ଜୟପୁର : ସତରେ ଭଗବାନଙ୍କର ନ୍ୟାୟ କଣ ଏମିତି । କାହାକୁ ମେଞ୍ଚେ ତ କାହାକୁ କେଞ୍ଚେ । ସମୟ ଚକ୍ରରେ ସବୁକିଛି ପରିବର୍ତ୍ତନ ହେଇଯାଉଛି ସତ କିନ୍ତୁ ଗରିବ ସେଇ ଗରିବ ହିଁ ହୋଇ ରହିଯାଉଛି । ତା ଦୁଃଖ ବୁଝିବାକୁ ବଡ ବାବୁଙ୍କ ପାଖରେ ସମୟ ନାହିଁ । ସରକାରୀ ଯୋଜନା ଯେମିତି ତାପାଇଁ ପାଲଟିଯାଉଛି ସାତ ସପନ ।
ଜୟପୁର ସହରର ଶେଷଭାଗ ରାସ୍ତା କଡ଼ ଯୋଉଁଠି ସହର ଯାକର ପରିତ୍ୟକ୍ତ ପାଣି ଆବର୍ଜନା ଯାଉଛି ତାରି କଡ଼ରେ ଜରିପାଲ ଭଙ୍ଗା ଦଦରା ଘରଟିଏ । ଏହି ଘରେ ଏମିତି ବିତିଗଲାଣି ୪ରୁ୫ ବର୍ଷ । ସ୍ୱାମୀ ସ୍ତ୍ରୀ ଉଭୟଙ୍କ ବୟସ ପାଖାପାଖି ୬୦ ହେବ । ଦଇବ ଦାଉ ସାଧିଲା ଭଳି ସ୍ୱାମୀ କୁମୁଟି ମୁଦୁଲିଙ୍କ ଦୁଇ ଗୋଡ଼ ଏକ ପ୍ରକାର ଅକାମି ଭଳି । ବିନା ସାହାରାରେ ପାଦ ପଡୁନି । ତା ସାଙ୍ଗକୁ ସ୍ତ୍ରୀ ଶୁକ୍ରିଙ୍କ ଦୃଷ୍ଟି ବାଧିତ ଭଳି ଅବସ୍ଥା ଯେମିତି ପରିହାସ କରୁଛି । ନା ଆଖିକୁ ଦିଶୁଚି ନା କାନକୁ ଶୁଭୁଚି । ଏମିତି ଦୟନୀୟ ଅବସ୍ଥାରେ ଭାଗ୍ୟକୁ ଆଦରି ଲୋକଙ୍କ ହାତକୁ ଅନେଇ ବିତୁଛି ଦିନ ।
ବୟସ ଥିବାବେଳେ ଏଠି ସେଠି କାମ କରି ପେଟ ପୋଷୁଥିଲେ ହେଲେ ଏବେ ରୋଗ ଆଉ ବାର୍ଦ୍ଧକ୍ୟ ଯୋଗୁଁ ଅସହାୟ ହୋଇ କୁଆଡେ ଯାଇପାରୁଛନ୍ତି ନା ଦିମୁଠା ଦାନା ପେଟକୁ ଯୋଗାଡ କରିପାରୁଛନ୍ତି । ସହର ମଝିରେ କୁମୁଟି ଓ ଶୁକ୍ରିଙ୍କ ଏଇ ଅସୁରକ୍ଷିତ ଜୀବନ ଶୈଳୀ କେଉଁ ଦୁର୍ଗମ ଅଞ୍ଚଳର ନୁହେଁ ସହର ଉପକଣ୍ଠ ୨୨ନମ୍ବର ୱାର୍ଡର ଚିତ୍ର ଯାହା ଶହ ଶହ ଯୋଜନା ଭିତରେ ଥିବା ବ୍ୟବସ୍ଥା ଉପରେ ପ୍ରଶ୍ନ କରୁଛି । ସେପଟେ ପଡୋଶୀ ଓ ସ୍ଥାନୀୟ ବାସିନ୍ଦା କେତେବେଳେ କେମିତି ଟିକିଏ ସହଯୋଗ କରନ୍ତି ସତ କିନ୍ତୁ ସରକାରୀ ସାହାଯ୍ୟ ନିହାତୀ ଜରୁରୀ ବୋଲି ନିବେଦନ କରିଛନ୍ତି ।
ସରକାରୀ ସହାୟତା ଏମାନଙ୍କ ପାଇଁ ସାତ ସପନ । ଗରିବଙ୍କ ପାଇଁ ମାଳମାଳ ଯୋଜନା ହେଲେ ବାସ୍ତବ ସତ କଣ ଏହି ଚିତ୍ର ବଖାଣୁଛି । ସାମାନ୍ୟ ଆଧାର କାର୍ଡ ନଥିବା ଯୋଗୁଁ ଏହି ଦମ୍ପତି ଚାଉଳ ଠୁ ଆରମ୍ଭ କରି ଦିବ୍ୟାଙ୍ଗ ସହାୟତା ସବୁରୁ ବଞ୍ଚିତ ରହି ନିଜ ଭାଗ୍ୟକୁ ଆଦରି ବିପଦ ସଙ୍କୁଳ ଅବସ୍ଥାରେ ୪ବର୍ଷ ଧରି ଏଭଳି ପଡିରହିଛନ୍ତି । ସ୍ଥାନୀୟ କାଉନ୍ସିଲର କହିଛନ୍ତି କିଛି ଡିଜିଟାଲ ତ୍ରୁଟି ଯୋଗୁଁ ତାଙ୍କ ପ୍ରମାଣପତ୍ର ହୋଇପାରୁନି ତେଣୁ ଏ ଅସୁବିଧା । ସେପଟେ ଜୟପୁର ପୌର ନିର୍ବାହୀ ଅଧିକାରୀ କହିଛନ୍ତି ଖୁବ ଶୀଘ୍ର ଆନୁସଙ୍ଗିକ ବ୍ୟବସ୍ଥା କରାଯାଇ, ଡାକ୍ତରୀ ସୁବିଧା ଓ ରାସନ କାର୍ଡ ଯୋଗାଇବା ସହ ବାସସ୍ଥାନର ବ୍ୟବସ୍ଥା କରାଯିବ ।
ଏଠି ବଞ୍ଚିବା ଏତେ ସହଜ ନୁହେଁ ମୁଠାଏ ଭାତ ଆଉ ମୁଣ୍ଡ ଉପରେ ଛାତ ଖଣ୍ଡେ ପାଇଁ ବର୍ଷ ପରେ ବର୍ଷ ବିତିଯାଉଛି । ସରକାରୀ ବାବୁଙ୍କ ଉଦାସିନତା ହେଉ ଅବା ଡିଜିଟାଲ ତ୍ରୁଟି, ଯାହା ପାଇଁ ପ୍ରକୃତ ହିତାଧିକାରୀ ବଞ୍ଚିତ ରହୁଛନ୍ତି ସରକାରଙ୍କ ସବୁ ଯୋଜନାରୁ ।