ଅକ୍ଷୟ ତୃତୀୟା: ଯଦି ସୁନା କିଣିବାକୁ ପଇସା ନାହିଁ, ତା’ ହେଲେ କିଣି ଆଣନ୍ତୁ ଏହି ୫ଟି ଶସ୍ତା ଜିନିଷ…ବର୍ଷଯାକ ରହିବନି ଧନର ଅଭାବ

ଆଜି ସାରା ଦେଶରେ ପାଳିତ ହେଉଛି ପବିତ୍ର ଅକ୍ଷୟ ତୃତୀୟା ପର୍ବ। ହିନ୍ଦୁ ଶାସ୍ତ୍ରରେ ବୈଶାଖ ମାସର ବିଶେଷ ମହତ୍ତ୍ୱ ରହିଛି। ଏହି ମାସର ଶୁକ୍ଳପକ୍ଷ ତୃତୀୟା ତିଥିକୁ ହିଁ ଅକ୍ଷୟ ତୃତୀୟା ରୂପେ ପାଳନ କରାଯାଏ। ହିନ୍ଦୁ ଧର୍ମ ଅନୁସାରେ, ଏହି ତିଥି ବହୁତ ଶୁଭ ହୋଇଥାଏ। ଆଜିର ଦିନରେ ସୁନା କିଣିବା ମଧ୍ୟ ଶୁଭ ବୋଲି ଧରାଯାଏ। କିନ୍ତୁ ସୁନା ବ୍ୟତୀତ ଏମିତି ବି କିଛି ଜିନିଷ ରହିଛି, ଯାହାକୁ ଅକ୍ଷୟ ତୃତୀୟାରେ ଘରକୁ ଆଣିଲେ ଶୁଭଫଳ ପ୍ରାପ୍ତ ହୋଇଥାଏ। ଯଦି ଆପଣ କୌଣସି ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି କିମ୍ବା ସୁନା କିଣିବାକୁ ଆପଣଙ୍କ ପାଖରେ ପଇସା ନାହିଁ, ତା’ ହେଲେ ଏହି ଦିନ ମା’ଙ୍କର ଅତି ପ୍ରିୟ ୫ଟି ଜିନିଷ ଘରକୁ ଆଣନ୍ତୁ। ଦେଖିବେ, ମା’ଙ୍କର କୃପା ବର୍ଷଯାକ ଆପଣଙ୍କ ଉପରେ ରହିବ।

ଲକ୍ଷ୍ମୀଙ୍କ ଚରଣ ପାଦୁକା: ଅକ୍ଷୟ ତୃତୀୟାରେ ମୁଖ୍ୟତଃ ସୁନା-ଚାନ୍ଦି ବସ୍ତୁ କିଣିବା ଶୁଭ ହୋଇଥାଏ। ତେଣୁ ଏହି ଦିନ ଆପଣ ମା’ ଲକ୍ଷ୍ମୀଙ୍କ ଚାନ୍ଦି ନିର୍ମିତ ଚରଣ ପାଦୁକା ଘରକୁ ଆଣି ପାରିବେ। ପ୍ରତିଦିନ ଏହାକୁ ପୂଜା କରିବା ଦ୍ୱାରା ଅଶେଷ ଲାଭ ମିଳିଥାଏ।

କଉଡ଼ି: ମା’ ଲକ୍ଷ୍ମୀଙ୍କର କଉଡ଼ି ମଧ୍ୟ ଅତି ପ୍ରିୟ ହୋଇଥାଏ। ଘରେ ମା’ଙ୍କ ବାସ ସବୁଦିନ ବଜାୟ ରଖିବା ପାଇଁ ତାଙ୍କର ପ୍ରିୟ କଉଡ଼ି ଏହି ଦିନ ନିଶ୍ଚୟ କିଣନ୍ତୁ। ଅକ୍ଷୟ ତୃତୀୟାରେ କରାଯାଇଥିବା ଏହି ଉପାୟ ଆର୍ଥିକ ସମସ୍ୟାରୁ ମୁକ୍ତି ଦେବ।

