ତିତଲିର ତିନି ହିରୋ

ଭୁବନେଶ୍ୱର : ତିତଲିରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିଲା ଗଜପତି ଜିଲ୍ଲା । ଆଉ ବାତ୍ୟା ଯୋଗୁଁ ଦୁର୍ଦ୍ଦିନରେ ଥିବା ଲୋକଙ୍କ ପାଖରେ ପହଞ୍ଚିଥିଲେ କିଛି ସ୍ୱେଚ୍ଛାସେବୀ ସଂସ୍ଥା ଓ ବ୍ୟକ୍ତିବିଶେଷ । ବିପନ୍ନଙ୍କୁ ବଢ଼ାଇଥିଲେ ସହାୟତାର ହାତ । ବିପର୍ଯ୍ୟୟ ପ୍ରଶମନ ଦିବସରେ ତିତଲି ବାତ୍ୟାର ଏମିତି କିଛି ହିରୋଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ।
ତିତଲି ହିରୋ । ଭୁବନେଶ୍ୱର କଳିଙ୍ଗ ବିହାରର ଭଗବାନ ବିଶ୍ୱାଳ । ବାତ୍ୟା ପର ଦିନ ନିଜ ଜେନସେଟ୍ ଟ୍ରକରେ ଧରି ପହଞ୍ଚିଥିଲେ ପାରଳାଖେମୁଣ୍ଡିରେ । ସେତେବେଳେ ପିଇବା ପାଣି ପାଇଁ ଲୋକଙ୍କ ମଧ୍ୟରେ ପଡ଼ିଥିଲା ହାହା କାର। ଆଉ ଡେରି ନକରି କାମରେ ଲାଗି ପଡ଼ିଥିଲେ ଭଗବାନ । ନିଜର ଡିଜେଲ ଜେନରେଟର ମାଧ୍ୟମରେ ପ୍ରଭାବିତଙ୍କ ନିକଟରେ ପହଞ୍ଚାଇଥିଲେ ପିଇବା ପାଣି।
ଗଜପତି ଜିଲ୍ଲାର କଇଁପୁର ଚିତ୍ର ବଦଳାଇ ଦେଇଛି ତିତଲି । ବାତ୍ୟାରେ ଅଞ୍ଚଳରେ ଯୋଗାଯୋଗ ହୋଇଯାଇଥିଲା ସଂପୂର୍ଣ୍ଣ ବିଚ୍ଛିନ୍ନ । ଏହି ସମୟରେ କଇଁପୁରର ଲକ୍ଷ୍ମଣ ଶବର ନିଜର କିଛି ସାଥୀଙ୍କୁ ନେଇ ରାସ୍ତାରୁ ଗଛ ହଟେଇବା କାମରେ ଲାଗି ପଡ଼ିଥିଲେ । ପ୍ରାୟ ୯ କିଲୋମିଟର ରାସ୍ତା ସଫା କରିବା ସହ ୫ ଶହରୁ ଅଧିକ ଗଛ କାଟି ହଟାଇଥିଲେ।
ସେହିପରି ଆଉ ଜଣେ ତିତଲି ହିରୋ ହେଲେ ମେଘନାଦ ମହାରଣା। ସେ ନିଜ ପାଣି ଟ୍ୟାଙ୍କର ନେଇ ୮ଶହରୁ ଅଧିକ ପ୍ରଭାବିତ ପରିବାରକୁ ପିଇବା ପାଣି ଯୋଗାଇଥିଲେ ।
କେବଳ ଏହି ତିନି ଜଣ ନୁହନ୍ତି ତିତଲି ବାତ୍ୟା ପ୍ରବାଭିତ ଲୋକଙ୍କୁ ନିଜସ୍ୱ ଉଦ୍ୟମରେ ସହାୟତା କରିଛନ୍ତି ବହୁ ବ୍ୟକ୍ତି ଓ ସ୍ୱେଚ୍ଛାସେବୀ ସଂଗଠନ । ଏହି ହିରୋମାନଙ୍କୁ ପୂର୍ବରୁ ମୁଖ୍ୟମନ୍ତ୍ରୀ ଟ୍ଵିଟ ମାଧ୍ୟମରେ ପ୍ରଶଂସା କରିଥିଲେ । ଭୁବନେଶ୍ୱର ବିପର୍ଯ୍ୟୟ ପ୍ରଶମନ ଦିବସରେ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।