ଯୁଦ୍ଧକୁ ନେଇ ଛାନିଆ ପାକିସ୍ତାନ, ଭୟରେ ସେନା ଚାକିରି ଛାଡ଼ୁଛନ୍ତି ପାକିସ୍ତାନୀ ସୈନ୍ୟ

ଭୟରେ ଥର ହର ହେଲାଣି ପାକିସ୍ତାନ । ପାକ୍ ସେନାରେ ଖେଳି ଯାଇଛି ଆତଙ୍କର ବାତାବରଣ । ଯୁଦ୍ଧକୁ ନେଇ ଛାନିଆ । ଭୟରେ ସେନା ଚାକିରି ଛାଡ଼ୁଛନ୍ତି ପାକିସ୍ତାନୀ ସୈନ୍ୟ । ଜମ୍ମୁ କାଶ୍ମୀର ପହଲଗାମ ବୈସରନ ଭ୍ୟାଲିରେ ଆକ୍ରମଣ ଘଟଣା ପରେ ପ୍ରତିଶୋଧ ପାଇଁ ତୟାର ହେଉଛି ଭାରତ । ଆଉ ଭାରତର ଆଭିମୁଖ୍ୟକୁ ଦେଖି ଭୟରେ ପାକିସ୍ତାନରେ ସାମରିକ ଅଧିକାରୀ ଏବଂ ସୈନିକଙ୍କ ଇସ୍ତଫା ଦେଇ ଚାଲିଥିବା ସୂଚନା ଆସୁଛି । ପାକିସ୍ତାନରେ ପ୍ରାୟ ୨୫୦ ଅଫିସର ଏବଂ ୨ ହଜାରରୁ ଅଧିକ ସୈନିକ ଇସ୍ତଫା ଦେଇଥିବା ଜଣାପଡ଼ିଛି । ଏହି ଘଟଣା ଭାରତ ବିରୋଧରେ ଯୁଦ୍ଧ ପାଇଁ ତୟାର ବୋଲି ବାହସ୍ଫୋଟ ମାରୁଥିବା ପାକିସ୍ତାନକୁ ବଡ଼ ଝଟକା ଦେଇଛି ।

ଏପଟେ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ମୁନିର ଆତଙ୍କୀ ସଂଗଠନ ମାଧ୍ୟମରେ ପହଲଗାମରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଭାରତ-ପାକିସ୍ତାନ ସୀମା ସୁରକ୍ଷା ଦାୟିତ୍ୱରେ ଥିବା ୧୧ତମ କର୍ପସର ଶୀର୍ଷ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଉମର ଅହମ୍ମଦ ବୁଖାରୀ ଏ ସମ୍ପର୍କରେ ସେନା ମୁଖ୍ୟାଳୟକୁ କର୍ମଚାରୀ ଓ ଅଧିକାରୀଙ୍କ ଇସ୍ତଫା ବିଷୟରେ ସୂଚନା ଦେଇଛନ୍ତି । ସେନାରେ ମୋର୍ଚ୍ଚା ପରିଚାଳନା କରିବା ପାଇଁ ଅଧିକାରୀଙ୍କ ଅଭାବ ରହିଥିବା ସେ ଜଣାଇଛନ୍ତି ।

ଅନ୍ୟପଟେ ପାକିସ୍ତାନୀ ନେତାମାନେ ଭାରତର କସରତ ଦେଖି ଭୟରେ ନିଜ ପରିବାରକୁ ଦେଶ ବାହାରକୁ ପଠାଉଛନ୍ତି । ଏହି ସମୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ନିଜର ଲଜ୍ଜାଜନକ କାର୍ଯ୍ୟକଳାପକୁ ଲୁଚାଇବାକୁ ଯାଇ ଚୀନ ସହିତ ହାତ ମିଶାଇଛନ୍ତି । ପହଲଗାମର ଆକ୍ରମଣ ପରେ ଅନେକ ବରିଷ୍ଠ ଅଧିକାରୀ ସେମାନଙ୍କ ପରିବାରକୁ ବାହାରକୁ ପଠାଇ ଦେଇଥିବାର ସୂଚନା ମିଳୁଛି । ବର୍ତ୍ତମାନ ପାକ୍ ସେନାଙ୍କୁ ସମର୍ଥନ କରିବାକୁ କହିଲେ ମଧ୍ୟ ଜନସାଧାରଣଙ୍କଠାରୁ ସେତିକି ସମର୍ଥନ ମିଳି ପାରୁ ନାହିଁ ।

