କଟକ ସହରରେ ବେଶ୍ ଜମିଛି ପଖାଳ ଖାଇବା ଆଉ ଖୁଆଇବାର ମାହୋଲ, ଚାରିଆଡ଼େ ପଖାଳ ଭାତର ମହକ

କଟକ: ଓଃ କି ବାସ୍ନା । ଧଳା ଚିକ ଚିକ୍ ଭାତ ସହିତ ଫେଣ୍ଟି ହୋଇ ଯାଇଛି ସୁଗନ୍ଧିତ ତୋରାଣି । ଦହି,ଲେମ୍ବୁ,ଆମ୍ବ କଶିଆ ଅଦା, ପୋଦିନା ପତ୍ର,କାକୁଡି,ପିଆଜ, କଞ୍ଚା ଲଙ୍କା ଆଦି କେତେ କଣ ପହଁରୁଛନ୍ତି ପଖାଳ କଂସା ଭିତରେ । ଭ୍ରୁସଙ୍ଗ ପତ୍ର, ପଞ୍ଚ ଫୁଟଣ ପଡ଼ି ବଘରା ଯାଇଛି ଏହି ପଖାଳ ଭାତ । କଥା ଏତିକିରେ ସରି ନାହିଁ । ପଖାଳ ସାଙ୍ଗକୁ ଲଗେଇ ଖାଇବାକୁ ପ୍ରସ୍ତୁତ ହୋଇ ଥିବା ଖାଦ୍ୟ ଶୈଳୀର ତାଲିକା ମଧ୍ୟ ବେଶ ଲମ୍ବା । ଶାଗ, ବଡ଼ି ଚୁରା, କଖାରୁ ଫୁଲ ବରା, ବିଲାତି ଚଟଣି, ବାଇଗଣ ଆଳୁ ଭର୍ତା, କଦଳୀ ଭଜା, ସଜନା ଛୁଇଁ ଭଜା, ମିକ୍ସ ଭଜା ଆଦି କେତେ କଣ ପ୍ରସ୍ତୁତ ହୋଇଛି ପଖାଳ ଦିବସ ପାଇଁ ।

କଟକ ସହରରେ ବେଶ୍ ଜମିଛି ପଖାଳ ଖାଇବା ଆଉ ଖୁଆଇବାର ମାହୋଲ । ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ କରାଯାଇଛି ବ୍ୟାପକ ଆୟୋଜନ । କାରଣ ଆଜି ପଖାଳ ଦିବସ । ମାର୍ଚ୍ଚ ୨୦ରେ ଅର୍ଥାତ ଆଜିର ଦିନରେ ପ୍ରତିବର୍ଷ ପାଳିତ ହୋଇଥାଏ ବିଶ୍ୱ ପଖାଳ ଦିବସ । ଚାରି ଆଡ଼େ ପଖାଳ ଭାତର ମହକ । ଏହି ଅବସରରେ ସାଂସ୍କୃତିକ ପ୍ରାଣକେନ୍ଦ୍ର ସହରରେ ଗଳି କନ୍ଦିରେ ବେଶ୍ ଉତ୍ସାହର ସହିତ ପାଳନ ହେଉଛି ପଖାଳ ଦିବସ । ବିଭିନ୍ନ ସଙ୍ଗଠନ ପାଖରୁ ସାମୁହିକ ପଖାଳ ଭୋଜନର ବ୍ୟବସ୍ଥା କରାଯାଇଛି ।

