ନିର୍ବନ୍ଧ ପରେ ବାପ ଝିଅଙ୍କ ମିଳିଲାନି ଦେଖା, ସୁନା ଟଙ୍କା ନେଇ ମାରିଲେ ଚମ୍ପଟ୍

ଇଏ ପୂରା ନୂଆ ଷ୍ଟାଲରେ ଠକେଇ । ଟିକେ ଆରମ୍ଭରୁ ଦେଖନ୍ତୁ । ଚାଲିଛି ନିର୍ବନ୍ଧ । ଟେବୁଲ ଉପରେ ଥୁଆ ହୋଇଛି ଲଗ୍ନ ସରଞ୍ଜାମ । ଝିଅ ବେକରେ ଆଉ କାନରେ ଜ୍ବାଇଁ ପିନ୍ଧାଇ ଦେଉଛନ୍ତି ସୁନା ହାର ଓ କାନଫୁଲ । ମୁହଁରେ ଲଗାଯାଉଛି ହଳଦୀ, ସିନ୍ଦୂର । ଭୁବନେଶ୍ବରର ଏକ ହୋଟେଲରେ ହେଉଥିଲା ଏହି ଯୋଡ଼ିଙ୍କ ନିର୍ବନ୍ଧ । ନିର୍ବନ୍ଧ କାର୍ଯ୍ୟ ସରିଲା। ବାହାଘର ତିଥି ସମୟ ସବୁ ସ୍ଥିର ହୋଇ ସାରିଥିଲା । ପୁଅ ଘର ବି ହୋଟେଲରେ ରହିଥିଲେ ବାହାଘର ସାରିବା ପାଇଁ । ହେଲେ ବାହାଘର ବେଳକୁ ଝିଅ କି ତାଙ୍କ ପରିବାର ଲୋକେ କାହାର ମିଳିଲାନି ଧରାଛୁଆଁ ।
ହଁ ଆଜ୍ଞା, ଭୁବନେଶ୍ବରର ଜଣେ ମଧ୍ୟସ୍ଥିଙ୍କ ସହାୟତାରେ ଆନ୍ଧ୍ର ପ୍ରଦେଶ ଇଛାପୁରମରୁ ଜଣେ ଯୁବକ ବାହା ହେବା ପାଇଁ ଏଠାକୁ ଆସିଥିଲା । ଭୁବନେଶ୍ବରରେ ଝିଅ ଦେଖିଲେ । ଏହାପରେ ଦୁଇ ପରିବାରର ସହମତିରେ ନିର୍ବନ୍ଧ ତାରିଖ ମଧ୍ୟ ସ୍ଥିର ହେଲା । ସେହି ଅନୁସାରେ କିଛି ଦିନ ଆଗରୁ ଏକ ହୋଟେଲରେ ନିର୍ବନ୍ଧ ମଧ୍ୟ ସରିଲା । ନିର୍ବନ୍ଧ ସମୟରେ ଆନ୍ଧ୍ର ପରମ୍ପରା ଅନୁସାରେ ଝିଅକୁ ଲୁଗାପଟା ସହ ୩ ଲକ୍ଷ ଟଙ୍କାର ସୁନା, ୨୦ ହଜାର ଟଙ୍କାର ରୁପା ଅଳଙ୍କାର ଓ ନଗଦ ଲକ୍ଷେ ଟଙ୍କା ଦିଆଗଲା । ଗତ ୨୩ ତାରିଖ ଦିନ ଭୁବନେଶ୍ବର କୋର୍ଟରେ ବାହାଘର ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ହେଲେ ବାହାଘର ଦିନ ବରପକ୍ଷ କୋର୍ଟରେ ଅପେକ୍ଷା କରି ରହିଲେ କିନ୍ତୁ ଝିଅ ଓ ତାଙ୍କ ପରିବାର ଧରାଛୁଆଁ ଦେଲେନି । ମଧ୍ୟସ୍ଥି ମାଧ୍ୟମରେ ଝିଅ ଘର ପକ୍ଷରୁ ଯୋଗାଯୋଗ କରିବାରୁ ସେମାନେ ଆଉ ଝିଅର ବାହାଘର କରିବେ ନାହିଁ ବୋଲି ମନା କରିଥିଲେ । ଖାଲି ସେତିକି ନୁହେଁ, ବର ଘର ପକ୍ଷରୁ ଦିଆଯାଇଥିବା ସବୁ ଅଳଙ୍କାର ଓ ଟଙ୍କା ଫେରାଇବାକୁ ବି ସଫା ସଫା ମନା କରିଦେଲେ।
ତାପରେ ବରଘର ଜାଣିଲେ ଯେ ସେମାନେ ମହା ଠକେଇର ଶିକାର ହୋଇଛନ୍ତି । ଏକଥା ଜାଣିବା ପରେ ଭୁବନେଶ୍ବର ନୟାପଲ୍ଲୀ ଥାନାରେ ପୁଅ ଘର ପକ୍ଷରୁ ଅଭିଯୋଗ କରାଯାଇଛି । ତେବେ ସମ୍ପୃକ୍ତ ଝିଅ ପୂର୍ବରୁ ବିବାହ କରିଥିବା ବେଳେ ସ୍ବାମୀଙ୍କୁ ଛାଡ଼ପତ୍ର ନଦେଇ ଦ୍ବିତୀୟ ବିବାହ କରୁଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି ।
ଏହି ଘଟଣା ସମ୍ପର୍କରେ ଏବେ ନୂଆପଲ୍ଲୀ ଥାନା ପୋଲିସ୍ ତଦନ୍ତ କରୁଛି । ଝିଅ ଓ ତାଙ୍କ ପରିବାରକୁ ଖୋଜିବାରେ ଲାଗି ପଡ଼ିଛି ପୋଲିସ୍ । ହେଲେ ପୁଅ ଘର ଯେଭଳି ଧୋକା ଖାଇଛନ୍ତି ଆଉ ଜୀବନରେ କେବେ ଭାବିବେନି ଓଡ଼ିଆ ଝିଅଙ୍କୁ ବାହା ହେବା କଥା ।
Also read:ଖୋଲୁଛି ଲେଡି ଠକ ତିଳୋତ୍ତମା ପ୍ରଧାନର କଳା କାରନାମାର ଗୁମର, ବ୍ୟାଙ୍କ୍ ଆକାଉଣ୍ଟ ଫ୍ରିଜ