ଅଙ୍ଗଦାନ କରି ସବୁଦିନ ପାଇଁ ଅମର ହୋଇଗଲା ୨୧ ମାସର ପ୍ରତ୍ୟୁଷ, ବଞ୍ଚାଇ ଦେଇଗଲା ୩ଟି ଜୀବନ
ଶୋକାକୁଳ ପରିବେଶ । ସମସ୍ତଙ୍କ ଆଖିରେ ଲୁହ । ପରିବାର ଠାରୁ ଆରମ୍ଭ କରି ଗାଁ ଲୋକ ସମସ୍ତଙ୍କର ଭିଡ ଜିମିଛି । ଦିନେ ଏ ଗାଁ ଦାଣ୍ଡ ଯାହା ପାଇଁ ହସି ଉଠୁଥିଲା, ଆଜି ସେହି ଗାଁ ଦାଣ୍ଡରେ ତାକୁ ଦିଆଯାଇଛି ଶେଷ ବିଦାୟ । ବୟସ ମାତ୍ର ୨୧ ମାସ । ସାନ ପିଲାଟିଏ ସିନା ହେଲେ କରିଦେଇଗଲା ବଡ ଦାନ ।

ସୋର(କେନ୍ୟୁଜ): ଶୋକାକୁଳ ପରିବେଶ । ସମସ୍ତଙ୍କ ଆଖିରେ ଲୁହ । ପରିବାର ଠାରୁ ଆରମ୍ଭ କରି ଗାଁ ଲୋକ ସମସ୍ତଙ୍କର ଭିଡ ଜିମିଛି । ଦିନେ ଏ ଗାଁ ଦାଣ୍ଡ ଯାହା ପାଇଁ ହସି ଉଠୁଥିଲା, ଆଜି ସେହି ଗାଁ ଦାଣ୍ଡରେ ତାକୁ ଦିଆଯାଇଛି ଶେଷ ବିଦାୟ । ବୟସ ମାତ୍ର ୨୧ ମାସ । ସାନ ପିଲାଟିଏ ସିନା ହେଲେ କରିଦେଇଗଲା ବଡ ଦାନ ।
କୁନି ପୁଅକୁ ହରାଇ ଭାଙ୍ଗିପଡିଛନ୍ତି ବାପା ମା । ଏଦୁନିଆ ଛାଡି ସବୁଦିନ ପାଇଁ ଚାଲିଯାଇଛି ପୁଅ । ହେଲେ ଆରପାରିରେ ଥାଇ ବି ପୁଅ ଦୁନିଆ ଦେଖିବ । ଏ ହେଉଛି ଭୁବନେଶ୍ୱର ଚିତ୍ରଶିଳ୍ପୀ ଗୌରୀଶଙ୍କରଙ୍କ ପୁଅ ପ୍ରତ୍ୟୁଷର କାହାଣୀ । ଯାହାକୁ ହରାଇ ଆଜି ଭାଙ୍ଗିପଡିଛନ୍ତି ସଭିଏଁ ।
ଯାହା ସୂଚନା ମିଳିଛି, ଜନ୍ମ ହେବା ପରେ ଦୀର୍ଘ ଦିନ ଧରି ମେଡିକାଲରେ ଶଯ୍ୟାଶାୟୀ ଥିଲା ୨୧ ମାସର ପ୍ରତ୍ୟୁଷ । ମସ୍ତିଷ୍କ ଜନିତ ରୋଗରୁ ରକ୍ଷା ପାଇବା ଲାଗି ବହୁତ ଦିନ ଧରି ସଂଘର୍ଷ କରି ଆସୁଥିଲା । ମାତ୍ର ଆଉ ସହି ପାରିଲାନି । ଶେଷରେ ଏ ଦୁନିଆ ଛାଡି ସବୁ ଦିନ ପାଇଁ ଚାଲିଗଲା ଆରପାରିକୁ । ହେଲେ ୨୧ ମାସର କୁନି ଛୁଆଟି ଗଲା ବେଳେ ବଞ୍ଚାଇଦେଇଗଲା ଅନ୍ୟ ୩ଟି ଜୀବନ ।
ଅଙ୍ଗ ଦାନ କରି ଅନ୍ୟମାନଙ୍କ ପାଇଁ ପାଲଟିଗଲା ଉଦାହରଣ । ତେବେ ପୁଅର ଏଭଳି ଦାନ ପାଇଁ ଗର୍ବ କରିବେ ନା, ପୁଅକୁ ହରାଇ ଦୁଃଖ କରିବେ କିଛି ବୁଝି ପାରୁନାହାନ୍ତି ବାପା ଗୌରୀଶଙ୍କର ପାଣିଗ୍ରାହୀ ଏବଂ ମାଆ ଶର୍ମିଷ୍ଠା ପାଣିଗ୍ରାହୀ । ଗର୍ବରେ ଛାତି ଫାଡୁଛି ହେଲେ ନିଜ କଅଁଳ ପିଲାଟିକୁ ହରାଇବାର ଦୁଃଖ ତାଙ୍କୁ ଭିତରୁ ଭାଙ୍ଗିଦେଇଛି ।
