ଧନୀଙ୍କ କଳା ସାମ୍ରାଜ୍ୟର ଗୁମର ଖୋଲିଦେଲା ‘ପାଣ୍ଡୋରା ପେପର୍ସ’; ରହିଛି ସଚିନ୍‌ ତେନ୍ଦୁଲକର, ଅନୀଲ ଅମ୍ବାନୀଙ୍କ ନାଁ

ସାମ୍ନାକୁ ଆସିଛି ଗୁପ୍ତ ସମ୍ପତ୍ତି ରଖିଥିବା ବିଶ୍ୱର ଅନେକ ଚର୍ଚ୍ଚିତ ବ୍ୟକ୍ତିତ୍ୱଙ୍କ ନାଁ। ବେଆଇନ୍‌ ଉପାୟରେ ନିବେଶ ଭଳି କାର୍ଯ୍ୟରେ ଲିପ୍ତ ଥିବା ଦୁନିଆର ବଡ଼ ବଡ଼ ବ୍ୟବସାୟୀ, ଧନୀ, କ୍ରିକେଟର ତଥା ସେଲିବ୍ରିଟିଙ୍କ ଗୁମର ଖୋଲିଛି। ଫଳରେ ସେମାନଙ୍କ ପାଇଁ ଏବେ ଅଡ଼ୁଆ ବଢ଼ିଛି। ‘ପାଣ୍ଡୋରା ପେପର୍ସ’ ନାମରେ ପ୍ରକାଶିତ ଏହି ରିପୋର୍ଟରେ ଶତାଧିକ ଭାରତୀୟଙ୍କ ନାଁ ବି ରହିଛି। ଭାରତର ନାମୀଦାମୀ ୩୦୦ ବ୍ୟକ୍ତି ବିଶେଷଙ୍କ ନାଁ ପାଣ୍ଡୋରା ରିପୋର୍ଟରେ ସାମ୍ନାକୁ ଆସିଛି। ଯାହା ଏବେ ସେମାନଙ୍କ ପାଇଁ ବିପଦ ସୃଷ୍ଟି କରିବା ଭଳି ପରିସ୍ଥିତି ଉପୁଜାଇଛି।

ଏହି ରିପୋର୍ଟରେ ଭାରତର ଅନ୍ୟତମ ଧନୀ ବ୍ୟକ୍ତି ଅନୀଲ ଅମ୍ବାନୀ, ବାୟୋକନ୍‌ର ମୁଖ୍ୟ କିରଣ ମଜୁମଦାର ସ’ଙ୍କ ସ୍ୱାମୀ, ପଳାତକ ହୀରା ବ୍ୟବସାୟୀ ନିରବ ମୋଦୀଙ୍କ ଭଉଣୀ, ପାକ୍‌ର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ସମ୍ପର୍କୀୟ, ବ୍ରିଟେନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର, ଜୋର୍ଡାନ୍‌ର ରାଜା, ୟୁକ୍ରେନ୍‌- କେନିଆର ରାଷ୍ଟ୍ରପତି, ଚେକ୍‌ ଗଣରାଜ୍ୟର ପ୍ରଧାନମନ୍ତ୍ରୀ ପ୍ରମୁଖଙ୍କ ଗୁପ୍ତ ସମ୍ପତ୍ତି ସମ୍ପର୍କରେ ସୂଚନା ରହିଛି।

ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ବ୍ରିଟେନ୍‌ କୋର୍ଟରେ ଦେବାଳିଆ ଘୋଷିତ ହୋଇଥିବା ଅନୀଲ ଅମ୍ବାନୀଙ୍କର ବିଦେଶରେ ୧୮ଟି ସମ୍ପତ୍ତି ରହିଛି ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି। ଏତେ ସମ୍ପତ୍ତି ଥାଇ ମଧ୍ୟ ସେ କାଗଜପତ୍ରକୁ ସମସ୍ତଙ୍କ ଠାରୁ ଲୁକ୍କାୟିତ ରଖି ବିଦେଶ କୋର୍ଟରେ ନିଜକୁ ଦୋବାଳିଆ ଘୋଷିତ କରିଥିଲେ। ଅନୀଲ ଅମ୍ବାନୀଙ୍କର ଏହି ଗୁମର ଖୋଲି ଦେଇଛି ‘ପାଣ୍ଡୋରା ପେପର୍ସ’।

