ପାକିସ୍ତାନରେ ଦେଇଥିଲେ ହିନ୍ଦୁସ୍ତାନ ଜିନ୍ଦାବାଦର ନାରା, ଶତ୍ରୁ ଦେଶର ଗଣମାଧ୍ୟମ ମଧ୍ୟ କଲା ସଲାମ୍ . . ପଢନ୍ତୁ ଅଭିନନ୍ଦନଙ୍କ ବୀରତ୍ବର କାହାଣୀ

ଶତ୍ରୁ ଦେଶରେ ବି ବୀରତ୍ବର ବାନା ଉଡାଇଛନ୍ତି ଭାରତୀୟ ବାୟୁ ସେନାର ୱିଙ୍ଗ କମାଣ୍ଡର୍ ‘ଅଭିନନ୍ଦନ ବର୍ଦ୍ଧମାନ ’ । ପାକିସ୍ତାନ ମାଟିରେ ଲଗାଇଛନ୍ତି ହିନ୍ଦୁସ୍ତାନ ଜିନ୍ଦାବାଦର ନାରା । ଆଉ ଅଭିନନ୍ଦନଙ୍କ ଏହି ସାହସ ଓ ସାମର୍ଥ୍ୟକୁ ପାକ୍ ଗଣମାଧ୍ୟମ ମଧ୍ୟ କରିଛି ସଲାମ୍ ।ଦେଶମାତୃକାର ସୁରକ୍ଷା ପ୍ରତି ସମର୍ପିତ ଏହି ସାହସୀ ଯବାନଙ୍କ କାହାଣୀ ପ୍ରକାଶ କରିଛି ପାକିସ୍ତାନ ପ୍ରମୁଖ ଖବର କାଗଜ ଡନ୍ ।
ନିଜ ଲଢୁଆ ବିମାନ ମିଗ ୨୧ରେ ପାକିସ୍ତାନର ଏଫ୍-୧୬ ବିମାନର ପିଛା କରି ଲାଇନ ଅଫ କଣ୍ଟ୍ରୋଲ ପାର କରିଯାଇଥିଲେ ଅଭିନନ୍ଦନ । ପ୍ରାୟ ୭ କିଲୋମିଟର ଯିବା ପରେ ପାକିସ୍ତାନ ଅଧିକୃତ କାଶ୍ମରୀର ଭିମ୍ବୋର ଜିଲ୍ଲାର ମଝି ଆକାଶରେ ତାଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହେଲା । ଦୁର୍ଘଟଣାରୁ ରକ୍ଷାପାଇବା ପାଇଁ ପାରାଚ୍ୟୁଟରେ ତଳକୁ ଓହ୍ଲାଇ ଥଲେ ଅଭିନନ୍ଦନ । ହେଲେ ସେ କେଉଁ ଅଞ୍ଚଳରେ ଓହ୍ଲାଇଛନ୍ତି ତାହା ତାଙ୍କୁ ଜଣା ନଥଲା ।
ତେବେ ପାରାଚ୍ୟୁଟରେ ଓହ୍ଲାଇବାମାତ୍ରେ ସ୍ଥାନୀୟ କିଛି ଯୁବକ ଅଭିନନ୍ଦନଙ୍କୁ ଘେରିଯାଇଥଲେ । ଅଭିନନ୍ଦନ ସାଙ୍ଗେ ସାଙ୍ଗେ ନିଜ ପାଖରେ ଥିବା ପିସ୍ତଲ ବାହାର କରି ଯୁବକ ମାନଙ୍କୁ ପଚାରିଥିଲେ , ଏହା ହିନ୍ଦୁସ୍ତାନ ନା ପାକିସ୍ତାନ ? ଆଉ ପ୍ରତି ଉତ୍ତରରେ ସ୍ଥାନୀୟ ଯୁବକଙ୍କ ମଧ୍ୟରୁ ଜଣେ ଚାଲାକର ସହ କହିଥିଲା ଏହା ଭାରତ । ଏହା ଶୁଣି ଅଭିନନ୍ଦନ ‘ଭାରତ ମାତା କି ଜୟ‘ର ନାରା ଦେଇ କହିଥିଲେ ମୋ ପିଠି ପାଖ ହାଡ ଭାଙ୍ଗି ଯାଇଛି ମେତେ କିଛି ପାଣି ଦରକାର । ଯେଉଁଥିରେ ଉପସ୍ଥିତ ଯୁବକମାନେ ରାଗି ପାକିସ୍ତାନ ଜିନ୍ଦାବାଦର ନାରା ଦେଇଥିଲେ । ଏହା ଦେଖି ଅଭିନନ୍ଦନ ବୁଝିଯାଇଥିଲେ ଯେ ଏହା ପାକିସ୍ତାନର ବର୍ଡର । ସାଙ୍ଗେ ସାଙ୍ଗେ ନିଜ ପିସ୍ତଲରୁ ଫାଙ୍କା ଗୁଳି ଚାଳନା କରି ଯୁବକ ମାନଙ୍କ ମନରେ ଡର ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ ।