ଏକାକ୍ଷୀ ନଡ଼ିଆ: ଅକ୍ଷୟ ତୃତୀୟାରେ ଏକାକ୍ଷୀ ନଡ଼ିଆ ଅର୍ପଣ କରିବା ବହୁତ ଶୁଭ ହୋଇଥାଏ। ହିନ୍ଦୁ ଧର୍ମରେ ଏକାକ୍ଷୀ ନଡ଼ିଆକୁ ମା’ ଲକ୍ଷ୍ମୀଙ୍କର ସ୍ୱରୂପ କୁହାଯାଇଥାଏ।

ଦକ୍ଷିଣାବର୍ତ୍ତୀ ଶଙ୍ଖ: ଅକ୍ଷୟ ତୃତୀୟାରେ ମା’ଙ୍କର ସବୁଠାରୁ ପ୍ରିୟ ଜିନିଷ ଦକ୍ଷିଣାବର୍ତ୍ତୀ ଶଙ୍ଖକୁ ନିଶ୍ଚୟ ଘରକୁ ଆଣନ୍ତୁ। ଏହାଦ୍ୱାରା ଘରେ ଧନ, ସମ୍ପତ୍ତି ବୃଦ୍ଧି ପାଇବ। ଆଜିର ଦିନରେ ଦକ୍ଷିଣାବର୍ତ୍ତୀ ଶଙ୍ଖ କିଣିବା ବହୁତ ଶୁଭ ହୋଇଥାଏ।

ଶ୍ରୀଯନ୍ତ୍ର: ଆଜି ଭଳି ପବିତ୍ର ଦିନରେ ଘରକୁ ଶ୍ରୀଯନ୍ତ୍ର ଏବଂ ସ୍ଫଟିକରେ ତିଆରି କଇଁଛକୁ ଘରକୁ ଆଣନ୍ତୁ। ଏହାଦ୍ୱାରା ପଇସା ସହ ଜଡ଼ିତ ସବୁ ସମସ୍ୟା ଦୂର ହୋଇଯିବ।

ଏହି କାର୍ଯ୍ୟ କରନ୍ତୁ ନାହିଁ

-ଅକ୍ଷୟ ତୃତୀୟା ଦିନ ମା’ ଲକ୍ଷ୍ମୀଙ୍କ ସହ ଭଗବାନ ବିଷ୍ଣୁଙ୍କ ପୂଜାର ବିଧାନ ରହିଛି। ବିଷ୍ଣୁଙ୍କ ପୂଜାରେ ତୁଳସୀ ପତ୍ର ପ୍ରୟୋଗ କରାଯାଇଥାଏ। ତେଣୁ ତୁଳସୀ ପତ୍ର ଛିଣ୍ଡାଇବା ପୂର୍ବରୁ ଶାରୀରିକ ସ୍ୱଚ୍ଛତା ପ୍ରତି ବିଶେଷ ଯତ୍ନବାନ ହେବା ଉଚିତ। ନ ଗାଧୋଇ କେବେ ବି ତୁଳସୀ ପତ୍ର ଛିଣ୍ଡାଇବେ ନାହିଁ।

-ଅକ୍ଷୟ ତୃତୀୟାରେ କିଛି ଲୋକ ଅଜାଣତରେ କେବଳ ମା’ ଲକ୍ଷ୍ମୀଙ୍କ ପୂଜା କରି ଥାଆନ୍ତି। ଯେତେବେଳେ କି, ମା’ଙ୍କ ପୂଜା ଭଗବାନ ବିଷ୍ଣୁଙ୍କ ସହିତ ହେବା ଉଚିତ। କିନ୍ତୁ ମନେ ରଖନ୍ତୁ, ଦୁଇଜଣଙ୍କର ଅଲଗା ଅଲଗା ପୂଜା କରିବା ଦ୍ୱାରା ଅଶୁଭ ଫଳ ମିଳିଥାଏ। କୁହାଯାଏ, ମା’ ଲକ୍ଷ୍ମୀଙ୍କ ସହିତ ଭଗବାନ ବିଷ୍ଣୁଙ୍କ ପୂଜା କରିବା ଦ୍ୱାରା ଅକ୍ଷୟ ପୁଣ୍ୟ ପ୍ରାପ୍ତ ହୋଇଥାଏ।

Leave A Reply

Your email address will not be published.