ଖୋଲାବଜାରରେ ପାକିସ୍ତାନ ବିକୁଛି ଏକେ-୪୭, ଏଫ୍ ୧୬ ଏବଂ ଆଟାମ ବମ୍, ବନ୍ଧୁକ ନୁହେଁ ‘ଗଧ’
କେନ୍ୟୁଜ୍ (ବ୍ୟୁରୋ): ପାକିସ୍ତାନର ଭାଙ୍ଗିଥିବା ଆର୍ଥିକ ମେରୁଦଣ୍ଡ ସୁଦ୍ଢ କରିବାକୁ ଲାଗିଛି ଗଧ ବେପାର। ଗତ କିଛି ବର୍ଷ ହେବ ପାକିସ୍ତାନରେ ଗଧଙ୍କ ସଂଖ୍ୟା ବଢିଥିବାରୁ ଏହା ପାକିସ୍ତାନ ପାଇଁ ବର୍ତ୍ତମାନ ଏକ ଲାଭଜନକ ବ୍ୟବସାୟ ପାଲଟିଛି। ତେଣୁ ଏଥିରୁ ନିଜର ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ପାକିସ୍ତାନର ବାଦିନ ଜିଲ୍ଲାରେ ଆରମ୍ଭ ହୋଇଛି ଅନ୍ତର୍ଜାତୀୟ ଗଧ ମେଳା। ଏହି ମେଳାର ଲକ୍ଷ୍ୟ ହେଉଛି ବହୁ ସଂଖ୍ୟାରେ ଗଧଙ୍କୁ ବିକ୍ରି କରି ଟଙ୍କା ରୋଜଗାର କରିବା। ପାକିସ୍ତାନରେ ଗଧଙ୍କ ଏହି ମେଳା ଲୋକଙ୍କ ଭିତରେ ଖୁବ୍ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି।
ଗଧଙ୍କ ଜନସଂଖ୍ୟା ନେଇ ପାକିସ୍ତାନ ସାରା ବିଶ୍ବରେ ତୃତୀୟ ବୃହତ ଦେଶର ମାନ୍ୟତା ପାଇଛି। ଏହି ମେଳାରେ କଳା,ଧଳା, ଲାଲ, ହଳଦିଆ ଓ ବାଦାମୀ ରଙ୍ଗର ଗଧଙ୍କୁ ଦେଖିବାକୁ ମିଳିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ମେଳାରେ ବିକ୍ରି ହେଉଥିବା ସମସ୍ତ ଗଧଙ୍କର ନାଁ ଭିନ୍ନ ରହିଛି । ଯେମିତିକି ଏକେ-୪୭, ଏଫ୍-୧୬, ଆଟମ ବମ୍, ରକେଟ୍ ଲଞ୍ଚର, ମାଧୁରୀ, ଶୀଲା, ଦିଲ୍ ପସନ୍ଦ, ଆଫ୍ରିଦି ଭଳି ନାଁ ରହିଛି।ଏହି ମେଳା ପ୍ରାୟ ୪ ଏକର ସ୍ଥାନରେ ଲଗାଯାଇଛି। ଯେଉଁଥିରେ ୨୦ ହଜାରରୁ ନେଇ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗଧ ବିକ୍ରି ହୋଇଥାଏ। ପୁର୍ବରୁ ପାକିସ୍ତାନରେ ଅର୍ଥାତ ୨୦୧୭ରେ ଗଧଙ୍କ ବିକାଶ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।