ଓଡିଶାର ଏହି ପର୍ଯ୍ୟଟନ ସ୍ଥଳୀରେ ରହିଛି ସଂଜୀବନୀ ବୃକ୍ଷ, ଆପଣ ବି ଥରେ ନିଶ୍ଚୟ ବୁଲିଯାନ୍ତୁ

ଶୀତ ଋତୁ ଆସିଲେ, ମନ ହୁଏ କେଉଁଆଡ଼େ ଟିକେ ବୁଲି ଆସିବାକୁ । ଆଉ ବୁଲିବା ପାଇଁ ପ୍ରାକୃତିକ ପରିବେଶ ହିଁ ବେଶି ଭଲ ଲାଭେ । ଅନେକ ପ୍ରାକୃତିକ ସମ୍ଭାରରେ ଭରା ସେଭଳି ଏକ ଜାଗା ହେଉଛି ମଣ୍ଡନଗିରି ପର୍ବତ। ଯେଉଁଠି ରହିଛି ସଞ୍ଜିବନୀ ବୃକ୍ଷ। ଆପଣ ନିଶ୍ଚୟ ଜାଣିଥିବେ ଯେ ରାମାୟଣରେ ରାମ-ରାବଣ ଯୁଦ୍ଧ ବେଳେ ଲକ୍ଷ୍‌ମରଙ୍କୁ ବଞ୍ଚାଇବା ପାଇଁ ସଞ୍ଜୀବନୀ ବୃକ୍ଷ ଆଣିଥିଲେ ବୀର ହନୁମାନ । କୁହାଯାଏ ଏଇ ମଣ୍ଡନଗିରିରେ ରହିଛି ସେହି ସଞ୍ଜୀବନୀ ବୃକ୍ଷ ।

ଏହା ସହିତ ଏଠାକାର ଶୀତୁଆ ପରିବେଶ ଆଉ ପର୍ବତ ଉପରର ଦୃଶ୍ଯ ସତେ ଯେମିତି ହିମାଳୟର ଭ୍ରମ ସୃଷ୍ଟି କରିଥାଏ। ଖାଲି ସେତିକି ନୁହେଁ ଏଠାରେ ଥିବା ଏକ ପୋଖରୀ ହେଉଛି ପର୍ଯ୍ଯଟକଙ୍କ ପାଇଁ ଆଉ ଏକ ବଡ଼ ଆକର୍ଷଣ। ତା ସହିତ ପର୍ବତ ଉପରେ ରଘୁନାଥଙ୍କ ମନ୍ଦିର ଏବଂ ଭୀମ ପାଦୁକାକୁ ଦେଖି ବିମୋହିତ ହୁଅନ୍ତି ପର୍ଯ୍ଯଟକ।

ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ହେଉଛି ମଣ୍ଡନଗିରି ପର୍ବତ। ପ୍ରାୟ ବାରଶହ ଫୁଟ ଉଚ୍ଚର ଏହି ପର୍ବତ ଉପରକୁ ଯିବାକୁ ହେଲେ ବାଙ୍କୋଇ ଠାରୁ ଆଠ କିଲୋମିଟର ଏବଂ ଆଉ ଗୋଟିଏ ପଟେ ସଂପୁର ଠାରୁ ଚାରି କିଲୋମିଟର ଜଗଂଲ ତଥା ପାହାଡିଆ ରାସ୍ତାରେ ଯିବାକୁ ପଡିଥାଏ। ତେବେ ସେଠାକୁ ଯିବା ଏତେ ସହଜ ନୁହେଁ । ରାସ୍ତାରେ ଯିବା ବେଳେ ଝରଣାର କୁଳୁକୁଳୁ ଶବ୍ଦ ସହିତ ପ୍ରାକୃତିର ସବୁଜିମା ମନ ମୋହି ନିଏ ।

ହିମାଳୟର କିଛି ଔଷଧିୟ ବୃକ୍ଷ ସହ ସଂଜୀବନୀ ବୃକ୍ଷ ମଧ୍ୟ ଏଠାରେ ଦେଖିବାକୁ ମିଳେ। ତେବେ ଭୂପୃଷ୍ଠ ଠାରୁ ପ୍ରାୟ ବାରଶହ ଫୁଟ ଉଚ୍ଚ ପଥର ମଧ୍ୟରେ ଥିବା ପୋଖରୀଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ । ଯେଉଁଥିରେ ବର୍ଷ ବାର ମାସ ଯାକ ପାଣି ଶୁଖି ନ ଥାଏ। ଆଉ ପୋଖରୀର ଶୋଭା ବଢ଼ାଏ ଏଠି ଫୁଟୁଥିବା କଇଁ ଫୁଲ । ପର୍ଯ୍ୟଟକ କଷ୍ଟରେ ଆସନ୍ତି ସିନା କିନ୍ତୁ ଏଠି ପହଞ୍ଚିଗଲେ ଶ୍ରମ ସାର୍ଥକ ହେଲା ବୋଲି ଭାବି ନିଅନ୍ତି । ଏଠାରେ ବୁଲାବୁଲି କରିବା ସହ ବଣଭୋଜିର ଆନନ୍ଦ ନେଇଥାନ୍ତି ।

ତେବେ ରାଜ୍ଯ ପର୍ଯ୍ଯଟନ ପୃଷ୍ଠାରେ ସ୍ଥାନ ପାଇ ମଧ୍ୟ ଅବହେଳିତ ହୋଇ ରହିଛି ମଣ୍ଡନଗିରି ପର୍ବତ। ଅନେକ କିମ୍ବଦନ୍ତୀ ବହନ କରୁଥିବା ଏହି ମଣ୍ଡନଗିରିକୁ ଯିବାକୁ ନାହିଁ ଭଲ ରାସ୍ତାଟିଏ। ମିଳୁନି ସର୍ବନିମ୍ନ ସୁବିଧା । ସ୍ଥାନୀୟ ପ୍ରଶାସନ ଏଥିପ୍ରତି କାହିଁକି ଦୃଷ୍ଟି ଦେଉନାହିଁ ତାହା ବୁଝିବା ମୁସ୍କିଲ । ଏଇ ପର୍ଯ୍ୟଟନ ଋତୁରେ ଅନ୍ତତଃ ପ୍ରଶାସନ ମଣ୍ଡନଗିରିର ବିକାଶ ପାଇଁ ଯୋଜନା କରିବେ ବୋଲି ଆଶା କରୁଛୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.