ସୁନା ସଂସାର ଉଜାଡ଼ି ଦେଲା ଆତଙ୍କୀ, ଭୁଲ୍ କାହାର ?

କଶ୍ମୀର…ତତେ ଭାରତର ଭୂସ୍ୱର୍ଗ ବୋଲି କହିଥାଆନ୍ତି । ବରଫ ଚାଦରର ସୌନ୍ଦର୍ଯ୍ୟ କୋଉ ସ୍ବର୍ଗଠୁ କି କମ୍ ନୁହେଁ । ଜୀବନସାଥି ସହ ଦେଖିବାର ଅଭିଳାଷା ଅନେକ ଦମ୍ପତିଙ୍କର ଥାଏ । ଆଜି ତୁ ତାକୁ ପୋଛି ଦେଲୁ । ହାତରେ ନାଲି ଶଙ୍ଖା ଆଉ ମଥାରେ ଦାଉ ଦାଉ ଦିଶୁଥିବା ଏ ସିନ୍ଦୁର ତତେ ଧିକ୍କାର କରୁଛି । ବିଶାଳ ହିମାଳୟ କୁହାଯାଉଥିବା କଶ୍ମୀରକୁ ଅଭିଶାପ ଦେଉଛି । ନବବିବାହିତ ଦମ୍ପତି ମାନେ କଣ ସତରେ କେବେ ପୁଣି ତୋ ପାଖକୁ ଆସିବେ ତୋ ବରଫର ଗାଲିଚାରେ ଜୀବନକୁ ଉପଭୋଗ କରିବାକୁ? ତୁ କଣ ତୋ ପାଖକୁ ଟାଣି ପାରିବୁ ପର୍ଯ୍ୟଟକ ମାନଙ୍କୁ ? ଫେରାଇ ପାରିବୁ ସେ ସାଥି ମାନଙ୍କର ଜୀବନ୍ତ ଶରୀର ଯାହା ଆଜି ତୋର ସଫେଦ୍ ବରଫ ଚାଦର ଉପରେ ଶୋଇଛି ? ଆଜି ଏ ପ୍ରଶ୍ନ ଗୋଟିଏ ସ୍ତ୍ରୀ ପଚାରୁଛି ? ସତରେ କଶ୍ମୀର ତୁ କନ୍ଦେଇ ଦେଲୁ….

ସ୍ତ୍ରୀର ଚିତ୍କାରରେ ଶାନ୍ତ ଉପତ୍ୟକା ଆଜି ବିଚଳିତ ହୋଇପଡ଼ିଛି । ରକ୍ତରେ ଭିଜିଯାଇଛି ତୋଫା ବରଫର ଥଣ୍ଡା ଚାଦର । ଟିକିଏ ଦେଖନ୍ତୁ ଏ ଫଟୋଟିକୁ । ଏଇ କେଇ ଘଣ୍ଟା ତଳର ଏହି ପୋଷ୍ଟଟି ସମସ୍ତଙ୍କ ଛାତିରେ ଛୁରି ଭୁଷିଦେଉଛି । ଝିଅଟିର ନିରବତା ଅନେକ କିଛି କହୁଛି । ସାଥି ସହ ଖୁସି ସାଉଣ୍ଟୁ ସାଉଁଟୁ କେଇ ମିନିଟ୍ ରେ କଣ ଘଟିଗଲା କିଛି ବୁଝାପଡ଼ୁନି। କଶ୍ମୀରର ସଫେଦ୍ ଚାଦର ଉପରେ ସ୍ୱାମୀର ନିର୍ଜୀବ ଶରୀରକୁ ଦେଖି ସେ ନିର୍ବାକ୍ ହୋଇଯାଇଛି ସ୍ତ୍ରୀ। ବିବାହ ପରେ ଜୀବନକୁ ବଞ୍ଚିବା ଆରମ୍ଭ କରୁ କରୁ ସବୁକିଛି ଶେଷ ହୋଇଯାଇଛି। କଶ୍ମୀରର ପହଲଗାମ ଠାରେ ସୁନ୍ଦର ବାତାବରଣ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟର ଆନନ୍ଦ ନେଉଥିଲେ ନବଦମ୍ପତ୍ତି । ନିଜ ଆଗାମୀ ଜୀବନ ପାଇଁ କିଛି ସାଉଣ୍ଟୁଥିଲେ ସ୍ମୃତି । ଏହାରି ଭିତରେ ଦୁହେଁ ନୂଆ ସଂସାର ସଜାଡ଼ୁଥିବା ବେଳେ ଉଜାଡ଼ି ଦେଇ ଚାଲିଗଲେ ଆତଙ୍କୀ ।

ହଁ ଆଜ୍ଞା, ଏହି ଘଟଣା ଘଟିବାର ୨ ଦିନ ପୂର୍ବରୁ ହୋଇଥିଲା ନବଦମ୍ପତ୍ତିଙ୍କ ବାହାଘର । କେତେ ଆଶା କେତେ ସ୍ବପ୍ନ ନେଇ ହନିମୁନ ପାଇଁ ଆସିଥିଲେ କଶ୍ମୀରକୁ । ହେଲେ ହାତରୁ ମେହେନ୍ଦି ନ ଛାଡ଼ୁଣୁ ମଥାରୁ ସବୁଦିନ ପାଇଁ ଲିଭିଗଲା ସିନ୍ଦୁର । ଆତଙ୍କୀ ଆକ୍ରମଣରେ ସହିଦ୍ ହୋଇଗଲେ ଲେପ୍ଟନାଣ୍ଟ ବିନୟ ନରୱାଲ । କିନ୍ତୁ ସବୁଠୁ ବଡ଼ ଦୁଃଖର କଥା ହେଉଛି ପୁଅ ବାହାଘର ଖୁସିରେ ସାହି ପଡ଼ିଶାରେ ମିଠା ବାଣ୍ଟୁଥିଲା ମା ହେଲେ ଜାଣିନଥିଲେ ପୁଅ ଦୁନିଆରୁ ଚାଲିଗଲାଣି ବୋଲି। ସେପଟେ ନବବିବାହିତା ମହିଳା ଜଣକ କହିଛନ୍ତି, କେଉଁ ଧର୍ମର ବୋଲି ପଚାରିଥିଲେ ତା’ପରେ ସିଧା ତାଙ୍କ ସ୍ବାମୀଙ୍କ ମୁଣ୍ଡକୁ ଗୁଳି କରିଥିଲେ ଆତଙ୍କବାଦୀ ।

