ପୁଣି ବେପରୁଆ ଗାଡି ଚାଳନାର କରୁଣ ଦୁର୍ଦ୍ଦଶା, ବୃଦ୍ଧ ଅବସ୍ଥାରେ ହାତ ହରାଇଲେ ପୂର୍ଣ୍ଣଚନ୍ଦ୍ର

ଜଳେଶ୍ୱର : ବାପ୍ ରେ ବାପ୍ ଏମିତି ଦୁର୍ଘଟଣା ଯାହାର ଭିଜୁଆଲ୍ ଦେଖାଇବା ଅସମ୍ଭବ । ଏଭଳି ଛାତିଥରା ଦୁର୍ଘଟଣା ଦେଖି ଚକିତ ସ୍ଥାନୀୟ ଲୋକେ । ଦୁର୍ଘଟଣା ଘଟାଇବାପରେ ଶରୀରରୁ ହାତ ଛିଣ୍ଡାଇ ନେଇଗଲା ପିକଅପ ଭ୍ୟାନ୍ । ଯାହାକୁ ଦେଖି ସଭିଏଁ ଆତଙ୍କିତ । ହେଲେ ସବୁଠାରୁ ବଡ କଥା ଡ୍ରାଇଭର ଜଣକ ଦୁର୍ଘଟଣା ଘଟାଇ ଜଣଙ୍କ ଶରୀରରୁ ହାତ ଛିଡାଇ ନେଇଗଲା ହେଲେ ଏନେଇ ସେ କିଛି ଜାଣିନି । ତାହା ହେଲେ ଭାବନ୍ତୁ ତାହାହେଲେ ଡ୍ରାଇଭର ଜଣକ କେତେ ସତର୍କତା ସହ ଡ୍ରାଇଭିଂ କରୁଥିବ ।
ହଁ ପୁଣି ଏକ ଲୋମହର୍ଷଣକାରୀ ସଡକ ଦୁର୍ଘଟଣା ସାମ୍ନାକୁ ଆସିଛି । ଯେଉଁ ଦୁର୍ଘଟଣାରେ ଶରୀରରୁ ଅଲଗା ହୋଇ ଗଲା ବୃଦ୍ଧଙ୍କ ହାତ । ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ବୃଦ୍ଧ ଜଣକ ରାସ୍ତା ର ଯାଉଥିବା ସମୟରେ ପିକଅପ ଭ୍ୟାନ୍ ଟି ଧକ୍କା ଦେଇ ଘୋଷାଡି ନେବା ଫଳରେ ବୃଦ୍ଧଙ୍କ ହାତ କଟିଯାଇଥିଲା ।
ଯାହାପରେ ଦୁର୍ଘଟଣା ଘଟାଇ କଟା ହାତ ସହ ପିକଅପ ଭ୍ୟାନ୍ ର ଡ୍ରାଇଭର ଗାଡି ନେଇ ଚମ୍ପଟ ମାରିଥିବା ବେଳେ ପିକଅପ ଡାଲାରେ କଟା ହାତ ଝୁଲୁଥିବାର ଦେଖି ସ୍ଥାନୀୟ ଲୋକେ ଆଚମ୍ବିତ ହୋଇ ଯାଇଥିଲେ । ପିକଅପର ଡାହାଣ ପାର୍ଶ୍ଵ ଡାଲାରେ ଏକ ରକ୍ତାକ୍ତ ହାତ ଝୁଲୁଥିବାରେ ଦେଖି ରାଇବଣିଆ ଥାନା ଅନ୍ତର୍ଗତ ପୁରୁଣାପାଣିଠାରେ କିଛି ଲୋକ ପିକଅପ ଟିକୁ ଅଟକାଇ ଡ୍ରାଇଭରକୁ ଏକ ଖୁଣ୍ଟରେ ବାନ୍ଧି ଦେଇ ରାଇବଣିଆ ପୋଲିସ କୁ ଖବର ଦେଇଥିଲେ । ଏପଟେ ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରକୁ ଅଟକ ରଖି ଅଧିକ ତଦନ୍ତ କରୁଛି ।
ସୂଚନା ଅନୁଯାୟୀ, ଜଳେଶ୍ୱର ଥାନା ଅନ୍ତର୍ଗତ ଗୁରୁଦାସପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ମହାନ୍ତି ଲକ୍ଷ୍ମଣନାଥ ବଜାରରୁ କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ ପିକଅପ ଭ୍ୟାନ୍ ତାଙ୍କୁ ଧକ୍କା ଦେଇ ହାତକୁ ଛିଣ୍ଢାଇ ନେଇ ଚମ୍ପଟ ମାରିଥିଲା । ଗୁରୁଦାସପୁର ବ୍ରିଜ ନିକଟରେ ମୁର୍ମୁଷ ଅବସ୍ଥାରେ ପଡିଥିବା ବୃଦ୍ଧ ପୂର୍ଣ୍ଣଚନ୍ଦ୍ର ମହାନ୍ତିଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଜଳେଶ୍ୱର ହସ୍ପିଟାଲକୁ ନେଇଥିଲେ । ମାତ୍ର ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି । ଏହାପରେ ଉକ୍ତ କଟା ହାତକୁ ଜବତ କରାଯାଇ ମେଡିକାଲ୍ କୁ ପଠାଯାଇଥିବା ଖବର ମିଳିଛି ।
ପୁଣି ବେପରୁଆ ଗାଡି ଚାଳନାର କରୁଣ ଦୁର୍ଦ୍ଦଶା । ବୃଦ୍ଧ ଅବସ୍ଥାରେ ହାତ ହରାଇଲେ ପୂର୍ଣ୍ଣଚନ୍ଦ୍ର । ଆପଣ ଏ ଦୃଶ୍ୟ ଦେଖି ଅନୁମାନ କରିପାରୁଥିବେ ଦୁର୍ଘଟଣା କେତେ ଭୟଙ୍କର ଥିବ । ତେବେ ଏଦିଗରେ ଉଚିତ୍ ତଦନ୍ତ କରି ଅସହାୟ ବୃଦ୍ଧଙ୍କୁ ସହାୟତା ଯୋଗାଇ ଦେବା ସହିତ ବେପରୁଆ ଗାଡି ଚାଳନା ପାଇଁ ଉକ୍ତ ଡ୍ରାଇଭର ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଦାବି କାଛନ୍ତି ପରିବାର ଲୋକଙ୍କ ସହ ଗ୍ରାମବାସୀ ।