ଗିନିଜ୍ ବୁକ୍ରେ ସ୍ଥାନ ପାଇଥିବା ଦୁନିଆର ସବୁଠାରୁ ଉଚ୍ଚ ଏଟିଏମ୍, ଯାହା ସୌର ଏବଂ ପବନ ଶକ୍ତିରେ ଚାଲିଛି

କେନ୍ୟୁଜ୍: ଦୈନନ୍ଦିନ ଜୀବନରେ ଚଳିବା ପାଇଁ ଆମକୁ ପଇସାର ଆବଶ୍ୟକ ପଡ଼ିଥାଏ । ସେଥିପାଇଁ ଗାଁ ଠୁ ସହର ସବୁଆଡ଼େ ଏଟିଏମ୍ର ବ୍ୟବସ୍ଥା କରାଯାଇଛି । ଜନବସତି ଅଞ୍ଚଳରେ ଏଟିଏମ୍ ରହିବା ଏକ ସ୍ୱାଭାବିକ କଥା । କିନ୍ତୁ ଜନବସତି ଦୂରରେ ଏବଂ ଅପହଞ୍ଚ ଅଞ୍ଚଳରେ ଏହି ସେବା ଯୋଗାଇଦେବା ନିଶ୍ଚିତ କଷ୍ଟକର । ଆମେ ସେହିପରି ଏକ ଏଟିଏମ୍ ବିଷୟରେ କହିବାକୁ ଯାଉଛୁ, ଯାହା ଆପଣ କେବେ କଳ୍ପନା କରି ନ ଥିବେ ।
ଏହି ଏଟିଏମ୍କୁ ଦୁନିଆର ସବୁଠାରୁ ଉଚ୍ଚା ଏଟିଏମ୍ ବୋଲି କୁହାଯାଉଛି । ଏହା ଯେଉଁଠି ଅଛି, ସେଠାକୁ ସାଧାରଣରେ ଯିବା ଆସିବା କରିବା ମୁସ୍କିଲ । ଏହା ଏକ ପାହାଡ଼ରେ ପାଖାପାଖି ୧୫,୩୯୬ ଫୁଟ୍ ଉଚ୍ଚରେ ଅବସ୍ଥିତ । ଏହି ଅଞ୍ଚଳ ଘନ ବରଫରେ ପରିବ୍ୟାପ୍ତ ଏବଂ ଏଠାରେ ଅଧିକ ବେଗରେ ପବନ ବହେ । ସବୁଠାରୁ ବଡ଼ କଥା ହେଉଛି, ଏହି ଏଟିଏମ୍ ଗିନିଜ୍ ବୁକ୍ ଅଫ ଓ୍ଵାର୍ଲ୍ଡରେ ସ୍ଥାନ ପାଇଛି ।
କେଉଁଠି ଅଛି ଏହି ଏଟିଏମ୍:
ଏହି ଏଟିଏମ୍ ଆମ ପଡ଼ୋଶୀ ଦେଶ ପାକିସ୍ତାନରେ ରହିଛି । ଏହା ଚୀନ-ପାକିସ୍ତାନ ମଝିରେ ଗିଲଗିଟ୍ ବାଲ୍ଟିସ୍ତାନର ଉତ୍ତର ପ୍ରାନ୍ତରେ ଖଞ୍ଜରାବ ପାଖ ସୀମାରେ ରହିଛି । ଏହା ୧୫,୩୯୬ ଫୁଟ୍ ଉଚ୍ଚରେ ଅବସ୍ଥିତ, ଯାହା କେବଳ ବରଫରେ ଢାଙ୍କି ହୋଇଛି ।
କିଏ ଏବଂ କାହିଁକି ସ୍ଥାପନା କରିଛି ଏହି ଏଟିଏମ୍:
ପାକିସ୍ତାନର ଏକ ବ୍ୟାଙ୍କ ନ୍ୟାସ୍ନାଲ ବ୍ୟାଙ୍କ ଅଫ ପାକିସ୍ତାନ (ଏନ୍ବିପି) ଏହି ଏଟିଏମ୍କୁ ୨୦୧୬ ମସିହାରେ ତିଆରି କରିଥିଲା । ସୀମାରେ ମୃତୟନ ଥିବା ସୈନ୍ୟ ଏବଂ ସ୍ଥାନୀୟ ଲୋକଙ୍କ ସୁବିଧା ପାଇଁ ଏହାକୁ ସ୍ଥାପନ କରାଯାଇଥିଲା ।
ସୌର ଏବଂ ପବନ ଶକ୍ତିରେ ଚାଲିଛି ଏଟିଏମ୍ :
ଏହି ଅଞ୍ଚଳରେ ବିଜୁଳିର ବ୍ୟବସ୍ଥା ନ ଥିବାରୁ ଏଟିଏମ୍ ସୌରଶକ୍ତି ଏବଂ ପବନ ଶକ୍ତିରୁ ଚାଲିଛି । ସାଧାରଣ ଏଟିଏମ୍ ପରି ଏହା ମଧ୍ୟ କାର୍ଯ୍ୟ କରୁଛି । ଏହି ଏଟିଏମ୍ ଏକ ଦୁର୍ଗମ ଅଞ୍ଚଳରେ ଥିବାରୁ ସେଠାକୁ ଯାଉଥିବା ପର୍ଯ୍ୟଟକ ଏଥିରେ ଟଙ୍କା ଉଠାଇବା ଏକ ସମ୍ମାନ ବୋଲି ଭାବନ୍ତି ।
ଏହି ଏଟିଏମ୍ର ନିକଟ ବ୍ୟାଙ୍କ ୮୨ କିମି ଦୂର:
ଏଟିଏମ୍ର ସବୁଠାରୁ ନିକଟ ବ୍ୟାଙ୍କ ୮୨ କି.ମି. ଦୂରରେ ରହିଛି । ବ୍ୟାଙ୍କର କର୍ମଚାରୀ ଟଙ୍କା ଡିପୋଜିଟ୍ କରିବା ପାଇଁ ଆସିବା ବେଳେ ବହୁତ ଅସୁବିଧାରେ ସମ୍ମୁଖୀନ ହୁଅନ୍ତି । ଏମିତି ଅପହଞ୍ଚ ଅଞ୍ଚଳରେ ପହଞ୍ଚିବାକୁ ହେଲେ ତାଙ୍କୁ ଅତ୍ୟଧିକ ବେଗର ପବନ, ଝଡ଼, ଭୂ-ସ୍ଖଳନ ଏବଂ ବରଫାବୃତ ପାହାଡ଼କୁ ଅତିକ୍ରମ କରିବାକୁ ପଡ଼ିଥାଏ।