍କୁ ଝୁରୁଛନ୍ତି ଅନେକ ଶିଷ୍ୟ ଓ ପୂର୍ବତନ ଫୁଟ୍‌ବଲ୍‌ ଖେଳାଳି, ଝୁରୁଛି କଳିଙ୍ଗ ଷ୍ଟାଡିୟମ ପଡ଼ିଆ । ଆଉ ଗୁମୁରି ଗୁମୁରି କାନ୍ଦୁଛି ଓଡ଼ିଶା ମହିଳା ଫୁଟ୍‌ବଲ୍‌ । ତାଙ୍କ ଶରୀର ସିନା ଚାଲିଗଲା । ହେଲେ ତାଙ୍କ କର୍ମ ଆଉ ସଫଳତା ସବୁଦିନେ ଓଡ଼ିଶା ମହିଳା ଫୁଟବଲ୍‌ ଇତିହାସରେ ଲେଖା ହୋଇ ରହିଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.