ଏମିତି ଏକ ହାତୀ ଯିଏ ୬୫ ବୟସରେ ବି ଶିମିଳିପାଳକୁ ଦେଉଛି ସୁରକ୍ଷା, ନେଇଛି ସ୍ୱତନ୍ତ୍ର ତାଲିମ

କରଞ୍ଜିଆ: ଆଜି ବିଶ୍ୱ ପାଳନ କରୁଛି ବିଶ୍ୱ ହସ୍ତୀ ଦିବସ । ଏହି ଅବସରରେ ଜାଣିବା ଏମିତି ଏକ ହାତୀ ବିଷୟରେ ଯିଏକି ୬୫ ବୟସରେ ବି ଶିମିଳିପାଳକୁ ସୁରକ୍ଷା ଦେଉଛି । ମାଓବାଦୀ ଗୁଳି ଖାଇ ମଧ୍ୟ ଶିମିଳିପାଳକୁ ସୁରକ୍ଷା ଯୋଗାଇ ଅନ୍ୟମାନଙ୍କ ପାଇଁ ପାଲଟିଛି ଉଦାହରଣ ।

ଏସିଆର ଦିତୀୟ ଜୈବ ମଣ୍ଡଳ ହେଉଛି ଶିମିଳିପାଳ । ଶିମିଳିପାଳର ହିରୋ କହିଲେ ମହେନ୍ଦ୍ରକୁ ବୁଝାଏ । ମହେନ୍ଦ୍ର ହେଉଛି ବନ ବିଭାଗର ପୋଷା ହାତୀ । ମହେନ୍ଦ୍ରକୁ ୬୫ ବୟସ ଛୁଇଁ ଥିଲେବି ଏବେବି ଶିମିଳିପାଳକୁ ସୁରକ୍ଷା ଦେଉଛି । ଶିମିଳିପାଳ ରେ ହାତୀମାନଙ୍କ ପାଇଁ ସ୍ୱତନ୍ତ୍ର ତାଲିମ ପ୍ରାପ୍ତ ମାହନ୍ତ ମଧ୍ୟ ଅଛନ୍ତି । ଯେଉଁମାନେ କି ହାତୀର ଭଲମନ୍ଦ କଥା ବୁଝିଥାନ୍ତି । ଶିମିଳିପାଳ ଅଭୟାରଣ୍ୟ ଭିତରେ ଅନେକ ସ୍ଥାନ ରେ ଚଲାପଥ ନାହିଁ ଯାହା ଫଳରେ ହାତୀ ପିଠିରେ ବନବିଭାଗ କର୍ମଚାରୀ ବସି ବନ୍ୟଜନ୍ତୁ ଶିକାର ରୋକିବା ଏବଂ କାଠ ଚୋରି ରକିବା ପାଇଁ ନିୟୋଜିତ କରାଯାଉଛି ।

ଗତ ୨୦୦୯ ମସିହାରେ ମାର୍ଚ୍ଚ ୩୧ ତାରିଖ ରାତ୍ରିରେ ମାଓବାଦୀ ମାନେ ଶିମିଳିପାଳ ଅଭୟାରଣ୍ୟ ଭିତରେ ଥିବା ଗୁଡ଼ଗୁଡ଼ିଆ ଠାରେ ମହେନ୍ଦ୍ର ହାତୀ ଉପରକୁ ଗୁଳି ଚାଳନା କରିବା ସହିତ ତୀର ମାରିଥିଲେ । ଏଥିରେ ଗୁରୁତ୍ୱର ଆହତ ହେଇଥିବା ମହେନ୍ଦ୍ରକୁ ଯଶୀପୁରରେ ଆଣି ରଖାଯାଇଥିଲା । ଯଶିପୁର ଦୀର୍ଘ ୫ ଘଣ୍ଟା ଧରି ମହେନ୍ଦ୍ରକୁ ଅସ୍ତ୍ରପ୍ରଚାର କରାଯାଇ ସୁସ୍ଥ ହେଇଥିଲା । ହାତୀ ମହେନ୍ଦ୍ର ଏମିତି ତାଲିମ ପାଇଛି ଯେ, ବନ୍ୟଜନ୍ତୁ ଶିକାରୀ ବା କାଠ ଚୋରକୁ ଧରିବାରେ ଓସ୍ତାଦ୍ । ମହେନ୍ଦ୍ର ତା ଶୁଣ୍ଢରେ ଏମିତି ଢଙ୍ଗରେ ଧରିବ କାଠ ମାଫିଆକୁ ଖସିକି ଯାଇପାରିବେ ନାହିଁ । ଖାସ ସେଥିପାଇଁ ମାଓବାଦୀ ମାନେ ମହେନ୍ଦ୍ର ହାତୀକୁ ଆକ୍ରମଣ କରିଥିଲେ । ମହେନ୍ଦ୍ର ଓ ରାଜକୁମାର ବାହାର ରାଜ୍ୟରୁ ଗାଁ ଅଭିମୁଖେ ଆସୁଥିବା ହାତୀପଲକୁ ଘୋଡେଇବାରେ ବି ତାଲିମ ନେଇଛନ୍ତି ।