୨୧ ମାସର ଶିଶୁ ପୁତ୍ରର ବ୍ରେନ୍ ଡେଡ୍ ଘୋଷଣା ପରେ ଛାତିରେ ପଥର ରଖି ମହାନତା ଦେଖାଇଛନ୍ତି ଏହି ପିତାମାତା । ଦୁଃଖରେ ଭାଙ୍ଗିପଡିଛନ୍ତି ସତ , ହେଲେ ନିଜ ପୁଅ ପ୍ରତ୍ୟୁଷ ପାଣିଗ୍ରାହୀର ଅଙ୍ଗଦାନ କରି ଅନ୍ୟ କାହାର ଜୀବନ ରକ୍ଷା କରିଛନ୍ତି । ୨୦୨୨ ଜୁଲାଇରେ ଜନ୍ମ ହୋଇଥିବା ଶିଶୁଟିର ଅନେକ ସ୍ଵାସ୍ଥ୍ୟଗତ ସମସ୍ୟା ସହ ସେ ଅସୁସ୍ଥ ହୋଇପଡିଥିଲା । ସେ ଅନେକ ଥର ହସ୍ପିଟାଲ ଆସିବା ସହ ଚିକିତ୍ସିତ ହୋଇ ପୁଣି ଘରକୁ ଫେରୁଥିଲା ।
ହେଲେ ଏଇ ୧୫ ଦିନ ତଳେ ମେନିନଜାଇଟିସ୍ ରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା ପ୍ରତ୍ୟୁଷ । ଆଇସିୟୁରେ ଚିକିତ୍ସିତ ହେଉଥିବା ସମୟରେ ଶନିବାର ସେପ୍ଟିକ୍ ସକ୍ ହେବାପରେ ଶିଶୁଟିକୁ ବ୍ରେନ୍ ଡେଡ୍ ଘୋଷଣା କରାଯାଇଥିଲା । ଯାହାପରେ ବାପା ଗୌରୀଶଙ୍କର ପାଣିଗ୍ରାହୀ ଏବଂ ମାଆ ଶର୍ମିଷ୍ଠା ଶିଶୁଟିର ଅଙ୍ଗଦାନ ପାଇଁ ଇଚ୍ଛା ପ୍ରକାଶ କରିଥିଲେ ।
ତେବେ ଭୁବନେଶ୍ୱରରୁ ଗ୍ରୀନ କରିଡରେ ଦିଲ୍ଲୀ, ହାଇଦ୍ରାବାଦ ଓ ଚେନ୍ନାଇ ଯାଇଛି ପ୍ରତ୍ୟୁଷର କିଡନୀ, ହାର୍ଟ ଓ ଲିଭର । ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଶିଶୁର ଶରୀରରେ ପ୍ରତିରୋପଣ ହୋଇଛି ହାର୍ଟ ।
ସେହିଭଳି ହାଇଦ୍ରାବାଦର ଜଣେ ଶିଶୁର ଶରୀରରେ କିଡନୀ ଓ ଚେନ୍ନାଇରେ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ଶିଶୁ ଶରୀରରେ ଲାଗିଛି ପ୍ରତ୍ୟୁଷର ଲିଭର । ତେବେ ଗତକାଲି ସୋରରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତୋପ ସଲାମି ପରେ ପ୍ରତ୍ୟୁଷର ଶେଷକୃତ୍ୟ ସମ୍ପନ୍ନ ହୋଇଛି । କୁନି ପୁଅ ଅଙ୍ଗଦାନ କରି ହୋଇଛି ଅମର । ପୁଅକୁ ବାପାମା’ ଓ ବନ୍ଧୁପରିଜନ ସଭିଏଁ ଦେଇଛନ୍ତି ଅଶ୍ରୁଳ ବିଦାୟ ।