ଶିକ୍ଷା ମନ୍ତ୍ରୀ, ବିଧାୟକ ଆଉ ଜିଲ୍ଲାପାଳଙ୍କ କୋଳରେ ବସି ଖଡ଼ି ଛୁଇଁ ଅ’ ଆ ଲେଖିଲେ କୁନି କୁନି ପିଲା

ଓଡ଼ିଶାର ହିନ୍ଦୁଧର୍ମୀମାନେ ଗଣେଶ ଚତୁର୍ଥୀ ଓ ବସନ୍ତ ପଞ୍ଚମୀ ଦିନକୁ ଛୋଟ ପିଲାଙ୍କ ବିଦ୍ୟାରମ୍ଭ ପାଇଁ ଏକ ପବିତ୍ର ଦିନ ବୋଲି ବିଶ୍ୱାସ କରନ୍ତି । ଓଡ଼ିଶାର ଘରେ ଘରେ ପାରମ୍ପରିକ ଭାବେ ଏହି ନିଆରା ବିଧି ପାଳନ ହୁଏ । ଏହି ବିଦ୍ୟାରମ୍ଭ ଉତ୍ସବକୁ ଖଡ଼ି ଛୁଆଁ କୁହାଯାଏ । ଏହା ଏକ ଶୁଭ ଅବସର ଯେଉଁଦିନ ପିଲାଙ୍କୁ ନିଜ ଜୀବନରେ ଶିକ୍ଷାର ମହତ୍ତ୍ୱ ବୁଝାଯାଏ । ଏହି ଦିନ ପିଲା ଖଡ଼ି ଧରିବା (ଅକ୍ଷର ଲେଖା ଶିଖିବା) ଆରମ୍ଭ କରନ୍ତି । ସମୂହ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ବିଭିନ୍ନ ମନ୍ଦିର ଓ ପୂଜାସ୍ଥଳୀମାନଙ୍କରେ ଆୟୋଜିତ ହୁଏ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଆଜି ରାଜଧାନୀରୁ ଆରମ୍ଭ କରି ପୁରପଲ୍ଲୀରେ ଥିବା ବିଦ୍ୟାଳୟରେ ନୂତନ ପ୍ରେବେଶିକା ଛାତ୍ର ଛାତ୍ରୀଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ ଜଣେଇବା ସହ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।
ଆଜିଠାରୁ ଆରମ୍ଭ ହେଲା ଶିଶୁ ବାଟିକା । ନବରଙ୍ଗପୁର ଜିଲ୍ଲାରେ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଶିକ୍ଷା ମନ୍ତ୍ରୀ, ବିଧାୟକ ଆଉ ଜିଲ୍ଲାପାଳଙ୍କ କୋଳରେ ବସି ଖଡ଼ି ଛୁଇଁ ଅ’ ଆ ଲେଖିଲେ କୁନି କୁନି ପିଲା । ଆଜିଠୁ ଶିକ୍ଷାର୍ଥୀ ମାନଙ୍କ ନାମ ଲେଖାଯାଇଛି। ସେପ୍ଟେମ୍ବର ୧ ତାରିଖକୁ ବୟସ ୬ ବର୍ଷ ସମ୍ପୂର୍ଣ୍ଣ ହେଉଥିଲେ ସେହି ପିଲାର ନାମ ପ୍ରଥମ ଶ୍ରେଣୀରେ ଲେଖାଯାଇଛି । ଜାତୀୟ ଶିକ୍ଷାନୀତି ୨୦୨୦ ପ୍ରଥମ ଥର ପାଇଁ ଓଡ଼ିଶାରେ ଲାଗୁ କରାଯିବ ଏହାଦ୍ବାରା ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଲାଭ ହେବ ଓ ପିଲାଙ୍କ ଶିକ୍ଷାରେ ଉନ୍ନତି ଆସିବ ଏହାକୁ ନେଇ ପିଲାଙ୍କ ମଧ୍ୟରେ ଓ ଅଭିଭାବକଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି । ଏହି ଖଡ଼ିଛୁଆ ପର୍ବ ପାଇଁ ପ୍ରତ୍ୟେକ ବିଦ୍ୟାଳୟରେ ପ୍ରସ୍ତୁତି ହୋଇଛି । ବିଦ୍ୟାଳୟର ଶିକ୍ଷକ ମାନଙ୍କୁ ଶିଶୁବାଟିକା ସକାଶେ ସ୍ୱତନ୍ତ୍ର ତାଲିମ ଦିଆ ଯାଇଛି ।
