୧୦୪ ବର୍ଷରେ ବି ପେଟ ପାଇଁ ଭିକ ମାଗୁଛନ୍ତି ଏଇ ବୃଦ୍ଧ ଜଣଙ୍କ…

ପୋଲସରା: ପତଳା ଶରୀର । ଚମ ଧୁଡୁ ଧୁଡୁ ହୋଇଗଲାଣି । ସେଥିରେ ସଳଖି ଠିଆ ହବାତ ଦୁରର କଥା ବସିବି ପାରୁନାହାଁନ୍ତି । କଥା ବି ସ୍ପଷ୍ଟ ଭାବେ କହିପାରୁନାହାଁନ୍ତି ।ପରିବାର କହିଲେ କେହି ନାହିଁ । ବୟସ ଆସି ହେଲାଣି ୧୦୪ ବର୍ଷ । ଏଇ ବୟସରେ ନିଜ କାମ କରିବାକୁ ତାଙ୍କ ଦେହରେ ବଳ ବା କୋଉଠୁ ଆସିବ ।

ଏ ବୃଦ୍ଧଙ୍କର ଅବସ୍ଥା ଦେଖିଲେ ଆପଣଙ୍କର ବି ମନ ନିଶ୍ଚୟ ଭାବେ ତରଳିଯିବ । ଏହି ବୟସରେ କେମିତି ବା ସେ ପେଟକୁ ଦିମୁଠା ଖାଦ୍ୟ ସଂଗ୍ରହ କରିବେ । ଆପଣ କୁହନ୍ତୁ କଣ ଏହି ଦିନ ଦେଖିବା ପାଇଁ ଏ ବୃଦ୍ଧ ଜଣଙ୍କ ବଞ୍ଚିରହିଛନ୍ତି? ଏକଦମ୍‌ ଅସହାୟ ହୋଇ ଘୂରି ବୁଲୁଛନ୍ତି । କିଏ ଦେଲେ ଖାଉଛନ୍ତି ନହେଲେ ନାହିଁ ।

ତେବେ ବୁଗୁଡା ସହରରେ ଏଇ ଅସହାୟ ବୃଦ୍ଧଙ୍କୁ ଉଦ୍ଧାର କରିଛି ବଜରଙ୍ଗ ଦଳ । ଭିକ୍ଷୁକ ଭାବେ ଭିକ୍ଷା ବୃତ୍ତି କରୁଥିବା ବେଳେ ବୃଦ୍ଧ ଜଣକୁ ଉଦ୍ଧାର କରାଯାଇଛି । ଏ ବୃଦ୍ଧ ଜଣଙ୍କ ହେଉଛନ୍ତି ବୁଗୁଡା ବ୍ଳକ ଅନ୍ତର୍ଗତ ବୁରୁଝୋଳା ଗ୍ରାମର ବାଞ୍ଛାନିଧି ସାହୁ । ଆଜି ପର୍ଯ୍ୟନ୍ତ ବାଞ୍ଛାନିଧି ସରକାରୀ ସହାୟତାରୁ ବଞ୍ଚିତ । ନା ଅଛି ଆବାସ,ଭତ୍ତା ନା ରାସନକାର୍ଡ । କିଛି ବି ସୁବିଧା ପାଉନଥିବାରୁ ପରିଣତ ବୟସରେ ଭିକ୍ଷା ବୃତ୍ତି କରି ପେଟ ପାଇଁ ଦାନା ସଂଗ୍ରହ କରୁଛନ୍ତି । ତେବେ ବୃଦ୍ଧ ଜଣଙ୍କ ଏଭଳି ଅବସ୍ଥାରେ ବୁଲୁଥିବାର ଖବର ପାଇଥିଲେ ବୁଗୁଡ଼ା ବଜରଙ୍ଗ ଦଳର ସଦସ୍ୟମାନେ । ଦୃଷ୍ଟି ଆକର୍ଷଣ ହେବା ପରେ ତୁରନ୍ତ ଘଟଣାସ୍ଥଳରେ ପହଁଚି ବୃଦ୍ଧଙ୍କୁ ଉଦ୍ଧାର କରିଥିବା ଜଣାପଡିଛି ।

କଥାରେ ଅଛି କର୍ତ୍ତବ୍ୟ ଠାରୁ ଆଉ କିଛି ବଡ଼ ନାହିଁ । ଆଉ କର୍ତ୍ତବ୍ୟ ଯଦି ଆଦର୍ଶ ପାଲଟିଯାଏ ତେବେ ସେହି ମଣିଷଟି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଯାଏ । ସତରେ କାହାକୁ ସହାୟତା କରିବା ପାଇଁ ଅର୍ଥ ନୁହେଁ କେବଳ ଗୋଟେ ଉଦାର ହୃଦୟର ଆବଶ୍ୟକତା । ଆଉ ଏଭଳି ଉଦାର ହୃଦୟର ଲୋକେ ଆଜିର ସ୍ଵାର୍ଥପର ଦୁନିଆରେ ବହୁତ କମ୍ । ତଥପି ଆଜି ବି କେଉଁଠି ନା କେଉଁଠି କିଛି ମଣିଷଙ୍କ ପାଇଁ ସମାଜରେ ବଞ୍ଚିରହିଛି ମାନବିକତା ।

 

You might also like