ଶିମିଳିପାଳ ହାତୀ ମହେନ୍ଦ୍ର ଓ ରାଜକୁମାର ହାତୀକୁ ସାତକୋଶିଆ ଅଭୟାରଣ୍ୟକୁ ୨୦୧୯ ଜାନୁଆରୀରେ ନିଆଯାଇଥିଲା । ସେଠାରେ ହାତୀ ପିଠିରେ ବସି ସୁନ୍ଦରୀ ବାଘ ଉପରେ ନଜର ରଖିବା ପାଇଁ ନିଆ ଯାଇଥିଲା । ୪ ବର୍ଷ ପରେ ପୁଣି ଶିମିଳିପାଳକୁ ଫେରିଛନ୍ତି ମହେନ୍ଦ୍ର ଓ ରାଜକୁମାର । ଶିମିଳିପାଳ ସୁରକ୍ଷା ଦେବା ପାଇଁ କର୍ଣ୍ଣାଟକରୁ ଅଣାଯାଇଥିଲା ତିନୋଟି ପୋଷା ହାତୀ ।

୨୦୦୧ ଡିସେମ୍ବର ମାସରେ କର୍ଣ୍ଣାଟକ ରାଜୀବ ଗାନ୍ଧୀ ଲଜାତୀୟ ଉଦ୍ୟାନ ହାମସୁରା ବନ୍ୟପ୍ରାଣୀ ଡିଭିଜନର ହସ୍ତୀ ପ୍ରକଳ୍ପ ଶିବିର ରୁ ତାଲିମ ପ୍ରାପ୍ତ ମଧ୍ୟରୁ ଗୋଟିଏ ଦନ୍ତା ହାତୀ ମହେନ୍ଦ୍ର ଏବଂ ଦୁଇଟି ମାଈ ହାତୀ ଭବାନୀ ଓ ଶୋଭା ଅଭୟାରଣ୍ୟ ସୁରକ୍ଷା ଦୃଷ୍ଟିରୁ ଅଣାଯାଇଥିଲା । ପରବର୍ତ୍ତୀ ସମୟରେ ମହେନ୍ଦ୍ର ଓ ଭବାନୀ ଔରସରୁ ଶିବାନୀ(ଝିଅ) ଓ ରାଜକୁମାର (ପୁଅ) ଜନ୍ମ ଗ୍ରହଣ କରିଥିଲେ । ପରବର୍ତ୍ତୀ ସମୟରେ ମହେନ୍ଦ୍ର ଓ ଭବାନୀ ଔରସରୁ ଜନ୍ମ ହେଇଥିଲା ଲଷ୍ମୀ ହାତୀ । ତାର ଦେହ ଖରାପ ଯୋଗୁ ମୃତ୍ୟୁ ହେଇଥିଲା ।

ଶିମିଳିପାଳ ଅଭୟାରଣ୍ୟର କୋର ଅଞ୍ଚଳ ଜେନାବିଲ ରେଞ୍ଜ କାର୍ଯ୍ୟାଳୟ ନିକଟରେ ଏବେ ୬ଟି ହାତୀ ଅଛନ୍ତି । ମହେନ୍ଦ୍ର (୬୫),ରାଜକୁମାର (୨୪) ଯସୋଦା( ୩୪) ,ଶିବାଣୀ (୧୮),ଭବାନୀ (୬୨),ବିବୁଲୁ (୧୦) ଅଛନ୍ତି । ହାତୀ ରହିବା ପାଇଁ ସ୍ୱତନ୍ତ୍ର ୮ ଟି ହାତୀ ଘର ନିର୍ମାଣ କରାଯାଇଛି । ୬ଟି ହାତୀ ପାଇଁ ଖାଦ୍ୟପେୟ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ବନ ବିଭାଗ ।

ସକାଳେ ମାଣ୍ଡିଆ ,କୋଲଥ ଅପରାହ୍ନରେ ଗହମ,ଗଜାଧାନ ,ନଡ଼ିଆ,ଗୂଡ଼ ଲୁଣ ,କୁଟା ପ୍ରଭୁତି ଏବଂ ରାତି ୯ ଟା ପରେ ଡାଳ ପତ୍ର ଦିଆ ହେଇଥାଏ । ସପ୍ତାହ କୁ ଦୁଇ ଥର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥାଏ । ହାତୀମାନକୁ ତାଲିମ ଦେବା ପାଇଁ କେରଳ ରୁ ଦୁଇଜଣ ବ୍ୟକ୍ତି ମଧ୍ୟ ଆସିଛନ୍ତି । ଭବାନୀ ଛାଡି ଦେଲେ ଅନ୍ୟ ୫ ଜଣ ହାତୀକୁ ଶିମିଳିପାଳ ଅଭୟାରଣ୍ୟ ରେ କାଠ ମାଫିଆ ଏବଂ ବନ୍ୟଜନ୍ତୁ ଶିକାରୀ ରୋକିବା ପାଇଁ ପେଟ୍ରୋଲିଂ କରିବାରେ ନିୟୋଜିତ କରାଯାଉଛି । ପୁଣି ଥରେ ଶିମିଳିପାଳ କୁ ମହେନ୍ଦ୍ର ଏବଂ ରାଜ କୁମାର ଫେରିଥିବାରୁ ଶିମିଳିପାଳ ଏବଂ ଓଡ଼ିଶାର ଗୌରବ ବୋଲି ସୂଚନା ଦେଇଛନ୍ତି ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.