ଏଣୁ ପାନାମା ପେପର୍ସ ଭଳି ‘ପାଣ୍ଡୋରା ପେପର୍ସ’ ମଧ୍ୟ ବିଶ୍ୱରେ ହଇଚଇ ସୃଷ୍ଟି କରିବ ବୋଲି କୁହାଯାଉଛି। ୨୦୧୬ରେ ପାନାମା ପେପର୍ସ ଜାରି କରିଥିବା ସଂସ୍ଥା ‘ତଦନ୍ତକାରୀ ସାମ୍ବାଦିକଙ୍କ ଆନ୍ତର୍ଜାତିକ କନସୋର୍ଟିୟମ୍‌’(ICIJ) ପକ୍ଷରୁ ରବିବାର ପାଣ୍ଡୋରା ପେପର୍ସ ଜାରି କରାଯାଇଛି। ଏହି ତଦନ୍ତ ପାଇଁ ବିଶ୍ୱର ୧୨ କୋଟିରୁ ଊର୍ଦ୍ଧ୍ୱ ଦସ୍ତାବିଜ୍‌କୁ ଯାଞ୍ଚ କରାଯାଇଥିଲା। ୧୧୭ଟି ଦେଶର ୬୦୦ ଜଣ ସାମ୍ବାଦିକ ଏହି ତଦନ୍ତ କରିଥିଲେ ବୋଲି ଆଇସିଆଜେ ପକ୍ଷରୁ କୁହାଯାଇଛି। ତେବେ ଆର୍ଥିକ କ୍ଷେତ୍ରରେ ‘ପାଣ୍ଡୋରା ପେପର୍ସ’ ସବୁଠୁ ବଡ଼ ପର୍ଦ୍ଦାଫାସ ବୋଲି ସଂସ୍ଥା ପକ୍ଷରୁ ଦାବି କରାଯାଇଛି।

ଅନ୍ୟପଟେ ଏହି ପେପର୍ସରେ ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକରଙ୍କ ବିଷୟରେ ମଧ୍ୟ କିଛି ସୂଚନା ରହିଛି। ପାନାମା ଲିକ୍‌ ପରେ ସଚିନ୍‌ ତାଙ୍କ ବିଦେଶୀ ସଂସ୍ଥାକୁ ବନ୍ଦ କରିଥିଲେ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ସେହିପରି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୪ ହଜାର କୋଟି ଠକେଇ କରିଥିବା ନିରବ ମୋଦି ବିଦେଶ ପଳାଇବା ପୂର୍ବରୁ ତାଙ୍କ ଭଉଣୀ ଏକ ଟ୍ରଷ୍ଟ କରିଥିଲେ ବୋଲି ମଧ୍ୟ ଏଥିରେ ଉଲ୍ଲେଖ ରହିଛି।

ନିଜ ସମ୍ପତ୍ତିକୁ ଗୁପ୍ତ ରଖିବା ଉଦ୍ଦେଶ୍ୟରେ ସମସ୍ତ ବଡ଼ ବଡ଼ ଧନ ବ୍ୟକ୍ତି ସରକାରୀ ବ୍ୟବସ୍ଥାରେ ଥିବା ଦୁର୍ବଳତାର ଫାଇଦା ଉଠାଇଛନ୍ତି ବୋଲି ‘ପାଣ୍ଡୋରା ପେପର୍ସ’ରେ କୁହାଯାଇଛି। ଏହି ତଥ୍ୟକୁ ଯଦି ସବୁ ଦେଶର ସରକାର ଗୁରୁତ୍ୱର ସହ ନେବେ ତେବେ ଆହୁରି ଅନେକ ବଡ଼ ବଡ଼ ରଥୀ ମହାରଥୀଙ୍କ ଗୁମର ଖୋଲିବ ଏଥିରେ କୌଣସି ସନ୍ଦେହ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.