ବେଗୁନିଆ: ରାସାୟନିକ ପଦ୍ଧତିରେ ଜମି ଫସଲରେ ରୋଗପୋକ ନିୟନ୍ତ୍ରଣ ହେତୁ ନଷ୍ଟ ହେଉଛି ପରିବେଶ ପୁଣି କ୍ଷତି ହେଉଛି ମୃତ୍ତିକା ବିଷାକ୍ତ ହେଉଛି ଫସଲ ଆଉ ଏହାର ପ୍ରଭାବ ପଡୁଛି ମନୁଷ୍ୟ ସ୍ୱାସ୍ଥ୍ୟ ଉପରେ । ତେବେ ଏହାର ବିକଳ୍ପ ସ୍ୱରୂପ ଏବେ ବଜାରକୁ ଆସିଲାଣି ଜୈବୀକ ସାର ଆଉ ଔଷଧ । ଧୀରେ ଧୀରେ ସରକାର କଲେଣି ସଚେତନ ଆଉ ଦେଲେଣି ପ୍ରୋତ୍ସାହନ । ତେଣୁ ଏହି ଜୈବିକ ସାର ପ୍ରସ୍ତୁତ କରି ଏବେ ବେଶ ଚର୍ଚ୍ଚାରେ ବେଗୁନିଆ ବ୍ଲକ ସିକୋ ଗାଁର ମହିଳା ଗୋଷ୍ଠୀ । ନିଜେ ସ୍ୱାବଲମ୍ବୀ ହେବା ସହିତ ସୃଷ୍ଟି କରିଛନ୍ତି ପରିଚୟ।
ଗାଈ ଗୋବର ଆଉ ଗାଈ ମୂତ୍ରରୁ ପୁଣି ବିଭିନ୍ନ ଗଛ ପତ୍ରରୁ ପ୍ରସ୍ତୁତ ହେଉଛି ଜୈବିକ ପଦ୍ଧତିରେ ସାର ଆଉ ଔଷଧ । ଆଉ ରାସାୟନିକ ସାର ଔଷଧ ନୁହେଁ ଏହି ଜୈବିକ ସାର ଔଷଧ ଦେଉଛି ବେଶ ଫଳପ୍ରଦ । ଏହାକୁ ପ୍ରସ୍ତୁତରେ ଲାଗି ପଡିଛନ୍ତି ବେଗୁନିଆ ବ୍ଲକ ସିକୋ ଗାଁର ଜୈବକ ଉତ୍ପାଦକ ଗୋଷ୍ଠୀର ମହିଳାମାନେ ।
ନିଜର ଘରକାମ ସାରି ଆଖପାଖ ଜଙ୍ଗଳରୁ ବିଭିନ୍ନ ଗଛର ପତ୍ର ଏବଂ ଗାଈ ଗୋବର, ମୂତ୍ର ସଂଗ୍ରହ କରି ସେଗୁଡିକୁ ବିଭିନ୍ନ ପ୍ରଣାଳୀରେ ପ୍ରୋସେସିଂ କରିଥାନ୍ତି । ଏଥିପାଇଁ ସେମାନଙ୍କୁ ୮ ରୁ ୧୦ ଦିନ ସମୟ ଲାଗୁଥିବା ବେଳେ ଏହା ପ୍ରସ୍ତୁତ ହୋଇଥାଏ । ଆଉ ପ୍ରସ୍ତୁତ ପରେ ଏହାକୁ ବଜାରକୁ ବିକ୍ରି କରି ଏବେ ଭଲ ଦୁଇ ପଇସା ରୋଜଗାର କରିପାରୁଛନ୍ତି ।
ବେଗୁନିଆ କୃଷି ବିଭାଗ ଆନୁକୂଲ୍ୟରେ ସିକୋ ଗାଁର ତିନି ଜଣ ମହିଳା କୃଷିମିତ୍ର ତାଲିମ ପାଇ ଦୁଇ ବର୍ଷ ତଳେ ଆରମ୍ଭ କରିଥିଲେ ଏହି ଜୈବିକ ସାର ଔଷଧ ପ୍ରସ୍ତୁତି । ଧୀରେ ଧୀରେ ଏହା ସଫଳ ହେବାରୁ ଚାଷୀଙ୍କ ଚାହିଦା ବଢ଼ିବାରେ ଲାଗିଲା ।
ଏହାକୁ ଦୃଷ୍ଟିରେ ରଖି ଗାଁରେ ମିଶନ ଶକ୍ତି ମହିଳା ମାନଙ୍କୁ ଏକାଠି କରି ଏବେ ଅଧିକ ପ୍ରସ୍ତୁତିରେ ଲାଗିପଡିଛନ୍ତି । ବିଭିନ୍ନ ମେଳା ମହୋତ୍ସବରେ ଷ୍ଟଲ ଖୋଲିବା ସହିତ ଏହି ଜୈବିକ ସାର ଔଷଧର ଚାହିଦା ବଢିବାରେ ଲାଗିଛି । ଗାଁର ୩୫ ଜଣ ମହିଳା ଏଥିରେ ସାମିଲ ହୋଇ ମାସକୁ ଏକଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି । ତେବେ ଏହା ପରିବେଶ ଉପରେ ବେଶ ସୁପ୍ରଭାବ ପକାଇବା ସହିତ ମୃତ୍ତିକା ସୁରକ୍ଷିତ ରହେ ଆଉ ସରକାର ମଧ୍ୟ ସଚେତନ କରୁଥିବା କଥା କହିଛନ୍ତି ବେଗୁନିଆ କୃଷି ଅଧିକାରୀ ।