ସେହିପରି ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ୍ ଗୋପାଳପୁର ଶାସନରେ ଥିବା ବାଞ୍ଛାନିଧି ଖାଡଙ୍ଗା ସଂଯୁକ୍ତ ଉଚ୍ଚ ବିଦ୍ୟାଳୟରେ crcc,ପ୍ରଧାନ ଶିକ୍ଷକ ଓ ଶିକ୍ଷକ, ଶିକ୍ଷୟତ୍ରୀ ସହ ଛାତ୍ର ଛାତ୍ରୀ ମାନଙ୍କ ଉପସ୍ଥିତିରେ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପ୍ରଥମେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସ୍କୁଲ ଡ୍ରେସ ପରିଧାନ କରି ଗାଁର ପ୍ରତ୍ୟେକ ସାହିରେ ଲୋକ ମାନଙ୍କ ମଧ୍ୟରେ ସଚେତନ କରାଇଥିଲେ ନିଜ ପିଲାଙ୍କୁ ସରକାରୀ ସ୍କୁଲ ନାଁ ଲେଖାଇବା ପାଇଁ । ଏହାପରେ ନୂତନ ପିଲାଙ୍କୁ ଫୁଲ ଚନ୍ଦନ ଦେଇ ବନ୍ଦାପନା କରି ଖଡ଼ି ଛୁଆଁ ଯାଇଥିଲା । ଏବଂ ସ୍କୁଲର ଶିକ୍ଷୟତ୍ରୀ ଗୀତ ନାଚ ମାଧ୍ୟମରେ ପିଲାଙ୍କୁ ଆକୃଷ୍ଟ କରିଥିଲେ । ପିଲାମାନେ ମଧ୍ୟ ନାଚ ରେ ମସଗୁଲ ରହିଥିଲେ ।ଏହି ବାଞ୍ଛାନିଧି ଖାଡଙ୍ଗା ଉଚ୍ଚ ବିଦ୍ୟାଳୟ ରେ ପ୍ରଥମ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୫୭୬ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଏହି ବର୍ଷ ଶିଶୁ ବାଟୀକା ଏଠାରେ ଆରମ୍ଭ ହେଲା । ବର୍ଷ ବର୍ଷ ଧରି ଭଲ ଶିକ୍ଷାଦାନ ଦେଇଥିବାରୁ ଏହା ପ୍ରତିବର୍ଷ ବ୍ଲକ ରେ ସୁନାମ ଅର୍ଜନ କରିଛି ।
ଆଜି ଏଇ ଛୋଟ ପିଲା ମାନଙ୍କ ପାଇଁ ଏକ ଅଭୁଲା ଦିନ କାରଣ ଆଜି ହେଉଛି ଖଡ଼ିଛୁଆଁ । ବହୁ ଦିନ ପରେ ପୁରୁଣା ପ୍ରଥାକୁ ଏକ ନୂତନ ଚିନ୍ତାଧାରା ରୂପେ ସମସ୍ତ ବିଦ୍ୟାଳୟରେ ଆଜି ପାଳନ ହେଉଛି ଖଡ଼ିଛୁଆଁ । ଏହି ପ୍ରଥା ଆସ୍ତେ ଆସ୍ତେ ଲୋପ ପାଇଯାଉଥିବା ବେଳେ ପୁଣି ଉଜ୍ଜିବୀତ ହୋଇଛି ।
Also Read:ଶିଶୁ ବାଟିକା ପ୍ରବେଶ ଉତ୍ସବ: ବଡ଼ଗଡ଼ ହାଇସ୍କୁଲରେ ପିଲାମାନଙ୍କୁ ଖଡ଼ି ଛୁଆଁଇଲେ ମୁଖ୍ୟମନ୍ତ୍ରୀ