ପାପମୋଚନ ଏକାଦଶୀ: ପୂଜା କରିବାର ସମୟ, ବିଧି ଓ ପାରଣ ସମୟ ଜାଣନ୍ତୁ

ପାପମୋଚନ ଏକଦଶୀରେ ସମସ୍ତ ପାପ ଦୂର ହୁଏ ବୋଲି କୁହାଯାଏ । ଏକାଦଶୀ ବ୍ରତରେ ଭଗବାନଙ୍କୁ ୧୧ଟି ହଳଦିଆ ଫୁଲ, ଫଳ ଏବଂ ମିଠା, ହଳଦିଆ ବସ୍ତ୍ର, ହଳଦିଆ ଚନ୍ଦନ ଇତ୍ୟାଦି ଅର୍ପଣ କରନ୍ତୁ ।

ପାପମୋଚନ ଏକଦଶୀରେ ସମସ୍ତ ପାପ ଦୂର ହୁଏ ବୋଲି କୁହାଯାଏ । ପୁରାଣ ଅନୁସାରେ ପାପମୋଚନ ଏକାଦଶୀରେ ବ୍ରତ ରଖିବା ବହୁତ ଫଳଦାୟୀ ହୋଇଥାଏ । ପାପମୋଚନ ଏକାଶୀରେ ବ୍ରତ କରିବା ଦ୍ୱାରା ବିଷ୍ଣୁଙ୍କ କୃପା ମିଳିଥାଏ । ଆଉ ଯଦି ଆପଣଙ୍କ ଚନ୍ଦ୍ରମା ଖରାପ ରହିଥାଏ, ତେବେ ବ୍ରତ କରି ଏହାର ପ୍ରଭାବକୁ ରୋକାଯାଏ ।

ଧାର୍ମିକ ଶାସ୍ତ୍ରରେ ଏକାଦଶୀ ବ୍ରତର ବିଶେଷ ମହତ୍ତ୍ୱ ରହିଛି। ଏକାଦଶୀରେ ନିୟମିତ ଭାବେ ବ୍ରତ ରଖିବା ଦ୍ୱାରା ସମସ୍ତ ସମସ୍ୟା ଦୂର ହୋଇଥାଏ । ବର୍ଷରେ ସମୁଦାୟ ୨୪ଟି ଏକାଦଶୀ ପଡିଥାଏ। ଚୈତ୍ରମାସ କୃଷ୍ଣପକ୍ଷ ଏକାଦଶୀକୁ ପାପମୋଚନ ଏକାଦଶୀ କୁହାଯାଇଥାଏ। ମାନ୍ୟତା ରହଛି ଯେଉଁ ବ୍ୟକ୍ତି ଆଜିର ଦିନରେ ଭକ୍ତି ଭାବର ସହ ଉପବାସ ରଖିଥାନ୍ତି ସେମାନଙ୍କର ସମସ୍ତ ପାପ ନାଶ ହୋଇଯାଏ। ଚଳିତ ବର୍ଷ ଏହି ଏକାଦଶୀ ଆଜି ପାଳନ କରାଯାଉଛି। ଏହି ଏକାଦଶୀ ଦିନ ଉପବାସ କରିବା ଦ୍ୱାରା ମନୁଷ୍ୟ ପାଇଁ ମୋକ୍ଷ ଦ୍ୱାରା ଖୋଲିଯାଇଥାଏ। ଏହି ଏକାଦଶୀ ବ୍ରତ ସନ୍ତାନ ପ୍ରାପ୍ତି ଏବଂ ପ୍ରାୟଶ୍ଚିତ କରିବା ପାଇଁ ରଖାଯାଏ ।

ଏକାଦଶୀ ସମୟ :

ଏକାଦଶୀ ତିଥି ୧୭ ମାର୍ଚ୍ଚ ଦିନ ୨ଟାରୁ ଆରମ୍ଭ ହୋଇ ୧୮ ମାର୍ଚ୍ଚ ଶନିବାର ସକାଳ ୧୧ଟା ୧୩ ମିନିଟ୍‌ ପର୍ଯ୍ୟନ୍ତ ରହିଛି । ତେବେ ବ୍ରତ ପାରଣ କରିବାର ସମୟ ମାର୍ଚ୍ଚ ୧୯ ରବିବାର ସକାଳ ୬ଟା ୨୬ ମିନିଟ ଠାରୁ ୮ଟା ୦୭ ମିନିଟ୍‌ ପର୍ଯ୍ୟନ୍ତ ରହିଛି ।
ଧାର୍ମିକ ମାନ୍ୟତା ଅନୁଯାୟୀ ଏହି ଏକାଦଶୀର ମହତ୍ତ୍ୱ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଥିଲେ। ଯେଉଁ ବ୍ୟକ୍ତି ଏହି ଏକାଦଶୀ ବ୍ରତ କରିଥାନ୍ତି ତାଙ୍କ ଜୀବନରୁ ସମସ୍ତ ପାପ କ୍ଷୟ ହୋଇଯାଇଥାଏ। ଏହି ଦିନ ଭକ୍ତ ଭଗବାନ ବିଷ୍ଣୁଙ୍କ ପୂଜା କରିବା ଉଚିତ। ଏପରି କରିବା ଦ୍ୱାରା ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ।

