ଧୀରେ ଧୀରେ ଡେଣା ମେଲାଉଛି କରୋନାର ନୂଆ ବେରିଏଣ୍ଟ ଓମିକ୍ରନ, ଜାନୁଆରୀରେ ଆସିବକି ଥାର୍ଡ ୱେଭ

ଏବେ ସମସ୍ତଙ୍କୁ ଶୀତ କଣ ଥରାଇବ, ଥରାଉଛି କରୋନାର ନୂଆ ବେରିଏଣ୍ଟ ଓମିକ୍ରନ। ଦିନକୁ ଦିନ ଓମିକ୍ରନ୍‌ ମାମଲା ବଢ଼ି ବଢ଼ି ଚାଲିଛି। ସୋମବାର ମୁମ୍ବାଇରେ ଓମିକ୍ରନର ୨ଟି କେସ୍‌ ବାହାରିବା ପରେ ଦେଶର କରୋନାର ନୂଆ ବେରିଏଣ୍ଟ ଓମିକ୍ରନର ସଂଖ୍ୟା ୨୩ରେ ପହଁଚିଛି।

ପ୍ରଥମେ କର୍ଣ୍ଣାଟକରେ ଦୁଇଟି ମାମଲା ଚିହ୍ନଟ ହେବା ପରେ ଏହି ବେରିଏଣ୍ଟ ଭାରତରେ ପହଁଚିଥିବା ଜଣାଯାଇଛି। ତୃତୀୟ ମାମଲା ଗୁଜରାଟର ଜାମନଗରରେ ଏବଂ ଅନ୍ୟଟି ମହାରାଷ୍ଟ୍ରରେ ଚିହ୍ନଟ ହୋଇଥିଲା।

ତେବେ ପରେ କିନ୍ତୁ ମହାରାଷ୍ଟ୍ରରେ ଓମିକ୍ରନ୍‌ ମାମଲା ୭କୁ ବୃଦ୍ଧି ପାଇଥିଲା ଯେଉଁଥିରେ ଗୋଟିଏ ପରିବାରର ୬ ଜଣ ଥିଲେ। ଏମାନଙ୍କ ମଧ୍ୟରୁ ଜଣେ ଭାରତୀୟ ବଂଶୋଦ୍ଭବ ଓ ନାଇଜେରିଆର ନାଗରିକତ୍ଵ ଗ୍ରହଣ କରିଥିବା ମହିଳା ଯାହାଙ୍କର ବୟସ ୪୪ ବର୍ଷ, ତାଙ୍କର ଦୁଇ ଝିଅ ଯେ କି ଲାଗୋସରୁ ପୁଣେରେ ପହଁଚିଛନ୍ତି ଏବଂ ଅନ୍ୟ ଜଣେ ବ୍ୟକ୍ତି ଯିଏକି ଫିନଲାଣ୍ଡ ଗସ୍ତ କରିଛନ୍ତି। ଏତଦ ବ୍ୟତୀତ ମହିଳାଙ୍କ ଭାଇ ଏବଂ ତାଙ୍କ ଦୁଇ ପିଲା ମଧ୍ୟ ଓମିକ୍ରନ ପଜିଟିଭ୍‌ ଚିହ୍ନଟ ହୋଇଥିଲେ ଏବଂ ଏ ସମସ୍ତ ସାତ ଜଣ ଏବେ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି।

ସେହିପରି ଜୟପୁରରେ ଓମିକ୍ରନ ବେରିଏଣ୍ଟର ନଅଟି ମାମଲା ଚିହ୍ନଟ କରାଯାଇଥିଲା। ଏମାନେ ସମସ୍ତେ ଗୋଟିଏ ବିବାହ ଉତ୍ସବରେ ଯୋଗ ଦେଇଥିବା ଜଣାପଡିଛି। ଦିଲ୍ଲୀରେ ଜଣେ ୩୦ ବର୍ଷ ବୟସ୍କ ବ୍ୟକ୍ତି ମଧ୍ୟ ଓମିକ୍ରନରେ ସଂକ୍ରମିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ତେବେ ଆଜି ମହାରାଷ୍ଟ୍ରରେ ଦୁଇଟି ଓମିକ୍ରନ ମାମଲା ଚିହ୍ନଟ ହେବା ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଅନୁଯାୟୀ ସମୁଦାୟ ରୋଗୀଙ୍କ ସଂଖ୍ୟା ୧୦ରେ ପହଁଚିଛି।

ସେହିପରି ଓଡିଶା କଥା ଯଦି କହିବା ତେବେ ଏଯାଏଁ ଓଡିଶାରୁ ଗୋଟିଏ ବି ଓମିକ୍ରନ୍‌ ମାମଲା ଚିହ୍ନଟ ହୋଇନାହିଁ। ଓମିକ୍ରନ ବିପଦ ମଧ୍ୟରେ ଓଡିଶାରେ ଜେନମ ସିକୁଏନ୍ସିଙ୍ଗ ପାଇଁ ସୋମବାର ଦିନ ଭୁବନେଶ୍ୱରର ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍ସକୁ ଓଡିଶାର ବିିଭିନ୍ନ ଜିଲ୍ଲାରୁ ୨୪୬ଟି ସାମ୍ପୁଲ ପଠାଯାଇଛି। ଏହାପୂର୍ବରୁ ୧୪୧ଟି ସାମ୍ପୁଲ ପଠାଯାଇଥିଲା କିନ୍ତୁ ସୌଭାଗ୍ୟବସତଃ ସେଥିମଧ୍ୟରୁ ଗୋଟିଏ ବି ମାମଲା ଓମିକ୍ରନ୍‌ ବୋଲି ଚିହ୍ନଟ ହୋଇନି।

ଓଡିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି ଯେ ଏହି ନୂଆ ଭାରିୟଣ୍ଟକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ। ପ୍ରତ୍ୟେକ ଥର ଭଳି ରାଜ୍ୟ ସରକାର ଏହା ବିରୁଦ୍ଧରେ ଲଢ଼ିବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି।

ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କୋଭିଡ ୧୯ର ନୂଆ ବେରିଏଣ୍ଟ ଓମିକ୍ରନ ଚିହ୍ନଟ ହେବା ପରେ ବିପଦ ସଂକେତ ଥିବା ଦେଶରୁ ଓଡିଶାକୁ ୮୦୦ ଲୋକ ଫେରିଛନ୍ତି।

omicronଡେଲଟା ଭାରିୟଣ୍ଟ ଏବଂ ଓମିକ୍ରନ ମଧ୍ୟରେ କେଉଁଟା ଅଧିକ ବିପଦପୂର୍ଣ୍ଣ

ବୈଜ୍ଞାନିକମାନଙ୍କ ମତରେ କରୋନାର ଏହି ନୂଆ ବେରିଏଣ୍ଟ ଓମିକ୍ରନ ଡେଲ୍ଟା ଠାରୁ ଅଧିକ ଘାତକ। ଏହା ଦୃତ ବେଗରେ ବ୍ୟାପିବା ସହିତ ଅନେକ ଲୋକଙ୍କୁ ସଂକ୍ରମିତ କରିବାର କ୍ଷମତା ରଖିଛି। ତେବେ କୋଭିଡ ୧୯ ମାମଲା ବୃଦ୍ଧି ଏବଂ ସିକୁଏନ୍ସସିଙ୍ଗ ଡାଟାକୁ ଆଧାର କରି ରିସର୍ଚ୍ଚରମାନେ ଆକଳନ କରିଛନ୍ତି ଯେ ଓମିକ୍ରନ୍‌ ଡେଲଟା ଭାରିୟଣ୍ଟ ଠାରୁ ତିନିରୁ ଛଅ ଗୁଣା ଅଧିକ ଲୋକଙ୍କୁ ସଂକ୍ରମିତ କରିପାରେ।

କୁହାଯାଉଛି ଯେ ଓମିକ୍ରନ ଗୁରୁତର ସଂକ୍ରମଣ ସୃଷ୍ଟି କରିବାରେ କମ୍‌ କ୍ଷମତା ରଖିଛି କିନ୍ତୁ ଡେଲଟା ଭାଇରସ ଅପେକ୍ଷା ସଂକ୍ରମିତ କରିବାରେ ୫ ରୁ ୧୦ ଗୁଣ ଅଧିକ ଶକ୍ତିଶାଳୀ।

ବୈଜ୍ଞାନିକଙ୍କ ମତରେ ଓମିକ୍ରନ ଡେ଼ଲ୍ଟା କିମ୍ବା ଅନ୍ୟ କୋଭିଡ ବେରିଏଣ୍ଟ ମାନଙ୍କ ଭଳି ଅଧିକ ସଂକ୍ରାମକ ହେବାର ଆଶଙ୍କା ରହିଛି, ତେଣୁ ଯଦି ଆବଶ୍ୟକୀୟ ସତର୍କତା ଅବଲମ୍ବନ କରା ନ ଯାଏ ତେବେ ଏହା ଅଧିକ ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି ।

ଓମିକ୍ରନର ଲକ୍ଷଣ

କରୋନାର ଲକ୍ଷଣ ଭଳି ଏହାର ଲକ୍ଷଣ ମଧ୍ୟ ସମାନ ରହିଛି। ତେବେ ଏହାର ସବୁଠାରୁ ସାଧାରଣ ଲକ୍ଷଣ ହେଉଛି ଜ୍ୱର, କାଶ, ଥକାପଣ ଏବଂ ଗନ୍ଧ ଓ ସ୍ୱାଦ ବାରି ନପାରିବା।
ଏହାର ଲକ୍ଷଣରେ ଏସବୁ ଲକ୍ଷଣ ମଧ୍ୟ ଆସୁଛି ଯେମିତିକି ଗଳା ଯନ୍ତ୍ରଣା, ମୁଣ୍ଡବିନ୍ଧା, ଯନ୍ତ୍ରଣା ଅନୁଭବ ହେବା, ଚର୍ମରେ ଘା, ଆଙ୍ଗୁଠି କିମ୍ବା ଆଖି ଲାଲ ଦେଖାଯିବା।
ତେବେ ଏହାର ଗମ୍ଭୀର ଲକ୍ଷଣ ହେଉଛି ଶ୍ୱାସ ନେବାରେ ଅସୁବିଧା ହେବା ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହେବା ଏବଂ ଛାତି ଯନ୍ତ୍ରଣା ହେବା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.