ଅନ୍ୟପକ୍ଷରେ ଆଉ ଏକ ନବଦମ୍ପତ୍ତିଙ୍କ ଦୁଃଖ ସାମ୍ନାକୁ ଆସିଛି । କାନପୁରର ବାସିନ୍ଦା ଶୁଭମ ଦ୍ୱିବେଦୀ ଘୋଡ଼ାରୁ ଓହ୍ଲାଇବା ସମୟରେ ତାଙ୍କୁ ସେହି ସମାନ ପ୍ରଶ୍ନ ପଚାରି ଗୁଳି କରିଥିଲେ। ଶୁଭମ ଦ୍ୱିବେଦୀ ୧୨ ଫେବୃଆରୀରେ ବିବାହ କରିଥିଲେ। ବାହାଘର ୨ ମାସ ପୂରି ନଥିବା ବେଳେ ସ୍ତ୍ରୀର ହାତ ଛାଡ଼ି ଆରପାରିକୁ ଚାଲିଯାଇଛନ୍ତି । ନିଜ ପରିବାର ସହିତ କାଶ୍ମୀରର ଉପତ୍ୟକା ପରିଦର୍ଶନ କରିବାକୁ ଯାଇଥିଲେ । କିନ୍ତୁ ଆତଙ୍କବାଦୀମାନେ ସ୍ତ୍ରୀ ସାମ୍ନାରେ ଶୁଭମଙ୍କୁ ହତ୍ୟା କରିଦେଲେ। ଶୁଭମ ତାଙ୍କ ବାପା ସଞ୍ଜୟ ଦ୍ୱିବେଦୀ କାନପୁରରେ ସିମେଣ୍ଟ ବ୍ୟବସାୟ କରନ୍ତି । ଶୁଭମ ବାପା ମା’ଙ୍କର ଗୋଟିଏ ବୋଲି ରୋଜଗାରିଆ ପୁଅ ଥିଲେ । ଶୁଭମଙ୍କୁ ହରାଇ ପୂରା ପରିବାର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ।

ତେବେ ଆତଙ୍କବାଦୀମାନେ ସୁଚିନ୍ତିତ ଯୋଜନା କରିଥିଲେ ଏବଂ ମିଲିଟାରୀ ପୋଷାକ ପିନ୍ଧି ବିପୁଳ ଅସ୍ତ୍ରଶସ୍ତ୍ର ଧରି ସେମାନେ ପର୍ଯ୍ୟଟକ ମାନଙ୍କ ଉପରେ ଆକ୍ରମଣ କରିଥିଲେ । ଖାଲି ସେତିକି ନୁହେଁ ପର୍ଯ୍ୟଟକଙ୍କୁ ଧାର୍ମିକ ବିଶ୍ବାସ ସମ୍ପର୍କିତ ସ୍ଲୋଗାନ କଲମା ବୋଲିବାକୁ କହିଥିଲେ । ଯେଉଁମାନେ ଏହା ବୋଲି ନଥିଲେ ସେମାନଙ୍କୁ ଆତଙ୍କୀମାନେ ଗୁଳି ମାରିଥିଲେ । ବିଶେଷ କରି ପୁରୁଷ ମାନଙ୍କୁ ଟାର୍ଗେଟ କରିଥିଲେ ।

ତେବେ ଦର୍ଶକ ବନ୍ଧୁ ଆପଣ କୁହନ୍ତୁ, ଏଠି ଭୁଲ୍ କାହାର ? ବ୍ୟସ୍ତବହୁଳ ଜୀବନରୁ ଟିକିଏ ସମୟ କାଢ଼ି ଜୀବନକୁ ଉପଭୋଗ କରିବାକୁ କଶ୍ମୀର ବୁଲିବାକୁ ଯାଇଥିବା ଏ ଲୋକମାନଙ୍କର ନା ଧର୍ମର ଦ୍ବାହି ଦେଇ ବିନା କାରଣରେ ନିରୀହ ଲୋକଙ୍କର ଜୀବନ ନେଉଥିବା ଏ ଆତଙ୍କୀଙ୍କର ? ଏସବୁରେ କଣ କେବେ ପୂର୍ଣ୍ଣଚ୍ଛେଦ ପଡ଼ିବନି ? କେତେ ଦିନ ଚାଲିଥିବ ଏ ନରସଂହାର ? ଚିନ୍ତାରେ ସରକାର ସ୍ତବ୍ଧ ସାରାଦେଶ ।

Also Read:କଶ୍ମୀରରେ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ, ୨୭ ପର୍ଯ୍ୟଟକଙ୍କ ମୃତ୍ୟୁ ଆଶଙ୍କା, ଜଣେ ଓଡ଼ିଆ ପର୍ଯ୍ୟଟକ ମୃତ