ପହଲଗାମ ଆତଙ୍କୀ ହମଲାକୁ ନେଇ ସମଗ୍ର ବିଶ୍ବରେ ଥିବା ଭାରତୀୟମାନେ ତୀବ୍ର ନିନ୍ଦା କରୁଛନ୍ତି । ପାକିସ୍ତାନ ବିରୋଧୀ ପ୍ରତିବାଦ, ବିକ୍ଷୋଭ ଥମୁ ନାହିଁ । ପ୍ରତିଶୋଧ ନିଆଁରେ ଜଳୁଛନ୍ତି ଦେଶବାସୀ । ଯେକୌଣସି ମୁହୂର୍ତ୍ତରେ ଭାରତ ଆକ୍ରମଣ କରିପାରେ । ଏହି ଭୟ ଘାରିଛି ପାକିସ୍ତାନକୁ । ଏପରିକି ୨-୪ ଦିନ ଭିତରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇପାରେ ବୋଲି ନିଜେ କହିଛନ୍ତି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ମହମ୍ମଦ ଆସିଫ । ସେ କହିଛନ୍ତି, ପାକିସ୍ତାନ ଅସ୍ତିତ୍ୱ ହଜାଇ ଦେବାକୁ ଭାରତ ଚାହୁଁଛି । ତେବେ ଭାରତ ଆକ୍ରମଣ କଲେ ପାକିସ୍ତାନୀ ସେନା ଏହାର ଜୋରଦାର ଜବାବ ଦେବ। ଏଥିପାଇଁ ପାକିସ୍ତାନୀ ସେନାକୁ ପ୍ରସ୍ତୁତ କରି ରଖାଯାଇଛି । ଦରକାର ହେଲେ ପାକିସ୍ତାନ ପରମାଣୁ ହମଲା କରି ଭାରତ ଆକ୍ରମଣର ଜବାବ ଦେବ ବୋଲି ଆସିଫ କହିଛନ୍ତି । ଏପଟେ ପାକିସ୍ତାନ ସୈନ୍ୟ ଯୁଦ୍ଧ ଭୟରେ ସେନା ଛାଡ଼ୁଛନ୍ତି ।

ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ ଭାରତ ସିଧାସଳଖ ପାକିସ୍ତାନକୁ ଦାୟୀ କରିଛି । ସୀମାପାର ଆତଙ୍କବାଦକୁ ପ୍ରୋତ୍ସାହନ ଦେଇ ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ପାକିସ୍ତାନ ଉଦ୍ୟମ କରୁଛି ବୋଲି ଭାରତ ଅଭିଯୋଗ କରି ଆସୁଛି । ଯାହା ବିଶ୍ବ ଦରବାରରେ ପ୍ରମାଣିତ ମଧ୍ୟ ହୋଇଛି । ପହଲଗାମ ଆତଙ୍କୀ ଆକ୍ରମଣକୁ ସାରା ବିଶ୍ୱରୁ ନିନ୍ଦା କରାଯାଇଛି । ପାକିସ୍ତାନ ଆତଙ୍କୀଙ୍କୁ କେବଳ ପ୍ରୋତ୍ସାହନ ଦେଉ ନାହିଁ ତାଙ୍କୁ ପାଳୁଥିବା କଥା ସାରା ବିଶ୍ବ ଜାଣିଛି । ଏମିତିକି ପାକିସ୍ତାନ ନିଜ ମୁହଁରେ ମଧ୍ୟ ଏକଥା ମାନିଛି । ଏବେ ପହଲଗାମ ନରସଂହାର ପରେ ଭାରତ ସରକାର ପାକିସ୍ତାନ ବିରୋଧରେ କୂଟନୈତିକ କାର୍ଯ୍ୟାନୁଷ୍ଠାନ ନେଇ ସାରିଥିବା ବେଳେ ଖୁବ୍ ଶୀଘ୍ର ମିଲିଟାରୀ ଆକ୍ସନ ନେବେ ବୋଲି ଜଣାପଡିଛି ।

Also Read:୨-୪ ଦିନରେ ଭାରତ-ପାକ୍ ଯୁଦ୍ଧ ! ଆକ୍ରମଣ ଚିନ୍ତାରେ ବିଚଳିତ ପାକିସ୍ତାନ