ପୁଅର ଅଚାନକ ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି ବାପା ମା’, ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି

ଢେଙ୍କାନାଳ: ପୁଅକୁ ହରାଇ ଭାଙ୍ଗି ପଡ଼ିଛନ୍ତି ବାପା ମା’ । ଗେଲ ବସରରେ ପୁଅକୁ ବଡ଼ କରିଥିଲେ । ଭଲରେ ପାଠ ପଢ଼ିବ ବୋଲି ଘରେ ନରଖି ପୁଅକୁ ହଷ୍ଟେଲରେ ଛାଡ଼ିଥିଲେ । କିନ୍ତୁ ପୁଅ ହଷ୍ଟେଲରୁ ଆଉ କେବେ ଯେ ଘରକୁ ଫେରିବନି କେହି କେବେ ଭାବି ବି ନଥିଲେ । କାହିଁକି ନା ଅବେଳରେ ତାଙ୍କ ପୁଅ ତାଙ୍କୁ ଛାଡ଼ି ଚାଲିଯାଇଛି । ଆଉ ପୁଅର ଏମିତି ଅଚାନକ ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି ବାପା ମା’ ।

ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ସିଆରିଆ ପୋଖରୀରେ ବୁଡି ଜଣେ ଆଇଟିଆଇ ଛାତ୍ରଙ୍କର ମୃତ୍ୟୁ ହୋଇଛି । ମୃତ ଛାତ୍ର ହେଉଛନ୍ତି ପ୍ରିତିପ୍ରଭୁ ପଟ୍ଟନାୟକ । ସେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଏକ ଆଇଟିଆଇ କଲେଜରେ ଦ୍ଵୀତିୟ ବର୍ଷର ଆଇଟିଆଇ ଛାତ୍ର ଥିଲେ । ପ୍ରିତିପ୍ରଭୁଙ୍କ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବଞ୍ଚୋ ଗାଁରେ ବୋଲି ଜଣାପଡିଛି । ପ୍ରିତିପ୍ରଭୁ ସିଆରିଆ ସ୍ଥିତ ବାଜିରାଉତ କଲେଜ ହଷ୍ଟେଲରେ ରହି ପାଠ ପଢୁଥିଲେ । ଗତକାଲି ହଷ୍ଟେଲରେ ଲାଇନ ନଥିବାରୁ ଗାଧୋଇବା ପାଇଁ ପାଣି ସରି ଯାଇଥିଲା । ପରେ ପ୍ରିତିପ୍ରଭୁ ହଷ୍ଟେଲ ନିକଟସ୍ଥ ସିଆରିଆ ପୋଖରୀକୁ ଆଠ ଜଣ ସାଙ୍ଗସାଥୀଙ୍କ ସହ ଗାଧୋଇବାକୁ ଯାଇଥିଲେ । ସେଠାରେ ପାଣିରେ ବୁଡି ଯାଇଥିଲେ । ତେବେ ପ୍ରିତିପ୍ରଭୁଙ୍କୁ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଖବର ପାଇ ସଦରଥାନା ପୋଲିସ ମେଡିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନ୍ୟ ପଟରେ କଲେଜ କତୃପକ୍ଷକୁ ଦାୟୀ କରିଛନ୍ତି ମୃତ ପରିବାର ଲୋକେ । କଲେଜ ଅବହେଲା ଯୋଗୁ ଆମ ପୁଅର ଜୀବନ ଯାଇଛି । ଯେଉଁମାନେ ଦୋଷୀ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ପରିବାର ଲୋକେ । ପୁଅକୁ ନେଇ କେତେ କଣ ସ୍ବପ୍ନ ଦେଖିଥିଲେ ବାପା ମା’ । ପୁଅ ବଡ଼ ହେଲେ ବାପା ମା’ଙ୍କ ଦୁଃଖ ବୁଝିବ । କିନ୍ତୁ ଏବେ ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛି ପୁରା ପରିବାର ।

Also Read : ଗାଧୁଆ ହେଲା କାଳ, ପୋଖରୀରେ ବୁଡ଼ି ୨ ସାଙ୍ଗ ମୃତ