ପଖାଳ କଂସା ଚାରି ପଟେ ଘେରି ସୌନ୍ଦର୍ଯ୍ୟ ବୃଦ୍ଧି କରିଛନ୍ତି ବିଭିନ୍ନ ପ୍ରକାର ପାରମ୍ପରିକ ଖାଦ୍ୟ ଶୈଳୀ । ସୋସିଆଲ ମିଡିଆରେ ନିଜର ବେଶ୍ ଭଲ ଦବଦବା ଜାହିର କରିଛି ପଖାଳ ଭାତ । ଏହି ଅବସରରେ ପଖାଳ ପ୍ରେମୀ ଏହି ଖାଦ୍ୟ ଶୈଳୀକୁ ଜି.ଆଇ ଟ୍ୟାଗ ପ୍ରଦାନ କରାଯିବାକୁ ଦାବୀ କରିଛନ୍ତି । ସଞ୍ଜ ହେଉ କି ସକାଳ ଆମେ ଭଲ ପାଉ ପଖାଳ । ପ୍ରତିଟି ଓଡ଼ିଆର ମନ, ପ୍ରାଣ, ସ୍ପନ୍ଦନର ପ୍ରତୀକ ହେଉଛି ପଖାଳ । ଘରେ କିଛି ନ ଥାଉ, ଯଦି ପଖାଳ ଟିକେ ଅଛି ତେବେ ପେଟ ଚିନ୍ତା ଗଲା । ଓଡ଼ିଶା ଭଳି ଏକ କୃଷି ପ୍ରଧାନ ରାଜ୍ୟରେ ଶହ ଶହ ଧରି ନିଜର ଉପସ୍ଥିତି ଜାହିର କରି ଆସୁଛି ପଖାଳ ଭାତ ।

କିନ୍ତୁ ମଝିରେ କିଛି ଦଶନ୍ଧୀ ପାଇଁ ଏହି ପଖାଳ କଂସାର ସୀମା ଟିକେ ସଙ୍କୁଚିତ ହୋଇ ରହି ଯାଇଥିଲା ଗ୍ରାମାଞ୍ଚଳ ସୀମା ଭିତରେ । କାରଣ ପାଶ୍ଚାତ୍ୟ ସଂସ୍କୃତିକୁ ହନୁକରଣ କରିବାରେ ଲାଗି ପଡ଼ିଥିଲେ ଆମେ । କିନ୍ତୁ ଏବେ ଚିତ୍ର ବଦଳିଛି । ଆମେ ପୁଣି ବୁଝି ପାରିଛେ ଏହି ଖାଦ୍ୟ ଶୈଳୀର ମହତ୍ତ୍ଵ । ଚିକିତ୍ସା ବିଜ୍ଞାନରେ ମଧ୍ୟ ଏହି ଖାଦ୍ୟ ଶୈଳୀର ଶରୀର ପ୍ରତି ଅନେକ ଉପକାରିତା ଥିବା କଥା ଏବେ ସାମ୍ନାକୁ ଆସିଲାଣି । ସେ ପୁଣି ବାସି ପଖାଳ । ଶରୀରରେ କିଛି ନିର୍ଦିଷ୍ଟ ପୋଷକ ତତ୍ତ୍ଵର ଅଭାବକୁ ଦୂର କରି ପାରୁଛି ଏହି ବାସି ପଖାଳ । ସେଇଥିପାଇଁ ବୋଧେ କଟକିଆ ଏହାକୁ ନାଁ ଦେଇଛନ୍ତି “ଦେଶୀ ପାରାସିଟାମଲ୍” ।

ଯାହାକୁ ଖାଇ ଦେଲେ ପୁରା ଫିଟ ଲାଗେ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଏହି ଖାଦ୍ୟ ଶୈଳୀ ବେଶ୍ ଆଦୃତି ଲାଭ କରି ସାରିଲାଣି । କେବଳ ଚାଳ ଛପର ଘର ପିଣ୍ଡାରେ ନୁହେଁ, ତାରକା ହୋଟେଲରେ ମଧ୍ୟ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛି ଆମ ପଖାଳ ଭାତ । ଏହି ଖାଦ୍ୟଶୈଳୀର ଉତ୍ପତ୍ତି କେବେ ହେଲା ଆଉ କିଏ କଲା ସେ ନେଇ ସଠିକ୍ ସୂଚନା କାହାରି ପାଖରେ ନାହିଁ । ସମଗ୍ର ବିଶ୍ଵରେ ଆଜି ପଖାଳ ଏତେ ବାଟ ଅତିକ୍ରମ କରି ସାରିଛି ଯେ, ଏହାର ପ୍ରଚାର ପ୍ରସାର କରିବାର ଆଉ ଆବଶ୍ୟକତା ନାହିଁ ।

Also read: ମଣିଷ ପରି ଏଠି ଠାକୁର ବି ଖରାଦିନେ ଖାଆନ୍ତି ପଖାଳ, ଏହି ଭୋଗ ପାଇଁ ଲାଗିଥାଏ ଭକ୍ତଙ୍କର ଭିଡ