ବ୍ରତର ନିୟମ

ଏକାଦଶୀ ଦିନ ପ୍ରାତଃ ସକାଳୁ ସ୍ନାନ ସାରିବା ପରେ ଭଗବାନ ବିଷ୍ଣୁଙ୍କ ପୂଜା କରନ୍ତୁ। ଭଗବାନଙ୍କ ନିକଟରେ ଦୀପ ଲଗାଇ ଜଣାତରେ ହେଉ କିମ୍ବା ଅଜାଣତରେ ହୋଇଥିବା ଭୁଲ ପାଇଁ କ୍ଷମା ପ୍ରାର୍ଥନା କରନ୍ତୁ। ଏଥିସହ ‘ଓଁ ନମୋ ଭଗବତେ ବାସୁଦେବାୟ ମନ୍ତ୍ର ଜପ କରନ୍ତୁ।

ଏକାଦଶୀ ବ୍ରତରେ ଭଗବାନଙ୍କୁ ୧୧ଟି ହଳଦିଆ ଫୁଲ, ଫଳ ଏବଂ ମିଠା, ହଳଦିଆ ବସ୍ତ୍ର, ହଳଦିଆ ଚନ୍ଦନ ଇତ୍ୟାଦି ଅର୍ପଣ କରନ୍ତୁ । ହଳଦିଆ ଆସନରେ ବସି ଭଗବତ କଥା ପାଠ କିମ୍ବା ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ ।

ବ୍ରତ କଥା:

ଥରେ ଏକ ଋଷି କଠୋର ତପସ୍ୟାରେ ଲୀନ ଥିଲେ। ଋଷିଙ୍କ ତପସ୍ୟାରେ ଦେବରାଜ ଇନ୍ଦ୍ର ମଧ୍ୟ ବିଚଳିତ ହୋଇଯାଇଥିଲେ। ଋଷିଙ୍କ ତପସ୍ୟା ଭଙ୍ଗ କରିବା ପାଇଁ ଇନ୍ଦ୍ର ମଞ୍ଜୁଘୋଷା ନାମକ ଅପ୍ସରାଙ୍କୁ ତାଙ୍କ ନିକଟକୁ ପଠାଇଥିଲେ। ଏହାପରେ ତପସ୍ୟାରେ ଲୀନ ଥିବା ଋଷି ଅପ୍ସରାଙ୍କୁ ଦେଖି ମୁଗ୍ଧ ହୋଇଗଲେ। ଋଷି ଶିବ ଭକ୍ତି ଛାଡି ଅପ୍ସରାଙ୍କ ସହ ରହିବାକୁ ଲାଗିଲେ। ଅନେକ ବର୍ଷ ପରେ ମଞ୍ଜୁଘୋଷା ଋଷିଙ୍କ ପାଖରୁ ସ୍ୱର୍ଗକୁ ପୂନର୍ବାର ଯିବା ପାଇଁ ଆଜ୍ଞା ମାଗିଥିଲେ। ସେହି ସମୟରେ ହିଁ ଋଷିଙ୍କୁ ଭକ୍ତି ମାର୍ଗରୁ ବିଚଳିତ ହେବାର ସଂଜ୍ଞା ହେବା ସହ ନିଜ ଉପରେ ଅବସାଦ ଲାଗିଥିଲା।

ଧର୍ମ ଭ୍ରଷ୍ଟ ହେବା କାରଣରୁ ଅପ୍ସରାଙ୍କୁ ଋଷି ପିଶାଚିନୀ ହେବାର ଅଭିଶାପ ଦେଇଥିଲେ। ଯାହାଫଳରେ ଅପ୍ସରା ଅତ୍ୟନ୍ତ ଦୁଃଖୀ ହେବା ସହ ଏହି ଅଭିଶାପରୁ ମୁକ୍ତି ପାଇବା ପାଇଁ ପ୍ରାର୍ଥନା କରିବାକୁ ଲାଗିଲେ। ଏହି ସମୟରେ ଦେବର୍ଷି ନାରଦ ସେଠାରେ ଉପସ୍ଥିତ ହୋଇ ଅପ୍ସରା ଏବଂ ଋଷି ଉଭୟଙ୍କୁ ପାପରୁ ମୁକ୍ତି ପାଇଁ ପାପମୋଚନ ଏକାଦଶୀ ବ୍ରତ କରିବା ପାଇଁ ଉପଦେଶ ଦେଇଥିଲେ। ନାରଦଙ୍କ କହିବାନୁଯାୟୀ ସମସ୍ତ ବିଧି-ବିଧାନର ସହ ଏହି ବ୍ରତ କରିବା ଦ୍ୱାରା ଋଷି ଏବଂ ଅପ୍ସରାଙ୍କର ସମସ୍ତ ପାପ କ୍ଷୟ ହୋଇଥିଲା। ଏଥିସହ ଶାସ୍ତ୍ରରେ ଉଲ୍ଲେଖ ରହିଛି ଏହି କଥାଦଶୀ ବ୍ରତ କଥା ଶୁଣିବା ଦ୍ୱାରା ମଧ୍ୟ ସହସ୍ର ଗୋ-ଦାନର ଫଳ ପ୍ରାପ୍ତ ହୋଇଥାଏ। ବ୍ରହ୍ମହତ୍ୟା, ସୁନା ଚୋରି ଏବଂ ମଦ୍ୟ ପାନ କରୁଥିବା ମହାପାପୀ ମଧ୍ୟ ଏହି ବ୍ରତ କରିବା ଦ୍ୱାରା ପାପ କ୍ଷୟ ହୋଇଯାଇଥାଏ। ଏହି ବ୍ରତ ଅତ୍ୟନ୍ତ ପୁଣ୍ୟଦାୟୀ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.