କାରଣ ଅଭିନନ୍ଦନ ଚାହୁଁଥଲେ ଉପସ୍ଥିତ ସ୍ଥାନୀୟ ଯୁବକ ମାନଙ୍କୁ କିଛି ଆଘାତ ନଦେଇ ସେଠାରୁ କେମିତି ଖସିହେବ । ଏହା ଦେଖି ଯୁବକ ମାନେ ଟେକା ପଥରରେ ଅଭିନନ୍ଦନଙ୍କୁ ଆକ୍ରମଣ କରିବାକୁ ଲାଗିଲେ । ଆକ୍ରମଣରୁ ରକ୍ଷା ପାଇବା ପାଇଁ ଅଭିନନ୍ଦନ ପାୟ ଅଧା କିଲୋମିଟର ପଛୁଆ ପଛୁଆ ଯାଇ ପୁନର୍ବାର ଫାଙ୍କା ଗୁଳିଚାଳନା କରିଥିଲେ । ଏହା ପରେ ନିକଟରେ ଥିବା ଏକ ଛୋଟ ପୋଖରୀକୁ ଡେଇଁ ପଡିଥିଲେ ଓ ସାଙ୍ଗେ ସାଙ୍ଗେ ପକେଟରୁ ସବୁ ଗୁରୁତ୍ବପୂର୍ଣ୍ଣ କାଗଜକୁ ପାଣିରେ ଭିଜେଇଦେଲେ । କାରଣ ଅଭିନନ୍ଦନ ଜାଣିଥଲେ ଯଦି ଏହିଠାରେ ତାଙ୍କର ମୃତ୍ୟୁ ହୋଇଯାଏ ତେବେ ଶତ୍ରୁ ଦେଶର ଲୋକଙ୍କ ହାତରେ ଏହି ଗୁରୁତ୍ବପୂର୍ଣ୍ଣ କାଗଜ ହାତରେ ଲାଗିଯିବ ଆଉ ମିଶନ ବିଷୟରେ ଜାଣିଗଲେ ଭାରତ ଉପରେ ଆକ୍ରମଣ ପାଇଁ ସହଜ ହେବ ।
ତେବେ ଅଭିନନ୍ଦନ ପିସ୍ତଲ ନଫିଙ୍ଗିବାରୁ ଜଣେ ଯୁବକ ଉତ୍ତ୍ୟକ୍ତ ହୋଇ ଅଭିନନ୍ଦନଙ୍କ ଗୋଡକୁ ମାରିଥିଲେ । ଗଭୀର ଆଘାତରେ ଯନ୍ତ୍ରଣା ପାଇବା ପରେ ମଧ୍ୟ ଅଭିନନ୍ଦନଙ୍କ ସାହାସ ନକମିବାର ଦେଖି ଯୁବକ ମାନେ ତାଙ୍କୁ ମାରପିଟ କରିବାର ଲାଗିଲେ । ଏହି ସମୟରେ ପାକିସ୍ତାନର ସେନାର କିଛି ଯବାନ ସେଠାରେ ପହଞ୍ଚି ଅଭିନନ୍ଦନଙ୍କୁ କାବୁ କରିନେଇ ଯୁବକ ମାନଙ୍କ ଆକ୍ରମଣରୁ ରକ୍ଷା କରିଥିଲେ । ପ୍ରତ୍ୟକ୍ଷଦର୍ଶୀ ମହମ୍ମଦ ରଜ୍ଜାକଙ୍କ କହିବା କଥା ଥଲା ଠିକ ସମୟରେ ପାକିସ୍ତାନ ସେନା ପହଞ୍ଚିନଥିଲେ ହୁଏତ ଭାରତୀୟ ବାୟୂସେନାର ପାଇଲଟ ଅଭିନନ୍ଦନଙ୍କ ଜୀବନ ବଂଚାଇବା କଷ୍ଟକର ହୋଇପଡିଥାନ୍ତା । ଘଟଣାଟି ନିଜ ଘରଠାରୁ ପ୍ରାୟ ଏକ କିଲୋ ମିଟର ଦୂରତା ମଧ୍ୟରେ ଘଟିଥବାର ଗଣମାଧ୍ୟମକୁ କହିଥିଲେ ମହମ୍ମଦ ରଜ୍ଜାକଙ୍କ । ଘଟଣା ସମ୍ପର୍କରେ ପ୍ରଥମେ ମହମ୍ମଦ ରଜ୍ଜାକ ପାକିସ୍ତାନର ଏକ ପ୍ରମୁଖ ଗଣମାଧ୍ୟମ ‘ଡନ‘କୁ ସୂଚନା ଦେଇଥିଲେ ।
ଏହି ଖବର ପାକିସ୍ତାନର ପ୍ରମୁଖ ଖବରକାଗଜରେ ପ୍ରକାଶିତ ହେବା ପରେ ଭାରତୀୟ ଯବାନଙ୍କ ସାହସ, ଧର୍ଯ୍ୟ ,ଦେଶଭକ୍ତି ଏବଂ ବୀରତ୍ବ ପରାକାଷ୍ଠାକୁ ନେଇ ପ୍ରତିଟି ଭାରତୀୟ ଏବେ ଗର୍ବରେ ଛାତି ଫୁଲାଇ ବୀର ଯବାନଙ୍କ ସଂଘର୍ଷକୁ କରୁଛି ସାଲ୍ୟୁଟ ।